ପାରଳାଖେମୁଣ୍ଡି: ବହୁଚର୍ଚ୍ଚିତ ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଅଭିଯୁକ୍ତ ତଥା ତାଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କ ଜାମିନ ଆବେଦନ ଉପରେ ପାରଳାଖେମୁଣ୍ଡି ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ (ଏଡିଜେ) କୋର୍ଟରେ ଶୁଣାଣି ଶେଷ ହୋଇଛି। ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ କୋର୍ଟ ରାୟକୁ ସଂରକ୍ଷିତ ରଖିଥିବାବେଳେ ଆଜି ଏହା ପ୍ରକାଶ ପାଇବାର ସମ୍ଭାବନା ରହିଛି। ପ୍ରକାଶ ଯେ, ହାଇକୋର୍ଟ ଅକ୍ଟୋବର ୩୧ରେ ତାଙ୍କର ଆଗୁଆ ଜାମିନ ଆବେଦନ ଖାରଜ କରିବା ପରେ ବିଦ୍ୟାଭାରତୀ ନଭେମ୍ବର ୨ ତାରିଖରେ ପାରଳାଖେମୁଣ୍ଡି ଏସ୍ଡିଜେଏମ୍ କୋର୍ଟରେ ଆତ୍ମସମର୍ପଣ କରିଥିଲେ। ସେଠାରେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତ (ଜେଲ୍)କୁ ପଠାଇ ଦିଆଯାଇଥିଲା। ତେବେ ବିଦ୍ୟାଭାରତୀଙ୍କ ସହ ସହଅଭିଯୁକ୍ତ ଥିବା (ତତ୍କାଳୀନ ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା ଏବଂ ରୋଷେୟା ମନ୍ମଥ କୁମ୍ଭ)ଙ୍କ ବିଚାର ପ୍ରକ୍ରିୟା ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ କୋର୍ଟରେ ଚାଲିଥିବାରୁ ବିଦ୍ୟାଭାରତୀଙ୍କ ପକ୍ଷରୁ ଏହି କୋର୍ଟରେ ଜାମିନ ପାଇଁ ଆବେଦନ କରାଯାଇଥିଲା। ତେବେ ଆଜି କୋର୍ଟଙ୍କ ରାୟ ପରେ ବିଦ୍ୟାଭାରତୀ ଜେଲରେ ରହିବେ ନା ତାଙ୍କୁ ଜାମିନ ମିଳିବ, ତାହା ସ୍ପଷ୍ଟ ହେବ।


