ଭୁବନେଶ୍ବର: ରାତି ଅଧରେ ଘରେ ପଶି ସ୍ୱାମୀ ଓ ସ୍ତ୍ରୀଙ୍କୁ ହାଣିଲେ ପଡ଼ୋଶୀ। ଆକ୍ରମଣ ପରେ ଘଟଣାସ୍ଥଳରେ ଦମ୍ପତିଙ୍କ ମୃତ୍ୟୁ ହେବା ସହିତ ୧୨ ବର୍ଷୀୟ ପୁଅ ଗୁରୁତର ଭାବେ ଆହତ ହୋଇଥିବା ଜଣାଯାଇଛି। ମାଲକାନଗିରି ଜିଲ୍ଲା ଓର୍କେଲ ଥାନା ଅନ୍ତର୍ଗତ ଏମଭି-୩୬ ଗ୍ରାମରେ ଘଟିଛି ଏଭଳି ଏକ ହୃଦୟବିଦାରକ ଘଟଣା। ମୃତକ ହେଲେ ରମେନ୍ଦ୍ରନାଥ ସରକାର ଓ ତାଙ୍କ ପତ୍ନୀ ରେବା ସରକାର। ଆହତ ପୁଅ ହେଉଛନ୍ତି ନ୍ଦୀପ ସରକାର।ଏହି ଘଟଣାରେ ପଡ଼ୋଶୀ ଅଭିଯୁକ୍ତ ବିଶଙ୍କର ମଣ୍ଡଳଙ୍କୁ ପୁଲିସ ଗିରଫ କରିଛି ।
ରବିବାର ଭୋର ପ୍ରାୟ ୨ଟା ସମୟରେ ଅଭିଯୁକ୍ତ ବିଶଙ୍କର ମଣ୍ଡଳ ମୃତକଙ୍କ ଘର ଝରକା ଭାଙ୍ଗି ଭିତରକୁ ପ୍ରବେଶ କରିବା ସହ ଘରେ ଶୋଇଥିବା ରମେନ୍ଦ୍ରନାଥ ସରକାରଙ୍କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ରମେନ୍ଦ୍ରନାଥଙ୍କ ଚିତ୍କାର ଶୁଣି ତାଙ୍କ ପତ୍ନୀ ରେବା ସରକାର ଓ ପୁଅ ସନ୍ଦୀପ ସରକାର ଘଟଣାସ୍ଥଳକୁ ଆସି ପ୍ରତିବାଦ କରିବାରୁ ଅଭିଯୁକ୍ତ ସେମାନଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। ଆକ୍ରମଣରେ ରମେନ୍ଦ୍ରନାଥ ସରକାର ଓ ତାଙ୍କ ପତ୍ନୀ ରେବା ସରକାରଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ପୁଅ ସନ୍ଦୀପ ମଧ୍ୟ ବାପା ମାଙ୍କୁ ବଞ୍ଚାଇବାକୁ ଯାଇ ଗୁରୁତର ଭାବେ ଆହତ ହୋଇଛନ୍ତି। ତାଙ୍କୁ ଉଦ୍ଧାର କରି ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ଅନ୍ୟପକ୍ଷରେ ଅଭିଯୁକ୍ତ ବିଶଙ୍କର ମଣ୍ଡଳ ମୃତକଙ୍କ ଘର ସମ୍ମୁଖରେ ରହୁଥିବା ପଡ଼ୋଶୀ ବୋଲି ଜଣାପଡ଼ିଛି। ଘରୋଇ କଳହକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ସୂଚନା ମିଳିଥିଲେ ମଧ୍ୟ ହତ୍ୟାର ପ୍ରକୃତ କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ । ଘଟଣା ସମ୍ପର୍କରେ ଖବର ପାଇ ଓର୍କେଲ ଥାନା ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ଅଭିଯୁକ୍ତ ଫେରାର ହେବାକୁ ଉଦ୍ୟମ କରୁଥିବା ସମୟରେ ପୁାଲିସ ତାଙ୍କୁ କାବୁ କରି ଗିରଫ କରିଥିବା ଓର୍କେଲ ଥାନା ଅଧିକାରୀ ରିଗାନ କିଣ୍ଡୋ ସୂଚନା ଦେଇଛନ୍ତି । ଏହି ଘଟଣାର ଅଧିକ ତଦନ୍ତ ପାଇଁ କୋରାପୁଟରୁ ଏକ ସାଇଣ୍ଟିଫିକ୍ ଟିମ୍ ଆସି ଘଟଣାସ୍ଥଳରେ ଛାନଭିନ୍ କରିବ ବୋଲି ଜଣାପଡ଼ିଛି। ପୁଲିସର ବିସ୍ତୃତ ତଦନ୍ତ ପରେ ଏହି ଜଘନ୍ୟ ହତ୍ୟାକାଣ୍ଡ ପଛର ପ୍ରକୃତ କାରଣ ସ୍ପଷ୍ଟ ହେବ।


