ଭୁବନେଶ୍ବର: ପୂର୍ବତନ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ୪ ଦିନିଆ ସଂସଦୀୟ କ୍ଷେତ୍ର ଗସ୍ତ ସାରି ଭୁବନେଶ୍ୱର ଫେରିଛନ୍ତି। ଏହି ଚାରି ଦିନରେ ସାଂସଦ ସମ୍ବଲପୁର, କୁଚିଣ୍ଡା, ଦେବଗଡ଼, ରେଢ଼ାଖୋଲ ରେ ବିଭିନ୍ନ ସରକାରୀ, ବେସରକରୀ ଓ ରାଜନୈତିକ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । କିନ୍ତୁ ସମସ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଆକର୍ଷଣ ଥିଲା ଗତକାଲି ଅପରାହ୍ନର କାର୍ଯ୍ୟକ୍ରମ । ସାଂସଦ ଶ୍ରୀ ପ୍ରଧାନ ଦଳୀୟ କର୍ମୀ ଓ ସରକାରୀ ଅଧିକାରୀଙ୍କ ସହ ମୋଟରସାଇକେଲରେ ସମ୍ବଲପୁରର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଥିଲେ ।
ଭାରତ ସରକାରଙ୍କ ‘ଅମୃତ ଭାରତ ଷ୍ଟେସନ ଯୋଜନା’ ଅଧୀନରେ ଆସୁଥିବା ସମ୍ବଲପୁର ଜଙ୍କସନ୍, ହୀରାକୁଦ ଏବଂ ସମ୍ବଲପୁର ସିଟି ରେଳ ଷ୍ଟେସନ ପରିଦର୍ଶନ କରି ବିଭାଗୀୟ ଅଧିକାରୀଙ୍କ ସହିତ ଚାଲିଥିବା ପୁନଃ ନବୀକରଣ କାର୍ଯ୍ୟ ଅନୁଧ୍ୟାନ କରିଥିଲେ । ବାଇକରେ ବୁଲି ବୁଲି ସମ୍ବଲପୁରରେ କ୍ରିୟାନ୍ୱୟନ ହେଉଥିବା ବିଭିନ୍ନ ରୋଡ ପ୍ରକଳ୍ପ କାର୍ଯ୍ୟକୁ ମଧ୍ୟ ତଦାରଖ କରି ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ । ଜାତୀୟ ରାଜପଥ ପ୍ରାଧିକାରଣ ର ଅଧିକାରୀଙ୍କ ସହ ବିଭିନ୍ନ ଜାତୀୟ ରାଜପଥ ର ଉନ୍ନତିକରଣ, ମରାମତି ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ ।ସାମାଜିକ ଗଣମାଧ୍ୟମରେ ସାଂସଦଙ୍କ ଏସବୁ କାର୍ଯ୍ୟକ୍ରମର ଫୋଟୋ ଭିଡିଓ ଭାଇରାଲ ହେଲା ପରେ ସମ୍ବଲପୁରବାସୀଙ୍କ ଭିତରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଅଞ୍ଚଳବାସୀଙ୍କ ମନରେ ବିକାଶକୁ ନେଇ ନୂଆ ଆଶା ସଂଚାରିତ ହୋଇଛି ବୋଲି ବିଜେପି ରାଜ୍ୟ ପ୍ରବକ୍ତା ତଥା କ୍ଷେତ୍ରିୟ ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ବକ୍ସି କହିଛନ୍ତି ।


