ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସରକାର ଦୁଇ ଜଣ ବରିଷ୍ଠ ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି। ନିଲମ୍ବିତ ଅଧିକାରୀ ଦୁଇ ଜଣ ହେଲେ-ଚୌଦ୍ୱାର ମଣ୍ଡଳ କାରାଗାରର ଅଧୀକ୍ଷକ (ସୁପରିଣ୍ଟେଣ୍ଡେଣ୍ଟ) ସୁଜିତ ରାଉଳ ଏବଂ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗର ଅତିରିକ୍ତ ସଚିବ ଅରୁଣ ବିଶ୍ୱାଳ।
ସୂଚନାଯୋଗ୍ୟ ଯେ, ଚୌଦ୍ୱାର ମଣ୍ଡଳ କାରାଗାରରୁ ଦୁଇ ଜଣ ବିହାରୀ ବିଚାରାଧୀନ କଏଦୀ ଫେରାର ହେବା ମାମଲାରେ ଜେଲ ସୁପରିଣ୍ଟେଣ୍ଡେଣ୍ଟ ସୁଜିତ ରାଉଳ ନିଲମ୍ବିତ ହୋଇଛନ୍ତି। କାର୍ଯ୍ୟରେ ଅବହେଳା ଓ ଜାଲିଆତି ଅଭିଯୋଗରେ ସେ ପୋଲିସ ଦ୍ୱାରା ଗିରଫ ହୋଇ ବର୍ତ୍ତମାନ ଜେଲ୍ରେ ଅଛନ୍ତି। କଏଦୀ ଫେରାର ହେବା ଦିନ ସୁଜିତ ରାଉଳ ନିଜେ ଜେଲ୍ ଗେଟ୍ରେ ଉପସ୍ଥିତ ନଥିଲେ। ମାତ୍ର କାର୍ଯ୍ୟାନୁଷ୍ଠାନରୁ ବର୍ତ୍ତିବା ପାଇଁ ସେ ଗେଟ୍ ରେଜିଷ୍ଟର ଓ ସରକାରୀ ରେକର୍ଡରେ ନିଜକୁ ଉପସ୍ଥିତ ଦେଖାଇବାକୁ ଚେଷ୍ଟା କରିଥିଲେ। ଏପରିକି ସେ ତତ୍କାଳୀନ ଜେଲର୍ ସନ୍ତୋଷିନୀ ଦାଶଙ୍କ ଦସ୍ତଖତ ଜାଲିଆତି କରି ନକଲି ରିପୋର୍ଟ ପ୍ରସ୍ତୁତ କରିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ଜେଲର୍ ସନ୍ତୋଷିନୀ ଦାଶ ଚୌଦ୍ୱାର ଥାନାରେ ଏତଲା ଦେବା ପରେ ଗତ ୨୦ ତାରିଖରେ ସୁଜିତଙ୍କୁ ଗିରଫ କରାଯାଇଥିଲା।
ସେହିପରି ଅନ୍ୟ ଏକ ଘଟଣାରେ, ଜଣେ ମହିଳା ସହକର୍ମୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ବାଣିଜ୍ୟ ଓ ପରିବହନ ବିଭାଗର ଅତିରିକ୍ତ ସଚିବ ଅରୁଣ ବିଶ୍ୱାଳ ଗିରଫ ହୋଇଛନ୍ତି। ଗତ ୧୮ ତାରିଖ ରାତିରେ ସେ ଜଣେ ମହିଳା କର୍ମଚାରୀଙ୍କ ଘରେ ପଶି ଦୁର୍ବ୍ୟବହାର କରିଥିବା ନେଇ ସହିଦ ନଗର ଥାନାରେ ଅଭିଯୋଗ ହୋଇଥିଲା। ପୋଲିସ ପଚରାଉଚରା କରିବା ପରେ ତାଙ୍କୁ ଗିରଫ କରିଥିଲା। ଏହି ଦୁଇ ବରିଷ୍ଠ ଅଧିକାରୀ ଗିରଫ ହେବା ପରେ ସରକାର ତାଙ୍କ ବିରୋଧରେ ଏହି ଦୃଢ଼ ନିଲମ୍ବନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।


