ଭୁବନେଶ୍ୱର: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ‘ସେବା ସଂକଳ୍ପ ଅଭିଯାନ’ କାର୍ଯ୍ୟକ୍ରମ ଉଦ୍ଯାପିତ ହୋଇଯାଇଛି। ୟୁନିଟ୍-୧ ସ୍ଥିତ ସରକାରୀ ହାଇସ୍କୁଲରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗଦେଇ ‘ସେବା ସଂକଳ୍ପ ଅଭିଯାନ’ରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅଂଶଗ୍ରହଣ ଏବଂ ସଫଳତାକୁ ଭୂୟସୀ ପ୍ରଶଂସା କରିଛନ୍ତି। ସମ୍ମାନିତ ଅତିଥି ଭାବେ ଭୁବନେଶ୍ୱର ଏକାମ୍ର ବିଧାୟକ ବାବୁ ସିଂହ, ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ୱାର୍ଡ ନମ୍ବର ୪୦ର କର୍ପୋରେଟର ଆସିଦ୍ଧା ବେଗମ୍, ବିଭାଗୀୟ ଆୟୁକ୍ତ ତଥା ଶାସନ ସଚିବ ଡକ୍ଟର ଏନ୍. ତିରୁମଳୁନ୍ନାୟକ, ସ୍ୱତନ୍ତ୍ର ଶାସନ ସଚିବ ଦୁର୍ଗା ପ୍ରସାଦ ମହାପାତ୍ର, ଇସେପର ଭାରତପ୍ରାପ୍ତ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ସ୍ମିତା ବେହେରା ପ୍ରମୁଖ ଉପସ୍ଥିତ ଥିଲେ।
ରାଜ୍ୟ ସରକାର ‘ସେବା ସଂକଳ୍ପ ଅଭିଯାନ’ ଜରିଆରେ ଅନେକ ସେବାମୂଳକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ସ୍ୱଚ୍ଛତା, ସେବା ଓ ସଂକଳ୍ପକୁ ପାଥେୟ କରି ରାଜ୍ୟରେ ବିଭିନ୍ନ କାର୍ଯ୍ୟ କରାଯାଉଛି। ଏହି କ୍ରମରେ ୪୮ ହଜାରରୁ ଅଧିକ ବିଦ୍ୟାଳୟରେ ‘ସେବା ସଂକଳ୍ପ ଅଭିଯାନ’ ଅବସରରେ “ମୋ ସ୍ୱପ୍ନର ଭାରତ” ବିଷୟବସ୍ତୁକୁ ନେଇ ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଏଥିରେ ୧୦ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ। ଛାତ୍ରଛାତ୍ରୀ ତୂଳୀ ଓ କାଗଜ ମାଧ୍ୟମରେ ନିଜ ନିଜ ସ୍ୱପ୍ନର ଭାରତକୁ ଆଙ୍କିଥିଲେ। ବିକଶିତ ଭାରତ ଗଠନରେ ନିଜର ପରିକଳ୍ପନାକୁ ଚିତ୍ରାଙ୍କନ ମାଧ୍ୟମରେ ଛାତ୍ରଛାତ୍ରୀ ଜୀବନ୍ତ କରିପାରିଛନ୍ତି ବୋଲି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମତ ବ୍ୟକ୍ତ କରିଛନ୍ତି।
ସେହିପରି ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଧାୟକ ବାବୁ ସିଂହ କହିଛନ୍ତି, ପୂର୍ବସୂରୀମାନଙ୍କ ନୀତି ଓ ଆଦର୍ଶକୁ ବିକଶିତ ଓଡ଼ିଶା ଗଠନରେ ବ୍ୟବହାର କରିବାର ଆବଶ୍ୟକତା ରହିଛି। ଛାତ୍ରଛାତ୍ରୀଙ୍କ ଅବଦାନରେ ପ୍ରତି କ୍ଷେତ୍ରରେ ରାଜ୍ୟ ବିକାଶ লাভ କରିବ ଏବଂ ଦେଶର ସର୍ବୋଚ୍ଚ ରାଜ୍ୟ ଭିତରେ ଓଡ଼ିଶା ରହିବ ବୋଲି ସେ ମତପ୍ରକାଶ କରିଛନ୍ତି। ସେହିପରି ବିଧାୟକ ଅନନ୍ତ ଜେନା ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ବିଭାଗର ପ୍ରୟାସକୁ ପ୍ରଶଂସା କରିଛନ୍ତି।
ଏହି ଅବସରରେ ବିଭାଗର ଆୟୁକ୍ତ ତଥା ଶାସନ ସଚିବ ସ୍ୱାଗତ ଅଭିଭାଷଣ ରଖିବା ସହ ‘ସେବା ସଂକଳ୍ପ ଅଭିଯାନ’ କାର୍ଯ୍ୟକ୍ରମରେ ବିଭାଗର ସଫଳତାକୁ ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି, ରାଜ୍ୟର ୩୦ ଗୋଟି ଜିଲ୍ଲାର ସମସ୍ତ ବିଦ୍ୟାଳୟରେ ମୋଟ ୧୨ ଲକ୍ଷ ୫୦ ହଜାର ଛାତ୍ରଛାତ୍ରୀ, ଅଭିଭାବକ, ସମୁଦାୟ, ଶିକ୍ଷକଶିକ୍ଷୟତ୍ରୀ ଅଂଶଗ୍ରହଣ କରିଥିଲେ। ‘ସେବା ସଂକଳ୍ପ ଅଭିଯାନ’କୁ ନେଇ ପ୍ରଥମେ ବିଦ୍ୟାଳୟସ୍ତରୀୟ, ପରେ ପରେ ବ୍ଲକ, ଜିଲ୍ଲା ଓ ରାଜ୍ୟସ୍ତରରେ ଚିତ୍ରାଙ୍କନ ଓ ବକ୍ତୃତା ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଏଥିସହିତ ଛାତ୍ରଛାତ୍ରୀଙ୍କ ଚିତ୍ରାଙ୍କନକୁ ନେଇ ପ୍ରଦର୍ଶନୀ ମଧ୍ୟ ଆୟୋଜିତ ହୋଇଥିବା ନେଇ ବିଭାଗୀୟ ସଚିବ ସୂଚନା ଦେଇଛନ୍ତି। ଏଥିସହିତ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଆଜି ୧୮୦ ଜଣ କୃତୀ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ସେମାନଙ୍କ ମଧ୍ୟରୁ ତିନୋଟି ବିଭାଗରେ ଉଭୟ ଚିତ୍ରାଙ୍କନ ଓ ବକ୍ତୃତା ପ୍ରତିଯୋଗିତାର ଶ୍ରେଷ୍ଠ ୧୮ ଜଣଙ୍କୁ ପୁରସ୍କୃତ କରାଯାଇଛି।


