ଭୁବନେଶ୍ୱର: ଓଡ଼ିଶାରୁ ଆକାଶମାର୍ଗରେ ସିଧାସଳଖ ବିଦେଶ ଯାତ୍ରା କରିବା ଆଶା ଏବେ ନିରାଶାରେ ପରିଣତ ହୋଇଛି, ଯାହା ରାଜ୍ୟର ବିମାନ ସେବା କ୍ଷେତ୍ରରେ ଏକ ବଡ଼ ଝଟକା ସାବ୍ୟସ୍ତ ହୋଇଛି। ରାଜ୍ୟର ମୁଖ୍ୟ ବିମାନ ବନ୍ଦର ଭାବେ ପରିଚିତ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ବର୍ତ୍ତମାନ ସମସ୍ତ ଅନ୍ତର୍ଜାତୀୟ ଉଡ଼ାଣ ସେବା ସମ୍ପୂର୍ଣ୍ଣ ବନ୍ଦ ରହିଛି। ବିଧାନସଭାରେ ବିଜେଡି ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କ ଦ୍ୱାରା ପଚରାଯାଇଥିବା ପ୍ରଶ୍ନର ଉତ୍ତର ଦେଇ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଏହି ଚିନ୍ତାଜନକ ସୂଚନା ଦେଇଛନ୍ତି।
ମନ୍ତ୍ରୀଙ୍କ ଦ୍ୱାରା ପ୍ରଦତ୍ତ ତଥ୍ୟ ଅନୁଯାୟୀ, କେବଳ ବିଦେଶୀ ଉଡ଼ାଣ ନୁହେଁ, ବରଂ ଘରୋଇ ବିମାନ ସେବାରେ ମଧ୍ୟ ବଡ଼ ଧରଣର ହ୍ରାସ ଦେଖିବାକୁ ମିଳିଛି। ୨୦୨୪ ମସିହାରେ ଭୁବନେଶ୍ୱରରୁ ୩୩ଟି ଘରୋଇ ସହରକୁ ବିମାନ ଚଳାଚଳ କରୁଥିବା ବେଳେ ୨୦୨୬ ସୁଦ୍ଧା ଏହି ସଂଖ୍ୟା କମି ମାତ୍ର ୧୯ଟିରେ ପହଞ୍ଚିଛି। ବିଶେଷ କରି ଇନ୍ଦୋର, ଡେରାଡୁନ୍, କୋଚି, ପୁଣେ ଏବଂ ଗୋଆ ଭଳି ଗୁରୁତ୍ୱପୂର୍ଣ୍ଣ ସହରଗୁଡ଼ିକୁ ବିମାନ ସେବା ବନ୍ଦ ହୋଇଯାଇଛି।
ସେହିପରି ଅନ୍ତର୍ଜାତୀୟ ରୁଟ୍ ଗୁଡ଼ିକରେ ପୂର୍ବରୁ ଚାଲୁଥିବା ଦୁବାଇ, ସିଙ୍ଗାପୁର, ଆବୁଧାବି ଏବଂ ବ୍ୟାଙ୍କକ ସିଧାସଳଖ ବିମାନ ସେବା ମଧ୍ୟ ବନ୍ଦ ହୋଇଯାଇଛି। ଦୁବାଇ ଓ ସିଙ୍ଗାପୁର ଭଳି ପ୍ରମୁଖ ରୁଟରେ ଯାତ୍ରୀଙ୍କ ସଂଖ୍ୟା ହ୍ରାସ ପାଇବା ଏବଂ ବାଣିଜ୍ୟିକ କ୍ଷତି ଯୋଗୁଁ ଏହି ସେବା ବନ୍ଦ ହୋଇଥିବା ରିପୋର୍ଟରୁ ଜଣାପଡ଼ିଛି। ଏପରିକି ଏହି ରୁଟଗୁଡ଼ିକୁ ସଚଳ ରଖିବା ପାଇଁ ରାଜ୍ୟ ସରକାର ଆର୍ଥିକ ସହାୟତା ବା ଭାୟାବିଲିଟି ଗ୍ୟାପ ଫଣ୍ଡିଂ ମଧ୍ୟ ପ୍ରଦାନ କରୁଥିଲେ, ତଥାପି ବିମାନ ସେବା ଜାରି ରହିପାରିନାହିଁ। ବିମାନ ସଂସ୍ଥାଗୁଡ଼ିକର ବ୍ୟବସାୟିକ ଲାଭ-କ୍ଷତି, ଯାତ୍ରୀଙ୍କ କମ୍ ଭର୍ତ୍ତି ହାର, ପରିଚାଳନାଗତ ସମସ୍ୟା ଏବଂ ଋତୁଭିତ୍ତିକ ଚାହିଦା ଭଳି ଅନେକ କାରଣ ଏହି ସେବା ବନ୍ଦ ହେବା ପଛରେ ରହିଛି।
ଇଣ୍ଡିଗୋ ପକ୍ଷରୁ ଭୁବନେଶ୍ୱରରୁ ବ୍ୟାଙ୍କକ ପାଇଁ ପୁଣି ଥରେ ସିଧାସଳଖ ବିମାନ ଚଳାଚଳ ଆରମ୍ଭ କରିବାକୁ ଯୋଜନା କରାଯାଉଛି। ମନ୍ତ୍ରୀଙ୍କ ସୂଚନା ମୁତାବକ, ୨୦୨୬ ଅକ୍ଟୋବର ୧ ତାରିଖରୁ ଏହି ସେବା ପୁନରାରମ୍ଭ ହେବାର ସମ୍ଭାବନା ରହିଛି। ବିମାନସେବାରେ ଏହିପରି ଅବନତି ଯୋଗୁଁ ଓଡ଼ିଶାର ପର୍ଯ୍ୟଟନ ଶିଳ୍ପ, ବ୍ୟବସାୟିକ କାରବାର, ବୈଦେଶିକ ନିବେଶ ଏବଂ ପ୍ରବାସୀ ଓଡ଼ିଆଙ୍କ ଆସିବା ଯିବାରେ ପ୍ରତିକୂଳ ପ୍ରଭାବ ପଡ଼ୁଥିବାରୁ ପର୍ଯ୍ୟଟନ ଓ ବିମାନ ଚଳାଚଳ କ୍ଷେତ୍ର ସହ ଜଡ଼ିତ ବିଶେଷଜ୍ଞମାନଙ୍କ ମଧ୍ୟରେ ଗଭୀର ଉଦବେଗ ପ୍ରକାଶ ପାଇଛି।


