ଭୁବନେଶ୍ୱର: ରାଜ୍ୟରେ ମହିଳା ଓ ଶିଶୁ କଲ୍ୟାଣ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ସହ ଆଗଧାଡ଼ିର କର୍ମୀଙ୍କ ଅତୁଳନୀୟ ଯୋଗଦାନକୁ ସ୍ୱୀକୃତି ଦେଇ ଅଙ୍ଗନବାଡ଼ି କର୍ମୀ ଓ ସହାୟିକାମାନଙ୍କ ଶାଢ଼ି ଭତ୍ତା ବୃଦ୍ଧି କରାଯାଇଛି। ଶାଢ଼ି ଭତ୍ତା ବାବଦକୁ ପୂର୍ବରୁ ମିଳୁଥିବା ୧୩୯୦ ଟଙ୍କାକୁ ବୃଦ୍ଧି କରାଯାଇ ୧୫୦୦ ଟଙ୍କା କରାଯାଇଛି। ଏହି ବର୍ଦ୍ଧିତ ଭତ୍ତା ମଧ୍ୟରୁ ଭାରତ ସରକାର ୬୦୦ ଟଙ୍କା ଏବଂ ଓଡ଼ିଶା ସରକାର ୯୦୦ ଟଙ୍କା ପ୍ରଦାନ କରିବେ। ସମୁଦାୟ ୨୨.୩୦ କୋଟି ଟଙ୍କାର ବ୍ୟୟବରାଦରେ ରାଜ୍ୟର ପ୍ରାୟ ୧.୪୮ ଲକ୍ଷ ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ସିଧାସଳଖ ଉପକୃତ ହେବେ। ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଶନିବାର “ଅଙ୍ଗନ୍ କା ଉତ୍ସବ” ଅଭିଯାନର ଆଭାସୀ ମାଧ୍ୟମରେ ଉଦ୍ଘାଟନ କରିବା ଅବସରରେ ଏହି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି।
ରାଜ୍ୟରେ ଶିଶୁ, ମହିଳା ଓ କିଶୋରୀମାନଙ୍କ ପୋଷଣ ଏବଂ ସ୍ୱାସ୍ଥ୍ୟ ସଚେତନତାକୁ ବ୍ୟାପକ କରିବା ଲକ୍ଷ୍ୟରେ ମହିଳା ଓ ଶିଶୁ ବିକାଶ ବିଭାଗ ତରଫରୁ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା “ଅଙ୍ଗନ୍ କା ଉତ୍ସବ” ଅଭିଯାନର ଶୁଭାରମ୍ଭ କରିଛନ୍ତି। ଏଥିସହ ରାଜ୍ୟର ପୋଷଣ, ସ୍ୱାସ୍ଥ୍ୟ ଓ ପ୍ରାକ୍-ବିଦ୍ୟାଳୟ ଶିକ୍ଷା ସେବାର ମୁଖ୍ୟ ପୁରୋଧା ସାଜିଥିବା ଅଙ୍ଗନବାଡ଼ି କର୍ମୀଙ୍କ ପ୍ରଶାସନିକ କାର୍ଯ୍ୟଭାର କମାଇବା ପାଇଁ ଉପ-ମୁଖ୍ୟମନ୍ତ୍ରୀ “ଦୀପ୍ତି” ପୋର୍ଟାଲର ଶୁଭାରମ୍ଭ କରିଛନ୍ତି। ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ବିଦ୍ୟୁତ୍ ବିତରଣ କମ୍ପାନୀର ମିଳିତ ସହଯୋଗରେ ବିକଶିତ ଏହି ଡିଜିଟାଲ୍ ମଞ୍ଚ ମାଧ୍ୟମରେ ବିଜୁଳି ବିଲ୍ ଯାଞ୍ଚ, ପରିଶୋଧ ଓ ଅନୁଧ୍ୟାନ ସିଧାସଳଖ ସମ୍ପାଦିତ ହେବ।
ଏହି ଦିଗରେ ମହିଳା ଓ ଶିଶୁ ବିକାଶ ବିଭାଗ ଓଡ଼ିଶାରେ ପ୍ରଥମ ବିଭାଗ ହୋଇଥିବାରୁ ଏଥିରେ ସଂଶ୍ଳିଷ୍ଟ ଅଧିକାରୀମାନଙ୍କୁ ଉପ-ମୁଖ୍ୟମନ୍ତ୍ରୀ ସାଧୁବାଦ୍ ଜଣାଇଛନ୍ତି। ଏହାଦ୍ୱାରା ଅଙ୍ଗନବାଡ଼ି କର୍ମୀମାନେ ବିଜୁଳି ବିଲ୍ ଦେବାର ଆର୍ଥିକ ଦାୟିତ୍ୱରୁ ମୁକ୍ତ ହେବା ସହ କେନ୍ଦ୍ରଗୁଡ଼ିକରେ ଅବିରତ ବିଦ୍ୟୁତ୍ ଯୋଗାଣ ସୁନିଶ୍ଚିତ ହୋଇପାରିବ। ଏହି ପଦକ୍ଷେପ ଅଙ୍ଗନବାଡ଼ି କର୍ମୀଙ୍କ ବହୁମୂଲ୍ୟ ସମୟ ବଞ୍ଚାଇବ, ଯାହାକୁ ସେମାନେ ଶିଶୁ ଓ ମା’ମାନଙ୍କର ସେବାରେ ସମ୍ପୂର୍ଣ୍ଣ ନିୟୋଜିତ କରିପାରିବେ ବୋଲି ଉପ-ମୁଖ୍ୟମନ୍ତ୍ରୀ ମତ ପ୍ରକାଶ କରିଛନ୍ତି। ଏହି ଅବସରରେ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ପ୍ରକାଶ କରିଛନ୍ତି ଯେ, ତୃଣମୂଳ ସ୍ତରରେ ପୋଷଣ ଏବଂ ଶିଶୁ ବିକାଶ ସେବା ଯୋଗାଇବାରେ ଅଙ୍ଗନବାଡ଼ି କର୍ମୀ ଓ ସହାୟିକାମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏଥିସହ ଶିଶୁ ଓ ମାତୃ କଲ୍ୟାଣକାରୀ ଯୋଜନାଗୁଡ଼ିକରେ ସମ୍ପ୍ରଦାୟର ସହଭାଗିତାକୁ ଅଧିକ ସୁଦୃଢ଼ କରିବା ପାଇଁ ଏହି ଅଭିଯାନକୁ ଏକ ଅର୍ଥପୂର୍ଣ୍ଣ ମାଧ୍ୟମ କରିବାକୁ ସେ ଆହ୍ୱାନ ଦେଇଛନ୍ତି।


