ବାଣପୁର: ଖୋର୍ଦ୍ଧା ଜିଲ୍ଲାର ବାଣପୁରରେ ଜଣେ ଯୁବକଙ୍କ ମୃତ୍ୟୁକୁ ନେଇ ହେପାଜତ ହିଂସା ଅଭିଯୋଗ ଉଠିଥିବା ବେଳେ, ପ୍ରାଥମିକ ତଦନ୍ତରେ ଏହି ଅଭିଯୋଗ ନେଇ କୌଣସି ପ୍ରମାଣ ମିଳିନାହିଁ ବୋଲି ପୋଲିସ ସ୍ପଷ୍ଟ କରିଛି। ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି କୁହାଯାଇଛି।
ପୋଲିସ ସୂଚନା ଅନୁସାରେ, ଜୁନ୍ ୨୮ ତାରିଖ ଅପରାହ୍ନ ପ୍ରାୟ ୪ଟା ୪୩ ମିନିଟ୍ ସମୟରେ ଇଆରଏସଏସ-୧୧୨କୁ ବିଷ୍ଣୁଡିହ ଗ୍ରାମପଞ୍ଚାୟତର ପୂର୍ବତନ ସରପଞ୍ଚଙ୍କଠାରୁ ଫୋନ୍ ଆସିଥିଲା। ଗ୍ରାମବାସୀମାନେ ଚୋରି ସନ୍ଦେହରେ ଜଣେ ବ୍ୟକ୍ତିଙ୍କୁ ଅଟକ ରଖିଥିବା ସୂଚନା ମିଳିଥିଲା।
ଅଟକ ବ୍ୟକ୍ତିଙ୍କ ପରିଚୟ ତୋଫାନ ନାୟକ (୩୨) ବୋଲି ଜଣାପଡ଼ିଥିଲା। ପୋଲିସର କହିବା ଅନୁସାରେ, ସେ ମଦ୍ୟପ ଅବସ୍ଥାରେ ଥିଲେ ଏବଂ ଜଣେ ସ୍ଥାନୀୟ ମହିଳାଙ୍କ ସହ ଅସଦାଚରଣ କରୁଥିବା ଅଭିଯୋଗ ଥିଲା। ପରେ ପୋଲିସ ତାଙ୍କୁ ଉଦ୍ଧାର କରି ସନ୍ଧ୍ୟା ପ୍ରାୟ ୬ଟା ୩୦ ମିନିଟ୍ରେ ବାଣପୁର ଥାନାକୁ ନେଇଥିଲା।
ଥାନାକୁ ଆଣିବା ପରେ ତୋଫାନଙ୍କ ପରିବାରକୁ ସୂଚନା ଦିଆଯାଇଥିଲା ବୋଲି ପୋଲିସ ଜବାବ ରଖିଛି। ରାତି ପ୍ରାୟ ୮ଟାରେ ତାଙ୍କ ପିତାମାତା ଥାନାରେ ପହଞ୍ଚିଥିଲେ। ସେମାନେ ଗ୍ରାମବାସୀଙ୍କ ବିରୋଧରେ କୌଣସି ଅଭିଯୋଗ କରିନଥିଲେ ଏବଂ ତୋଫାନ ଗତ ୨୦ରୁ ୨୫ ଦିନ ଧରି ମାନସିକ ସମସ୍ୟାରେ ପୀଡ଼ିତ ଥିବା କହିଥିଲେ। ଏହାସହ ତାଙ୍କ ସ୍ୱାସ୍ଥ୍ୟ ଭଲ ଥିବା ନେଇ ଏକ ଜିମ୍ମାନାମା ମଧ୍ୟ ଦେଇଥିଲେ ବୋଲି ପୋଲିସ ଦାବି କରିଛି।
ପରଦିନ ସକାଳେ ତୋଫାନଙ୍କୁ ରକ୍ତବାନ୍ତି ହେବା ପରେ ପରିବାର ଲୋକେ ବାଣପୁର ସିଏଚସିକୁ ନେଇଥିଲେ। ଡାକ୍ତରଙ୍କ ପଚରାଉଚରା ବେଳେ ପରିବାର ପକ୍ଷରୁ କୁହାଯାଇଥିଲା ଯେ, ତାଙ୍କୁ କେହି ଆକ୍ରମଣ କରିନାହାନ୍ତି ଏବଂ ମଦ୍ୟପାନ କରି ପଡ଼ିଯିବାରୁ ଆଘାତ ଲାଗିଥାଇପାରେ। ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସକାଳ ପ୍ରାୟ ୧୦ଟା ୨୫ ମିନିଟ୍ରେ ତାଙ୍କର ମୃତ୍ୟୁ ଘଟିଥିଲା।
ଏପଟେ, ହେପାଜତ ହିଂସା ଅଭିଯୋଗ ସମ୍ପର୍କରେ ପୋଲିସ କହିଛି ଯେ, ପିତାମାତାଙ୍କ ଜିମ୍ମାନାମା, ଡାକ୍ତରଙ୍କ ସମ୍ମୁଖରେ ଦିଆଯାଇଥିବା ବୟାନ, ଥାନାରୁ ମୁକ୍ତି ସମୟର ଫଟୋ ଏବଂ ଥାନାର CCTV ଫୁଟେଜ୍ର ଯାଞ୍ଚ ଚାଲିଛି। ବର୍ତ୍ତମାନ ସୁଦ୍ଧା ହେପାଜତ ହିଂସା ଅଭିଯୋଗଟି ସତ୍ୟ ବୋଲି କୌଣସି ପ୍ରମାଣ ମିଳିନାହିଁ।
ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ଏବଂ ତଦନ୍ତ ରିପୋର୍ଟ ଆଧାରରେ ପରବର୍ତ୍ତୀ ଆଇନଗତ ପଦକ୍ଷେପ ନିଆଯିବ ବୋଲି ଖୋର୍ଦ୍ଧା ଏସପି କହିଛନ୍ତି।


