ରାୟଗଡ଼ା: ବହୁଚର୍ଚ୍ଚିତ ଆଦିବାସୀ ନେତା ଭାଗୀରଥି ମାଣ୍ଡାଙ୍ଗୀ ହତ୍ୟା ମାମଲାରେ ପୂର୍ବତନ ରାଜ୍ୟସଭା ସାଂସଦ ଏନ୍. ଭାସ୍କର ରାଓଙ୍କୁ ବଡ଼ ଝଟକା ଲାଗିଛି। ରାୟଗଡ଼ା ଜିଲ୍ଲା ଦୌରାଜଜ୍ଙ୍କ ଅଦାଲତ ତାଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଥିବା ବେଳେ, ନିର୍ଦ୍ଧାରିତ ସମୟରେ ଆତ୍ମସମର୍ପଣ କରିନଥିବାରୁ ଅନ୍ୟ ଜଣେ ଅଭିଯୁକ୍ତ ଏନ୍. ଆଦିନାରାୟଣଙ୍କ ବିରୋଧରେ ଏନ୍ବିଡବ୍ଲ୍ୟୁ ଜାରି ହୋଇଛି। ଏହି ରାୟ ପରେ ଭାସ୍କର ରାଓ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି ତାଙ୍କ ଓକିଲ ସୂଚନା ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଭାସ୍କର ରାଓଙ୍କ ସମେତ ମାମଲାର ୪ ଅଭିଯୁକ୍ତ ଚଳିତ ମାସ ୯ ତାରିଖରେ ରାୟଗଡ଼ା ଏସ୍ଡିଜେଏମ୍ କୋର୍ଟରେ ଆତ୍ମସମର୍ପଣ କରିଥିଲେ। ଅନ୍ୟ ଅଭିଯୁକ୍ତମାନେ ହେଲେ କେ. କ୍ରିଷ୍ଣା ରାଓ, ଇପିଲି ରାଜୁ ଓ ପି. ଦିଲ୍ଲୀପ କୁମାର। ସେଠାରେ ଜାମିନ ଆବେଦନ ଖାରଜ ହେବା ପରେ ସମସ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିଲା।
ପ୍ରକାଶ ଯେ ୨୦୧୦ ମସିହାରେ ଭାଗୀରଥି ମାଣ୍ଡାଙ୍ଗୀଙ୍କୁ ଅପହରଣ ପରେ ହତ୍ୟା କରାଯାଇଥିବା ନେଇ ମାମଲା ରୁଜୁ ହୋଇଥିଲା। ମୃତକଙ୍କ ପରିବାର ପକ୍ଷରୁ ଏହି ଘଟଣାରେ ୬ ଜଣଙ୍କ ସମ୍ପୃକ୍ତି ନେଇ ଅଭିଯୋଗ ହୋଇଥିଲା। ମାମଲାରେ ଜାରି ହୋଇଥିବା ଜାମିନବିହୀନ ଗିରଫ ପରୱାନାକୁ ଚ୍ୟାଲେଞ୍ଜ କରି ଭାସ୍କର ରାଓ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟଙ୍କ ଅଗ୍ରୀମ ଜାମିନ ଆଦେଶକୁ ମୃତକଙ୍କ ଭାଇ ଜଗନ୍ନାଥ ମାଣ୍ଡାଙ୍ଗୀ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ପରେ ସୁପ୍ରିମକୋର୍ଟ ହାଇକୋର୍ଟଙ୍କ ଉକ୍ତ ଆଦେଶକୁ ଖାରଜ କରି ଅଭିଯୁକ୍ତମାନଙ୍କୁ ଦୁଇ ସପ୍ତାହ ମଧ୍ୟରେ ସମ୍ପୃକ୍ତ ଏସ୍ଡିଜେଏମ୍ କୋର୍ଟରେ ହାଜର ହୋଇ ଆତ୍ମସମର୍ପଣ କରିବାକୁ କହିଥିଲେ। ଅନ୍ୟପକ୍ଷରେ ମାମଲାର ଅନ୍ୟତମ ଅଭିଯୁକ୍ତ ଏନ୍. ଆଦିନାରାୟଣ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିବା ସମୟ ପରିଧି ମଧ୍ୟରେ ଆତ୍ମସମର୍ପଣ କରିନଥିବାରୁ ତାଙ୍କ ବିରୋଧରେ ରାୟଗଡା ଏସଡିଜେଏମ୍ ଜାମିନ ବିହୀନ ପରୱାନା(ଏନ୍ବିଡବ୍ଲ୍ୟୁ) ଜାରି କରିଛନ୍ତି।


