ଭୁବନେଶ୍ବର: କଟକ ସହରରେ ଅବସ୍ଥିତ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଚାଲିଥିବା ଭାରତୀୟ ଜନତା ପାର୍ଟିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକର ଦ୍ୱିତୀୟ ଦିବସରେ ରାଜନୈତିକ ଚିଠା ପ୍ରସ୍ତାବ ପ୍ରସ୍ତୁତ ହେବା ସହ କେତେକ ନିନ୍ଦା ପ୍ରସ୍ତାବ ଆସିଛି। ଆଗାମୀ ରାଜନୈତିକ କାର୍ଯ୍ୟକ୍ରମ ଏବଂ ରୋଡମ୍ୟାପକୁ ନେଇ ରାଜନୈତିକ ଚିଠା ପ୍ରସ୍ତାବ ପାରିତ ହୋଇଛି। କେନ୍ଦ୍ରରେ କଂଗ୍ରେସ ଏବଂ ବିଜୁ ଜନତା ଦଳ ବିରୋଧରେ ନିନ୍ଦା ପ୍ରସ୍ତାବ ଦିଆଯାଇଛି। ବିରୋଧୀ ଦଳର ଆଚରଣକୁ କାର୍ଯ୍ୟକାରିଣୀରେ ନିନ୍ଦା କରାଯାଇଥିଲା। ଗାର୍ହସ୍ଥ୍ୟ ଉତ୍ପାଦନ ହାର ୭.୮ ପ୍ରତିଶତ ଥିବା ବେଳେ ରାହୁଲ ଗାନ୍ଧୀ ଏବଂ ବିରୋଧୀ ଦଳ ମନଗଢ଼ା କାହାଣୀ କରି ୨.୬ ପ୍ରତିଶତ ଦେଖାଇଥିଲେ। ପୂର୍ଣ୍ଣାଙ୍ଗ ବନ୍ଦେ ମାତରମକୁ ବିରୋଧ, ମହିଳା ସଂରକ୍ଷଣ ବିଲକୁ ବିରୋଧ ଏବଂ ସହରୀ ନକ୍ସଲ ଶବ୍ଦକୁ ନେଇ କଂଗ୍ରେସ ଯେଉଁ ଅପପ୍ରଚାର କରିଛି, ସେ ବାବଦରେ ନିନ୍ଦା ପ୍ରସ୍ତାବ ଆସିଛି। ସେହିପରି ଖଣି ଆଇନ ସଂଶୋଧନକୁ ନେଇ ବିଜେଡି ଯେଉଁ ଅପପ୍ରଚାର କରୁଛି, ସେ ନେଇ ଆଲୋଚନା ହେବା ସହ ନିନ୍ଦା ପ୍ରସ୍ତାବ ଆସିଛି। ଭାରତୀୟ ଖାଦ୍ୟ ନିଗମ ଆଲୋଚନାରେ ଯିଏ ବାଧା ଦେଲା, ସେ ବାବଦରେ ମଧ୍ୟ ନିନ୍ଦା ପ୍ରସ୍ତାବ ଆସିଛି। ଏହା ସହ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଧନ୍ୟବାଦ ପ୍ରସ୍ତାବ ପାରିତ କରାଯାଇଛି।
ଦ୍ୱିତୀୟ ଦିନରେ ବିଜେପିର ରାଷ୍ଟ୍ରୀୟ ସଂଗଠନ ମହାମନ୍ତ୍ରୀ ବି. ଏଲ. ସନ୍ତୋଷ ଯୋଗଦେଇ ଆଗାମୀ ଦିନରେ ସରକାର ଯେମିତି ରିପିଟ୍ କରିବ ଏବଂ ଲମ୍ବା ସମୟ ଧରି ରାଜ୍ୟରେ ବିଜେପି ସରକାର କରିବ, ସେ ନେଇ ଗୁରୁମନ୍ତ୍ର ଦେଇଥିଲେ। ସେ କହିଥିଲେ ଯେ ଆମେ ଏଠାରେ କାହିଁକି ଅଛୁ, ଆମେ ଏଠାରେ କ’ଣ କରୁଛୁ ଏବଂ ଆମେ ଅନ୍ୟମାନଙ୍କଠାରୁ କେତେ ଭିନ୍ନ, ଏହିଭଳି କିଛି ପ୍ରଶ୍ନ କରି କାର୍ଯ୍ୟକାରିଣୀ ସଦସ୍ୟମାନଙ୍କୁ ଆତ୍ମସମୀକ୍ଷା କରିବାକୁ କହିଛନ୍ତି। ଅନେକ ଦିନ ପରେ ରାଜ୍ୟରେ ଦଳ କ୍ଷମତାକୁ ଆସିଛି। ଯେଉଁଠି ବିଜେପି ସରକାର ଅଛି, ସେଠି ଅନେକ ବର୍ଷ ପର୍ଯ୍ୟନ୍ତ ସରକାର ରିପିଟ୍ ହୋଇଛି। ମନରେ ଅହଙ୍କାର ନଆଣି, ଆମେ ସାଧାରଣ ଲୋକଙ୍କୁ ସେବା ଭାବନା ରଖି କାମ କରିବାକୁ ରାଜ୍ୟ କାର୍ଯ୍ୟକାରିଣୀର ଦ୍ୱିତୀୟ ଦିବସରେ ସେ ଉଦବୋଧନ ଦେଇଥିଲେ। ବିଧାୟକ, ସାଂସଦ ଏବଂ ମନ୍ତ୍ରୀ ହେଲେ ମଧ୍ୟ ପ୍ରଥମ କାମ ସେବା ଭାବରେ ସମାଜର ତଳସ୍ତରରେ ରହୁଥିବା ଲୋକଙ୍କୁ ସାହାଯ୍ୟ କରିବା ବୋଲି ସେ ପରାମର୍ଶ ଦେଇଛନ୍ତି। ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଗାମୀ ନିର୍ବାଚନରେ ଭଲ ପ୍ରଦର୍ଶନ କରିବେ ବୋଲି ଆଶା ବ୍ୟକ୍ତ କରିଛନ୍ତି ବି. ଏଲ. ସନ୍ତୋଷ। ରାଜ୍ୟର କିଛି ମନ୍ତ୍ରୀଙ୍କ କାର୍ଯ୍ୟଶୈଳୀର ଉଦାହରଣ ଦେଇ ସେଥିରେ ସୁଧାର ଆଣିବା ପାଇଁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି।
ଆଗାମୀ ନିର୍ବାଚନଗୁଡ଼ିକୁ ଆଖିଆଗରେ ରଖି ବି. ଏଲ. ସନ୍ତୋଷ ଗୁରୁତ୍ୱାରୋପ କରିଛନ୍ତି। ପୂର୍ବରୁ ଯୋଜନା ଏବଂ ସୂକ୍ଷ୍ମ ଅନୁଧ୍ୟାନ ଉପରେ ସର୍ବାଧିକ ଗୁରୁତ୍ୱାରୋପ କରି ସେ କହିଛନ୍ତି ଯେ, ନିର୍ବାଚନୀ ସଫଳତା ପାଇଁ ଆଜିଠାରୁ ସମ୍ପୂର୍ଣ୍ଣ ସୂକ୍ଷ୍ମ, ନିଖୁଣ ଓ ଯୋଜନାବଦ୍ଧ ଭାବେ କାର୍ଯ୍ୟ କରିବାକୁ କାର୍ଯ୍ୟକର୍ତ୍ତାଙ୍କୁ ପରାମର୍ଶ ଦେଇଛନ୍ତି। ଦୁଇ ଦିନିଆ ରାଜ୍ୟ ବିଜେପିର କାର୍ଯ୍ୟକାରିଣୀରେ ପଞ୍ଚାୟତ ଓ ପୌର ନିର୍ବାଚନ ସହିତ ସମବାୟ ନିର୍ବାଚନକୁ ଗୁରୁତ୍ୱ ଦିଆଯାଇଛି। ନିର୍ବାଚନ ପାଇଁ ପ୍ରସ୍ତୁତ ହେବାକୁ କେନ୍ଦ୍ରୀୟ ନେତୃତ୍ୱ ଗୁରୁମନ୍ତ୍ର ଦେଇଛନ୍ତି। ଏହାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିବସରୁ ଏକ ମାସ ବ୍ୟାପୀ ଚାଲିବାକୁ ଥିବା ସେବା ସଂକଳ୍ପ ଅଭିଯାନକୁ ତଳସ୍ତର ପର୍ଯ୍ୟନ୍ତ ନେବାକୁ ପ୍ରସ୍ତାବ ପାରିତ ହୋଇଛି। ବୈଠକ ଦଳର ରାଜ୍ୟ ସଭାପତି ତଥା ସାଂସଦ ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ କନକ ବର୍ଦ୍ଧନ ସିଂହଦେଓ, ଓଡ଼ିଶା ପ୍ରଭାରୀ ବିଜୟ ସିଂହ ପାଲ ତୋମାର, ସହ ପ୍ରଭାରୀ ଲତା ଉସେଣ୍ଡି, ରାଜ୍ୟ ସାଧାରଣ ସମ୍ପାଦକ ମାନସ ମହାନ୍ତି, ସାଂସଦ ଭର୍ତ୍ତୃହରି ମହତାବ, ସାଂସଦ ସମ୍ବିତ ପାତ୍ର, ବିଜେପି ଜିଲ୍ଲା ସଭାପତି ସୁକାନ୍ତ ବିଶ୍ୱାଳ, ବିଧାୟକ ପ୍ରକାଶ ସେଠୀ, ପ୍ରଭାତରଞ୍ଜନ ବିଶ୍ୱାଳଙ୍କ ସହିତ ଅନ୍ୟମାନେ ଉପସ୍ଥିତ ଥିଲେ।


