Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ଉତ୍କଳମଣିଙ୍କ ଜନ୍ମପୀଠରେ ପାଳିତ ହେଲା ଓଡ଼ିଶା ଦିବସ ୨୦୨୬
ରାଜ୍ୟ ଖବର

ଉତ୍କଳମଣିଙ୍କ ଜନ୍ମପୀଠରେ ପାଳିତ ହେଲା ଓଡ଼ିଶା ଦିବସ ୨୦୨୬

April 1, 2026No Comments5 Mins Read
Share Facebook Twitter LinkedIn Email WhatsApp Copy Link
ଉତ୍କଳମଣିଙ୍କ ଜନ୍ମପୀଠରେ ପାଳିତ ହେଲା ଓଡ଼ିଶା ଦିବସ ୨୦୨୬
ଉତ୍କଳମଣିଙ୍କ ଜନ୍ମପୀଠରେ ପାଳିତ ହେଲା ଓଡ଼ିଶା ଦିବସ ୨୦୨୬

ଭୁବନେଶ୍ୱର: ସ୍ୱତନ୍ତ୍ର ପ୍ରଦେଶ ଭାବେ ଓଡ଼ିଶା ପଦାର୍ପଣ କରିଛି ୯୧ ବର୍ଷରେ। ଓଡ଼ିଶା ଦିବସ ରାଜ୍ୟସ୍ତରୀୟ ଉତ୍ସବ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମସ୍ଥାନ ପୁରୀ ଜିଲ୍ଲା ସତ୍ୟବାଦୀ ସ୍ଥିତ ସୁଆଣ୍ଡୋ ଗ୍ରାମରେ ଅନୁଷ୍ଠିତ ହୋଇଛି। ଗତ ବର୍ଷ ଏହା ଅନୁଷ୍ଠିତ ହୋଇଥିଲା ଉତ୍କଳ ଗୌରବ ମଧୁସୂଦନଙ୍କ ଜନ୍ମପୀଠରେ।

ଓଡିଶାର ଜନସାଧାରଣ ତଥା ଯୁବପିଢିଙ୍କୁ ବରପୁତ୍ର ମାନଙ୍କ ସ୍ମୃତି ସହିତ ଯୋଡି ରଖିବାକୁ ଏବଂ ସେମାନଙ୍କ ତ୍ୟାଗ ଓ ବଳିଦାନରେ ଅନୁପ୍ରେରିତ ହେବା ପାଇଁ ଏହି କାର୍ଯ୍ୟକ୍ରମକୁ ବରପୁତ୍ର ମାନଙ୍କ ଜନ୍ମସ୍ଥାନରେ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ସୁଆଣ୍ଡୋରେ ରାଜ୍ୟସ୍ତରୀୟ ଓଡିଶା ଦିବସ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଥମେ ସୁଆଣ୍ଡୋରେ ପହଞ୍ଚି ଗୋପବନ୍ଧୁ ଦାସଙ୍କ ଷଠିଘର ପରିଦର୍ଶନ ଓ ଉତ୍କଳମଣିଙ୍କ କୂଳ ଦେବତା ପ୍ରଭୁ ଶ୍ରୀ ରାଧା ବିନୋଦବିହାରୀଙ୍କୁ ଦର୍ଶନ କରିଥିଲେ। ଗୋପବନ୍ଧୁ ପାର୍କ ଠାରେ ଉତ୍କଳମଣିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି, ଗୋପବନ୍ଧୁ ସଂଗ୍ରହାଳୟ ପରିଦର୍ଶନ କରିଥିଲେ। ଏହାପରେ ସାକ୍ଷୀଗୋପାଳର ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟରେ ଆୟୋଜିତ ସାଧାରଣ ସଭାରେ ଯୋଗଦେଇଥିଲେ।

ସାଧାରଣସଭାରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇ କହିଥିଲେ ଯେ ଓଡ଼ିଆ ଜାତିକୁ ଆଉ କେହି ଅଟକାଇ ପାରିବେ ନାହିଁ। ସବୁ କ୍ଷେତ୍ରରେ ପୂର୍ଣ୍ଣ ସାମର୍ଥ୍ୟ ହାସଲ କରି ଓଡ଼ିଆ ଜାତି ଏକ ସମୃଦ୍ଧ ରାଜ୍ୟ ଭାବରେ ଦେଶର ଏକ ଗ୍ରୋଥ୍ ଇଞ୍ଜିନ ହୋଇ ବିଶ୍ବ ପଟଳରେ ଭାରତର ମର୍ଯ୍ୟାଦାକୁ ବୃଦ୍ଧି କରିବ।

ସାଧାରଣ ଦିଶୁଥିବା ଏକ ସ୍ଥାନରେ ଜନ୍ମହୋଇ, ସବୁ ସାଧାରଣ ସାମଗ୍ରୀ ବ୍ୟବହାର କରି, ନିଜର କର୍ମବଳରେ ଜଣେ ବ୍ୟକ୍ତି କିପରି ଇଶ୍ବରତୁଲ୍ୟ ହୋଇପାରେ କହି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପଣ୍ଡିତ ଗୋପବନ୍ଧୁଙ୍କୁ ସମଗ୍ର ଭାରତବର୍ଷ ପାଇଁ ଏକ ଉଦାହରଣ ବୋଲି କହିବା ସହିତ ଗୋପବନ୍ଧୁଙ୍କ ଦୁଃଖ, କଷ୍ଟ ଓ ତ୍ୟାଗ ଆଜି ଓଡ଼ିଆ ଜାତିର ଭାଗ୍ୟକୁ ବଦଳାଇ ଦେଇଛି ବୋଲି କହିଥିଲେ ।

କାର୍ଯ୍ୟକ୍ରମରେ ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପଣ୍ଡିତ ଗୋପବନ୍ଧୁଙ୍କ ଅମ୍ଲାନ ସ୍ମୃତିକୁ ଆହୁରି ଦୀପ୍ତିମାନ କରିବା ପାଇଁ ତାଙ୍କ ପୀଠର ବିକାଶ ଓ ସୌନ୍ଦର୍ଯ୍ୟକରଣ ପାଇଁ ରାଜ୍ୟ ସରକାର ପ୍ରତିଶୃତିବଦ୍ଧ। ଏହି ଅବସରରେ ସତ୍ୟବାଦୀ ମହୋତ୍ସବ ସମୟରେ ସେ କରିଥିବା ଘୋଷଣା ବିଷୟରେ ମୁଖ୍ୟମନ୍ତ୍ରୀ ଦୋହରାଇଥିଲେ।

ସତ୍ୟବାଦୀ ବନ ବିଦ୍ୟାଳୟ ଓ ସମଗ୍ର ଅଞ୍ଚଳର ବିକାଶ ପାଇଁ ଯୋଜନା ପ୍ରସ୍ତୁତ ହୋଇଛି। ଏଥିପାଇଁ ରାଜ୍ୟ ସରକାର ୫୮୫ କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟକାରୀ କରିବେ। ଏହା ଖୁବ୍ ଶୀଘ୍ର ଆରମ୍ଭ ହେବ। ଐତିହାସିକ ବକୁଳବନର ପୁନରୁତ୍ଥାନ ଓ ବିକାଶ ପାଇଁ ପ୍ରାୟ ୯୦ କୋଟି ଟଙ୍କା ବିନିଯୋଗ କରାଯିବ। ଏହାକୁ ଏକ ସାଂସ୍କୃତିକ, ଆଧ୍ୟାତ୍ମିକ ଓ ଶିକ୍ଷା କେନ୍ଦ୍ରରେ ପରିଣତ କରାଯାଇ ଏହାର ଐତିହାସିକ ପରିଚୟକୁ ସୁରକ୍ଷିତ କରାଯିବ। ଏହା ସହିତ ୪୯୫ କୋଟି ଟଙ୍କାରେ ସତ୍ୟବାଦୀ ଅଞ୍ଚଳର ପୁନର୍ବିକାଶ କରାଯିବ। ଏଠାରେ ହେରିଟେଜ କରିଡର ନିର୍ମାଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ସେ କହିଥିଲେ ଯେ ଆମ ସରକାର ଓଡ଼ିଆ ଅସ୍ମିତାର ସୁରକ୍ଷା ଓ ପ୍ରସାର ପାଇଁ ସମ୍ପୂର୍ଣ୍ଣଭାବେ ପ୍ରତିବଦ୍ଧ। ଗୋଟିଏ ଜାତିର ଉତ୍ଥାନର ମୂଳଶକ୍ତି ହେଉଛି ତା’ର ଅସ୍ମିତା। ଅସ୍ମିତା ବିନା ଗୋଟିଏ ଜାତି ଆତ୍ମା ବିହୀନ ମେସିନ୍ ପରି। ତେଣୁ, ଅର୍ଥନୈତିକ ବିକାଶ ସହିତ ଆମ ଭାଷା, ସାହିତ୍ୟ ଓ ସଂସ୍କୃତିର ବିକାଶ ଆମର ପ୍ରାଥମିକତା। ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆ ଜାତିର ପରମ ଆରାଧ୍ୟ। ଜଗନ୍ନାଥଙ୍କ ଭକ୍ତିରେ ହିଁ ଓଡ଼ିଆ ଜାତିର ଶାନ୍ତି। ତାଙ୍କ ଆଶୀର୍ବାଦରେ ଓଡ଼ିଶା ଆଜି ୯୦ଟି ଗୌରବମୟ ବର୍ଷ ଅତିକ୍ରମ କରି ବର୍ତ୍ତମାନରେ ପହଞ୍ଚିଛି। ମହାପ୍ରଭୁଙ୍କ ଶୀକ୍ଷେତ୍ର ଓ ପୁରୀ ସହରର ବିକାଶ ପାଇଁ ଆମ ସରକାର ପ୍ରତିଶୃତିବଦ୍ଧ।

ମହାପ୍ରଭୁଙ୍କ ମହିମାର ପ୍ରସାର ପାଇଁ ପୁରୀଠାରେ ଏକ ହଜାର କୋଟି ଟଙ୍କା ବ୍ୟୟରେ ଏକ ବିଶ୍ବସ୍ତରୀୟ ଶ୍ରୀଜଗନ୍ନାଥ ସଂଗ୍ରହାଳୟ ଓ ପାଠାଗାର ପ୍ରତିଷ୍ଠା କରାଯିବା ସହିତ ଗୁଣ୍ଡିଚା ମନ୍ଦିର, ଏମାର ମଠ ଓ ରଘୁନନ୍ଦନ ଲାଇବ୍ରେରୀ ଭଳି ଐତିହାସିକ ଓ ଆଧ୍ୟାତ୍ମିକ ପୀଠର ଗୌରବର ପୁନଃଉଦ୍ଧାର କରାଯିବ। ପୁରୀକୁ ଅତ୍ୟାଧୁନିକ ପର୍ଯ୍ୟଟନସ୍ଥଳରେ ପରିଣତ କରିବା ପାଇଁ ଆମ ସରକାର ୧୫୦୦ ଏକର ପରିମିତ ଅଞ୍ଚଳରେ ଶାମୁକା ପ୍ରକଳ୍ପ କାର୍ଯ୍ୟକାରୀ କରିବେ। ଏହି ପ୍ରକଳ୍ପ ନୈସର୍ଗିକ ବେଳାଭୂମି ଓ ଅତ୍ୟାଧୁନିକ ଭିତ୍ତିଭୂମିର ସମନ୍ବୟରେ ବିଶ୍ବର ଅନ୍ୟତମ ଶ୍ରେଷ୍ଠ ପର୍ଯ୍ୟଟନ କେନ୍ଦ୍ରରେ ପରିଣତ ହେବ ବୋଲି ସେ କହିଥିଲେ।

ସେ ଆହୁରି ମଧ୍ୟ କହିଥିଲେ ଯେ ପୁରୀ ଠାରେ ଏକ World Tourism Centre ପ୍ରତିଷ୍ଠା କରାଯିବ। ପୁରୀରେ କୃଜ୍ ଟର୍ମିନାଲ୍ ପ୍ରତିଷ୍ଠା ପାଇଁ ମଧ୍ୟ ଆମେ ପଦକ୍ଷେପ ନେଇଛୁ। ଏହା ସହିତ ଆମର ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ଚିଲିକାର ପୁନରୁଦ୍ଧାର କରାଯାଇ ଏହାକୁ ମଧ୍ୟ ବିଶ୍ବସ୍ତରୀୟ ଇକୋଟୁରିଜିମ୍ ହବ୍‌ରେ ପରିଣତ କରାଯିବ। ପୁରୀରେ ଏୟାରପୋର୍ଟ ପ୍ରତିଷ୍ଠା ପାଇଁ ପ୍ରକ୍ରିୟା ଜାରି ରହିଛି। ଭୁବନେଶ୍ବରରୁ ପୁରୀ ଏନଏଚ୍‌ର ପ୍ରଶସ୍ତିକରଣ କରାଯିବ। ସମଗ୍ର ପୁରୀ ଜିଲ୍ଲା ଏକ ବିକଶିତ ଅଞ୍ଚଳରେ ପରିଣତ ହେବାକୁ ଯାଉଛି।

ପ୍ରଧାନମନ୍ତ୍ରୀ ମୋଦୀଜୀଙ୍କ ନେତୃତ୍ବରେ ଡବଲ ଇଞ୍ଜିନ ସରକାର ଓଡ଼ିଶାର ଭିତ୍ତିଭୂମିକୁ ସୁଦୃଢ କରୁଥିବା ବିଷୟରେ କହି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟରେ ପ୍ରାୟ ୮୦ ହଜାର କୋଟି ଟଙ୍କାର ଜାତୀୟ ରାଜପଥ କାମ ଜାରି ରହିଛି । ଆମ ସରକାର ମଧ୍ୟ ତିନୋଟି ଗୁରୁତ୍ବପୂର୍ଣ୍ଣ ସଡକ ପ୍ରକଳ୍ପ ପାଇଁ ଯୋଜନା କରିଛନ୍ତି। ଦକ୍ଷିଣ ଓଡ଼ିଶାର ବିକାଶ ପାଇଁ ବ୍ରହ୍ମପୁରରୁ ଜୟପୁର ପର୍ଯ୍ୟନ୍ତ ୨୮୭ କିଲୋମିଟର ବିଶ୍ବସ୍ତରୀୟ ସଡକ ୯ ହଜାର କୋଟିରୁ ଅଧିକ ଟଙ୍କା ବ୍ୟୟରେ ନିର୍ମାଣ କରାଯିବ। ପାରଳାଖେମୁଣ୍ଡିରୁ ବରଗଡର ଅମ୍ବାଭନା ପର୍ଯ୍ୟନ୍ତ ନମୋ-ଏକ୍ସପ୍ରେସ୍ ୱେ ନିର୍ମାଣ କରାଯିବ। ଏହାସହିତ ଦକ୍ଷିଣରୁ ଉତ୍ତରକୁ ଯୋଡି ମାଲକାନଗିରିର ମୋଟୁ ଠାରୁ ମୟୂରଭଞ୍ଜର ତିରିଙ୍ଗି ପର୍ଯ୍ୟନ୍ତ ୯୬୯ ଦୀର୍ଘ ଅଟଳ ଏକ୍ସପ୍ରେସ୍ ୱେ ମଧ୍ୟ ନିର୍ମାଣ କରାଯିବ ବୋଲି ସେ କହିଥିଲେ।

ପୁରୀରେ ଇଣ୍ଟରନ୍ୟାସନାଲ୍ ଏୟାରପୋର୍ଟ ସହିତ ଆହୁରି ୭ଟି ଏୟାରପୋର୍ଟ ନିର୍ମାଣ ପାଇଁ ଯୋଜନା କରାଯାଉଛି। ପ୍ରାୟ ୧୫ଟି ଜିଲ୍ଲାରେ ଗୋଟିଏ ଗୋଟିଏ ହେଲିପୋର୍ଟ ମଧ୍ୟ କରାଯିବ। ସାମୁଦ୍ରିକ ବାଣିଜ୍ୟ ଓ ଯୋଗାଯୋଗ ପାଇଁ କେନ୍ଦ୍ରାପଡା ଠାରେ ପ୍ରାୟ ୨୫ ହଜାର କୋଟି ଟଙ୍କା ବିନିଯୋଗରେ ଏକ ମେଗା ସିପ୍‌ ବିଲ୍‌ଡିଙ୍ଗ କ୍ଲଷ୍ଟର ନିର୍ମାଣ କରାଯିବ। ଗଞ୍ଜାମର ବାହୁଦା ଠାରେ ପ୍ରାୟ ୨୨ ହଜାର ଟଙ୍କା ବିନିଯୋଗରେ ଏକ ସାଟେଲାଇଟ୍ ପୋର୍ଟ ସହିତ ଅନେକ ଛୋଟ ଛୋଟ ବନ୍ଦର ନିର୍ମାଣର ପ୍ରକ୍ରିୟା ଚାଲିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଦୁଇ ବର୍ଷ ର ସଫଳତା ବିଷୟରେ କହି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମେ ୨ ଲକ୍ଷ ୪୦ ହଜାର କୋଟି ଟଙ୍କାର ୧୦୯ଟି ପ୍ରକଳ୍ପ ଗ୍ରାଉଣ୍ଡିଙ୍ଗ କରିଛୁ। ଏହାର ଶିଳାନ୍ୟାସ କିମ୍ବା ଉଦ୍‌ଘାଟନ ହୋଇଛି। ଏହାଦ୍ବାରା ପ୍ରାୟ ୧ ଲକ୍ଷ ୭୬ ହଜାର ନିଯୁକ୍ତି ସୃଷ୍ଟି ହୋଇଛି। ତେଣୁ, ଆମର ସମୃଦ୍ଧ ଓଡ଼ିଶା ଗଠନ ପାଇଁ ଯେଉଁ ଲକ୍ଷ୍ୟ ଅଛି, ତାହା ନିଶ୍ଚିତ ପୂରଣ ହେବ। ୨୦୩୬ ସୁଦ୍ଧା ୫୦୦ ବିଲିଅନ ଡଲାର ଓ ୨୦୪୭ ସୁଦ୍ଧା ୧୫୦୦ ବିଲିଅନ ଡଲାର ଅର୍ଥନୀତିର ଲକ୍ଷ୍ୟ ନିଶ୍ଚୟ ପୂରଣ ହେବ।

ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ ମହିଳା ସଶକ୍ତିକରଣ ପାଇଁ ଆମେ ଏକ ନୂଆ ଯୋଜନା ଆରମ୍ଭ କରୁଛୁ। ଏହା ହେଉଛି ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା। ଏହି ଯୋଜନାରେ ଆର୍ଥିକ ଦୁର୍ବଳ ପରିବାରରେ ଜନ୍ମ ହୋଇଥିବା ଝିଅଙ୍କ ପାଇଁ ୨୦ ହଜାର ଟଙ୍କାର ସଞ୍ଚୟ ପାଣ୍ଠି ଖୋଲାଯିବ। ଝିଅ ଗ୍ରାଜୁଏଟ୍ ହେଲାପରେ ତାକୁ ୧ ଲକ୍ଷ ୧ ଟଙ୍କା ପ୍ରଦାନ କରାଯିବ। ଏହାଦ୍ବାରା ସବୁ ଝିଅ ଅତିକମ୍‌ରେ ଗ୍ରାଜୁଏଟ୍ ହେବାପାଇଁ ନିଶ୍ଚିତ ଭାବରେ ଚାହିଁବେ। ସ୍ବାସ୍ଥ୍ୟ ସେବାରେ ଉନ୍ନତି ପାଇଁ ରାଜ୍ୟରେ ୪ ହଜାର ଡାକ୍ତର ପଦବୀ ପୂରଣ କରାଯାଇଛି, ଆହୁରି ୫ ହଜାର ପୂରଣ କରାଯିବ। ଆୟୁଷ ଶିକ୍ଷାର ବିକାଶ ପାଇଁ ଗଜପତି, ମାଲକାନଗିରି ଓ ରାୟଗଡା ଭଳି ଆକାଂକ୍ଷୀ ଜିଲ୍ଲାରେ ତିନୋଟି ନୂତନ ଆୟୁର୍ବେଦିକ ମେଡିକାଲ କଲେଜ ଏବଂ ନୟାଗଡ ଓ ନୂଆପଡାରେ ଦୁଇଟି ହୋମିଓପାଥିକ ମେଡିକାଲ୍ କଲେଜ୍ ପ୍ରତିଷ୍ଠା କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି।

ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶା ଦିବସ ଉପଲକ୍ଷେ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପ୍ରେରିତ ବାର୍ତ୍ତାକୁ ମୁଖ୍ୟମନ୍ତ୍ରୀ ପାଠ କରିବା ସହିତ ଉଭୟଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଥିଲେ।

ଭାରତର ରାଷ୍ଟ୍ରପତି, ଓଡିଶା ପୋଲିସର ୯୧ତମ ସ୍ଥାପନା ଦିବସ ଅବସରରେ ଉତ୍କୃଷ୍ଟ ସେବା ପାଇଁ ଐତିହାସିକ ସମ୍ମାନ ‘ପ୍ରେସିଡେଣ୍ଟସ୍ କଲର୍ ଆୱାର୍ଡ’ କୁ ଅନୁମୋଦନ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଦେଇଥିଲେ।

ଏହି ଅବସରରେ ପୁରୀ ସାଂସଦ ଡ. ସମ୍ୱିତ ପାତ୍ର, ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର, ଉତ୍କଳମଣି ସ୍ମୃତି ପରିଷଦର ସଭାପତି ଧୀରେନ୍ଦ୍ର ଦାସ ଏବଂ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ପ୍ରମୁଖ ମଂଚାସୀନ ଥିଲେ। କାର୍ଯ୍ୟକ୍ରମରେ ସତ୍ୟବାଦୀ ବିଧାୟକ ଓମ୍ ପ୍ରକାଶ ମିଶ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ।

World Tourism Centre ଓଡ଼ିଶା ଦିବସ ୨୦୨୬ ପଣ୍ଡିତ ଗୋପବନ୍ଧୁ ଦାସ ପୁରୀ ମୋହନ ଚରଣ ମାଝୀ ସୁଆଣ୍ଡୋ
Share. Facebook Twitter LinkedIn Email WhatsApp Copy Link

Related Posts

୭୮ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ପଦକ ପ୍ରଦାନ କଲେ ଡିଜିପି

April 1, 2026

ରଣପୁରରେ ସ୍ୱ-ଜନଗଣନା ଅଭିଯାନକୁ ନେଇ ତହସିଲଦାରଙ୍କ ସଚେତନତା ପ୍ରଚେଷ୍ଟା

April 1, 2026

ରାଧାକୃଷ୍ଣ ମଠ ପରିସରରେ ବ୍ରହ୍ମଚାରୀଙ୍କ ଆତ୍ମହତ୍ୟା

April 1, 2026

ପଥର ବୋଝେଇ ଟ୍ରାକ୍ଟର ଧକ୍କାରେ ଦୁଇ ଯୁବକଙ୍କ ପ୍ରାଣହାନୀ

April 1, 2026
Latest News

ଉତ୍କଳମଣିଙ୍କ ଜନ୍ମପୀଠରେ ପାଳିତ ହେଲା ଓଡ଼ିଶା ଦିବସ ୨୦୨୬

April 1, 2026

୭୮ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ପଦକ ପ୍ରଦାନ କଲେ ଡିଜିପି

April 1, 2026

ଭିଡ଼ିଓ ବାର୍ତ୍ତା ଜରିଆରେ ‘ଓଡ଼ିଶା ଦିବସ’ର ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ

April 1, 2026

ଉତ୍କଳ ଦିବସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

April 1, 2026

ରଣପୁରରେ ସ୍ୱ-ଜନଗଣନା ଅଭିଯାନକୁ ନେଇ ତହସିଲଦାରଙ୍କ ସଚେତନତା ପ୍ରଚେଷ୍ଟା

April 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.