ବ୍ରହ୍ମପୁର: ବ୍ରହ୍ମପୁରର ବିଜିପୁର ଅଞ୍ଚଳସ୍ଥିତ ପୁଲିସ କ୍ୱାର୍ଟର୍ସରେ ଶନିବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି । ଓଏମ୍ଭିଡିରେ କାର୍ଯ୍ୟରତ କନେଷ୍ଟବଳ ଆଶୁତୋଷ ମଲ୍ଲ ନିଜ ଦେହରେ ପେଟ୍ରୋଲ୍ ଢାଳି ନିଆଁ ଲଗାଇ ଆତ୍ମାହୁତି ଉଦ୍ୟମ କରିଥିବା ଜଣାପଡ଼ିଛି।
ନିଆଁରେ ଜଳୁଥିବା ଅବସ୍ଥାରେ ଜୀବନ ବଞ୍ଚାଇବା ପାଇଁ ସେ ନିକଟସ୍ଥ ଜଣେ ପୁଲିସ ହାବିଲଦାରଙ୍କ କ୍ୱାର୍ଟର୍ସ ଭିତରକୁ ଦୌଡ଼ି ପଶିଥିଲେ। ଏହି ଘଟଣାରେ ହାବିଲଦାରଙ୍କ ଘରର କିଛି ଆସବାବପତ୍ର ମଧ୍ୟ ଅଗ୍ନିକାଣ୍ଡରେ କ୍ଷତିଗ୍ରସ୍ତ ହୋଇଛି।
ଗୁରୁତର ଅବସ୍ଥାରେ ଆଶୁତୋଷଙ୍କୁ ତୁରନ୍ତ ଏମ୍କେସିଜି ମେଡିକାଲ୍ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଡାକ୍ତରମାନଙ୍କ ସୂଚନା ଅନୁଯାୟୀ, ତାଙ୍କ ଶରୀରର ପ୍ରାୟ ୬୦ ପ୍ରତିଶତ ଅଂଶ ପୋଡ଼ିଯାଇଥିବାରୁ ସ୍ଥିତି ଅତ୍ୟନ୍ତ ସଙ୍କଟାପନ୍ନ ରହିଛି।
ଘଟଣା ପଛର ସଠିକ୍ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ, ପ୍ରାଥମିକ ତଦନ୍ତରୁ ପାରିବାରିକ ବିବାଦ ଏହାର ମୂଳ କାରଣ ହୋଇଥାଇପାରେ ବୋଲି ବ୍ରହ୍ମପୁର ଏସ୍ପି ଡା. ଶରବଣା ବିବେକ ଏମ୍ ସୂଚନା ଦେଇଛନ୍ତି । ପୁଲିସ ଏହି ଘଟଣାର ଅଧିକ ତଦନ୍ତ ଜାରି ରଖିଛି।


