ଭୁବନେଶ୍ବର: ଓଡ଼ିଶା ଭିଜିଲାନ୍ସ ଦ୍ୱାରା କେନ୍ଦ୍ରାପଡ଼ା ଜଳନିଷ୍କାସନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ତଥା ଆକଳନକାରୀ ଅନୁପମା ସାହୁ ଏକ ବେଆଇନ ଅର୍ଥ କାରବାର ମାମଲାରେ ଗିରଫ ହୋଇ ସ୍ୱତନ୍ତ୍ର ବିଚାରପତି (ଭିଜିଲାନ୍ସ), କଟକଙ୍କ ଅଦାଲତକୁ ଚାଲାଣ ହୋଇଛନ୍ତି। ଶ୍ରୀମତୀ ସାହୁ ନିଜ ମାର୍ଶାଘାଇ ସ୍ଥିତ କାର୍ଯ୍ୟାଳୟରୁ ସରକାରୀ ଗାଡ଼ି ଯୋଗେ କେନ୍ଦ୍ରାପଡ଼ା ନୟନ ବିହାର ସ୍ଥିତ ନିଜ ବାସଭବନକୁ ଫେରୁଥିବା ସମୟରେ ଜାତୀୟ ରାଜପଥ ୫୩-ଏ ମାର୍ଶାଘାଇ ଛକ ନିକଟରେ ଭିଜିଲାନ୍ସ ଦଳ ଦ୍ୱାରା ଅଟକ ହୋଇଥିଲେ। ଯାଞ୍ଚ ସମୟରେ ତାଙ୍କ ପାଖରୁ ୩ ଲକ୍ଷ ୧୫ ହଜାର ଟଙ୍କାର ସନ୍ଦେହଜନକ ବେଆଇନ ନଗଦ ଅର୍ଥ ମିଳିଥିଲା, ଯାହାର କୌଣସି ସନ୍ତୋଷଜନକ ହିସାବ ସେ ଦେଇ ପାରିନଥିଲେ। ଏହି ସମ୍ପର୍କରେ ତାଙ୍କ ବିରୋଧରେ କଟକ ଭିଜିଲାନ୍ସ ଥାନାରେ ଦୁର୍ନୀତି ନିବାରଣ (ସଂଶୋଧନ) ଅଧିନିୟମ ଅନୁଯାୟୀ ମାମଲା ରୁଜୁ କରାଯାଇ ସରକାରୀ ଗାଡ଼ି ସହ ସମସ୍ତ ଅର୍ଥ ଜବତ କରାଯାଇଛି।
ଏହି ଘଟଣା ପରେ ଭିଜିଲାନ୍ସ ପକ୍ଷରୁ ଅନୁପମା ସାହୁଙ୍କ କେନ୍ଦ୍ରାପଡ଼ା ନୟନବିହାର ସ୍ଥିତ ବାସଭବନ, କାର୍ଯ୍ୟାଳୟ ପ୍ରକୋଷ୍ଠ ଏବଂ କାମାକ୍ଷାନଗର ସହର ନିକଟବର୍ତ୍ତୀ ଜିରିଡ଼ାମାଳି ଗ୍ରାମରେ ଥିବା ତାଙ୍କ ଶ୍ୱଶୁର ଘରେ ଏକକାଳୀନ ଚଢ଼ାଉ କରାଯାଇଥିଲା। ନୟନବିହାର ବାସଭବନରୁ ଅଧିକ ୪ ଲକ୍ଷ ନଗଦ ଟଙ୍କା ଠାବ ହେବା ଫଳରେ ସର୍ବମୋଟ ୭ ଲକ୍ଷ ୧୫ ହଜାର ନଗଦ ଟଙ୍କା ଜବତ କରାଯାଇଛି। କାମାକ୍ଷାନଗର ଜିରିଡ଼ାମାଳି ସ୍ଥିତ ଶ୍ୱଶୁର ଘରେ ବିଳମ୍ବିତ ମଧ୍ୟରାତ୍ରି ୧୧:୩୦ରୁ ସକାଳ ୧୧ଟା ପର୍ଯ୍ୟନ୍ତ ଦୀର୍ଘ ସମୟ ଧରି ଭିଜିଲାନ୍ସ ଟିମ୍ ପହଞ୍ଚି ଶ୍ୱଶୁରଙ୍କୁ ପଚରାଉଚୁରା କରିବା ସହ ତାଙ୍କର ଦୁଇଟି ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନକୁ ଯାଞ୍ଚ କରି ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଏବଂ ବ୍ୟାଙ୍କ ଜମାଖାତା ଜବତ କରିଛି। ଚଢ଼ାଉ ଓ ତଦନ୍ତ ସମୟରେ ଅନୁପମା ସାହୁଙ୍କ ନାମରେ ବିପୁଳ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ କରାଯାଇଛି। ବିଭିନ୍ନ ବ୍ୟାଙ୍କ ଜମାଖାତାରୁ ୬୩ ଲକ୍ଷ ଟଙ୍କାର ସଞ୍ଚୟ ପାସ୍ ବୁକ୍ ମିଳିଥିବା ବେଳେ ଭୁବନେଶ୍ୱରରେ ଗୋଟିଏ ଫ୍ଲାଟ୍, ଢେଙ୍କାନାଳ କାମାକ୍ଷାନଗର ମାର୍କେଟ କମ୍ପ୍ଲେକ୍ସରେ ଗୋଟିଏ ଲୁହା ରଡ୍ ଓ ସିମେଣ୍ଟ ଗୋଦାମ ଏବଂ ବଲାଙ୍ଗୀରରେ ଗୋଟିଏ ଦୋକାନ ଘର ରହିଥିବା ଜଣାପଡ଼ିଛି। ଏହା ବ୍ୟତୀତ ଭୁବନେଶ୍ୱର ଉପକଣ୍ଠରେ ୧ଟି, ଅନୁଗୋଳରେ ୩ଟି ଏବଂ ଢେଙ୍କାନାଳରେ ୧ଟି ସମେତ ମୋଟ ୫ଟି ପ୍ଲଟ୍ ଠାବ ହୋଇଛି।
ସୂଚନାଯୋଗ୍ୟ ଯେ, ଯନ୍ତ୍ରୀ ଅନୁପମା ସାହୁ ୨୦୦୩ ମସିହା ଅକ୍ଟୋବର ୨୧ ରିଖରେ ଅନୁଗୁଳ ଜଳସେଚନ ବିଭାଗ ଅଧୀନରେ ମାସିକ ୪ ହଜାର ଟଙ୍କାର ପ୍ରାରମ୍ଭିକ ଦରମାରେ ଜଣେ କନିଷ୍ଠ ଯନ୍ତ୍ରୀ ଭାବେ ସରକାରୀ ଚାକିରିରେ ଯୋଗ ଦେଇଥିଲେ। ୨୦୦୯ ମସିହାରେ ତାଙ୍କ ଚାକିରି ନିୟମିତ ହୋଇଥିବା ବେଳେ ୨୦୧୬ ଡିସେମ୍ବର ୩୧ରେ ସେ ସହକାରୀ ଯନ୍ତ୍ରୀ ପାହ୍ୟାକୁ ପଦୋନ୍ନତି ପାଇ ରେଙ୍ଗାଲି ଦକ୍ଷିଣ କେନାଲର ଢେଙ୍କାନାଳ ନକ୍ସା ଓ ନିରୀକ୍ଷଣ ଶାଖାରେ ଅବସ୍ଥାପିତ ହୋଇଥିଲେ। ପରବର୍ତ୍ତୀ ସମୟରେ ୨୦୨୫ ଅଗଷ୍ଟ ୧୨ରେ ସେ ସହକାରୀ ନିର୍ବାହୀ ଯନ୍ତ୍ରୀ ପାହ୍ୟାକୁ ପଦୋନ୍ନତି ପାଇଥିଲେ ଏବଂ ୨୦୨୬ ମାର୍ଚ୍ଚ ୨ ରିଖରେ ତାଙ୍କୁ କେନ୍ଦ୍ରାପଡ଼ା ଜଳନିଷ୍କାସନ ବିଭାଗକୁ ବଦଳି କରାଯାଇଥିଲା। ସେବେଠାରୁ ସେ ଏହି ପଦବୀରେ କାର୍ଯ୍ୟରତ ଥିବା ବେଳେ ଏହି ଅଭିଯାନ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ଏବଂ ଭିଜିଲାନ୍ସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।


