ଯାଜପୁର: ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ନଳିପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ରାତିରେ ହୋଇଥିବା ଏକ ଆକସ୍ମିକ ଅଗ୍ନିକାଣ୍ଡରେ ଗୋଟିଏ ପରିବାରର ୪ ଜଣ ସଦସ୍ୟ ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ଜଣେ ଯୁବକ ଗୁରୁତର ଭାବେ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୨ ଜଣ ମହିଳା ଓ ୨ ଜଣ ଶିଶୁ ରହିଛନ୍ତି।
ସୂଚନା ମୁତାବକ ନଳିପୁର ଗ୍ରାମର ସେକ୍ ନିଜାମ ଉଦ୍ଦିନଙ୍କ ଆଜବେଷ୍ଟ ଘରେ ରାତି ୮ ସମୟରେ କୌଣସି କାରଣରୁ ଆକସ୍ମିକ ଅଗ୍ନିକାଣ୍ଡ ଘଟିଥିଲା। ଏହି ଅଗ୍ନିକାଣ୍ଡରେ ନିଜାମ ଉଦ୍ଦିନଙ୍କ ଆଜବେଷ୍ଟ ଘର ସମ୍ପୂର୍ଣ୍ଣ ପୋଡ଼ି ଯାଇଥିବା ବେଳେ ତାଙ୍କ ବଡ଼ବୋହୂ ଏବଂ ଶାଶୁଘରୁ ଆସିଥିବା ତାଙ୍କ ଝିଅ ଓ ତାଙ୍କର ୧୦ ବର୍ଷର ନାତୁଣୀ ଓ ୮ ମାସର ନାତି ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। ତେବେ ଅନ୍ୟ ଜଣେ ଯୁବକ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ଚିକିତ୍ସା ପାଇଁ ବଡ଼ଚଣା ମେଡ଼ିକାଲକୁ ପଠା ଯାଇଛି। ଖବର ପାଇ ଚଣ୍ଡିଖୋଲ ଦମକଳ ବାହିନୀ ଓ ବାଲିଚନ୍ଦ୍ରପୁର ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ନିଅଁକୁ ଆୟତ୍ତ କରିଥିଲା। ଏହି ଦୁଃଖଦ ଘଟଣାରେ ସମ୍ପୃକ୍ତ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।


