କେଦାର ମିଶ୍ର
ଯେଉଁ ବ୍ୟକ୍ତି ସବୁଠୁ ଦୁଃଖଦ ପରିସ୍ଥିତିରେ ବି ହସି ପାରିବାର ସାହସ ରଖିଥାଏ, ସେ ଲୋକ ସହଜରେ ସବୁଠୁ ବଡ ବିପଦକୁ ଅତିକ୍ରମ କରିପାରେ। ଯେତେବେଳେ ଓଡିଶା କଥା ଉଠେ, ସେତେବେଳେ ଆମକୁ ଗୋଟିଏ କଥା ସ୍ଵୀକାର କରିବାକୁ ପଡିବ ଯେ, ଏ ରାଜ୍ୟ ଶହ ଶହ ବନ୍ୟା, ବାତ୍ୟା, ମରୁଡି ଓ ମହାମାରୀକୁ ସାମ୍ନା କରି ବଡ ସହଜରେ ଅଣ୍ଟା ସଳଖେଇ ଠିଆ ହୋଇଛି। ପ୍ରତ୍ୟେକ ମହା ବିପତ୍ତି ଆଗରେ ନିଜକୁ ଠିଆ କରେଇବା ବେଳେ ଏ ଜାତି ହସିଛି ଓ ବିପତ୍ତି କୁ ନେଇ ଗୀତ ଗାଈ ପାରିଛି। “ମାଳିକା” ବୋଲି ଓଡିଶାରେ ଯେଉଁ ପ୍ରସିଦ୍ଧ ଗୀତ ସବୁ ରହିଛି, ତାହା ପ୍ରାକୃତିକ ବିପର୍ଯୟର କଳାତ୍ମକ ପ୍ରତିଫଳନ। କେହି କେହି ସେଥିରେ ଭୟ ଓ ଅତି ରଞ୍ଜନା ଦେଖିଥାନ୍ତି। ହେଲେ ମାଳିକାର ଅସଲ ତତ୍ତ୍ଵ ଟି ହେଉଛି, ପ୍ରକୃତିର ରହସ୍ୟମୟ ତାଡନା ଆଗରେ ମଣିଷ ବଞ୍ଚିଛି ଓ ବଞ୍ଚିବ। ତେଣୁ ଓଡିଶାରେ ଯେବେବି ବାତ୍ୟା ଆସେ ଲୋକେ ଅଚ୍ୟୁତାନନ୍ଦ, ହାଡି ଦାସ, ଭୀମ ଭୋଇ ପ୍ରମୁଖଙ୍କୁ ମନେ ପକାନ୍ତି। ଘୁ ଘୁ ବାତ୍ୟାର ପବନରେ ଡାକିନୀ ଓ ଯୋଗିନୀମାନଙ୍କର ସ୍ଵର ଶୁଣି ପାରନ୍ତି। ତାରି ଭିତରେ ସମାଜ ଓ ରାଜନୀତିର ଗୁମର ମଧ୍ୟ ବୁଝି ଯାଆନ୍ତି।
ଆଜି ପୁଣି ଏକ ବାତ୍ୟା ବେଳେ, ଆମେ ସେଇ ପୁରୁଣା କଥାକୁ ନୂଆ ବାଗରେ ଟିକେ ଚିହ୍ନିବା ଆସନ୍ତୁ। ବାତ୍ୟା ଆସିଲେ ପବନ ଆସିବ। ପବନ ଆସିଲେ ପତାକା ଛିଣ୍ଡିବ। ସ୍ଵାଭାବିକ। ପୁରୀ ସମୁଦ୍ରକୁ ଲାଗି ସଗର୍ବେ ଛିଡା ହୋଇଥିବା ୨୧୪ ଫୁଟ ଉଚ୍ଚତା ବିଶିଷ୍ଟ ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରର ଲାଗିଥିବା ନୀଳଚକ୍ର ଉପରୁ ବାତ୍ୟାର ପବନରେ ଯଦି ପତିତପାବନ ପତାକା ଉଡିଯାଏ, ତାକୁ ନେଇ ଆମେ ଓଡିଆମାନେ ଡଋ ମରିବା କି? ମହୋଦଧିରେ କେତେ ବାତ୍ୟା ଆସିଛି ଓ ଯାଇଛି, ହେଲେ ଶ୍ରୀ ଜଗନ୍ନାଥ ମନ୍ଦିର ଠିଆ ହୋଇଛି ଯେମିତି କି ସେମିତି। ଆମ ଓଡିଆଙ୍କର ଦମ୍ଭ ବି ସେମିତି। ଯେଉଁମାନେ ବାନା ଉଡିଯିବାକୁ ନେଇ ଏତେ ଚିନ୍ତିତ, ସେମାନେ ନା ଆଧ୍ୟାତ୍ମ୍ୟ ରେ ବିଶ୍ଵାସୀ, ନା ସେମାନେ ଓଡିଶାର ଦାମ୍ଭିକ ଇତିହାସ ବିଷୟରେ ଅବଗତ।
ସବୁଠୁ ମଜାଲାଗେ, ପ୍ରାକୃତିକ ବିପର୍ୟୟ ସମୟର ରାଜନୀତି। ଯେମିତି ବାତ୍ୟା “ଫୋନି” ଆସୁଛି ବୋଲି ଖବର ମିଳିଲା, ଲୋକେ ନିଜର କଲ୍ପନା ଶକ୍ତିକୁ ପ୍ରଖର କରିବାଲାଗି ଏକ ଉପାୟ ପାଇଗଲେ। ଜଣେ ରାଜନେତା ଲେଖିଲେ, ୧୯୯୯ ମହାବାତ୍ୟା ପରେ ଓଡିଶାର ସରକାର ବଦଳିଥିଲା, ଏବେ ୨୦୧୯ର “ଫୋନି” ବାତ୍ୟା ସରକାର ବଦଳାଇବାର ସୂଚନା ନେଇ ଆସିଛି। ଏହାକୁ ଆମେ କଣ ବୋଲି କହିବା? ୨୦୧୩ ମସିହା ଅକ୍ଟୋବର ମାସରେ ଫାଇଲିନ ବାତ୍ୟା ଆସିଥିଲା। ତାର ୬ ମାସ ପରେ ଏପ୍ରିଲ ୨୦୧୪ ରେ ଯେଉଁ ନିର୍ବାଚନ ହେଲା, ସେଥିରେ କାଇଁ ସରକାର ବଦଳିନଥିଲା ତ ! ସରକାର ଯଦି ବଦଳିଥିବ, ସେ ଲୋକଙ୍କ ଭୋଟ ଯୋଗୁଁ। ଲୋକ ଏପ୍ରିଲ ୨୯ ତାରିଖରେ ଶେଷ ଭୋଟ ଦେଲାବେଳକୁ ବାତ୍ୟା ର ନାଁ ଗନ୍ଧ ନଥିଲା। ଏବେ ହଠାତ ବାତ୍ୟା ସହିତ ନବୀନ ସରକାର ର ଭାଗ୍ୟ ଯୋଡିହେଲା କେମିତି ଓ କାହିଁକି?
ତେବେ ଏହାର ଭିନ୍ନ ଉତ୍ତର ମଧ୍ୟ ଅଛନ୍ତି। ଯେଉଁମାନେ ନବୀନ ବାବୁଙ୍କ ସମର୍ଥକ ସେମାନେ କହୁଛନ୍ତି, ଦେଖ, ନବୀନ ବାବୁଟି କି କପାଳିଆ। ନିର୍ବାଚନ ଆଗରୁ ଯଦି ଏ ବାତ୍ୟା ଆସିଥାନ୍ତା, ତାକୁ ନେଇ ବିରୋଧୀ ନବୀନଙ୍କୁ ଭାରି ହଲାପଟା କରିଥାନ୍ତେ। ଏବେ ନିର୍ବାଚନ ସରି ଯାଇଛି। ଜିରୋ କାଜୁଆଲ୍ଟି ର ଲକ୍ଷ୍ୟ ନେଇ ସରକାର କାମ କରୁଛନ୍ତି। ସେଥିରେ ସରକାର ଲାଗି ସମର୍ଥନ ବଢିବା ଥୟ।
ସମର୍ଥକ ହୁଅନ୍ତୁ ବା ବିରୋଧୀ, ସେମାନଙ୍କୁ ଆମର କହିବା କଥା ହେଲା, ବାବୁ! ଏ ବାତ୍ୟାର ବୈଜ୍ଞାନିକ କାରଣ ଅଛି। ତମ ପୁରାଣ କି ଜ୍ୟୋତିଷ ଏଥିରେ କାମ ଦେବନାଇଁ। ସରକାରର ଭାଗ୍ୟ ଇଭିଏମ ମେସିନ ଭିତରେ ଅଛି, ତାକୁ ବାତ୍ୟା ଭିତରେ ଖୋଜିଲେ ହତାଶ ହେବା ଇ ସାରକଥା।
ବାତ୍ୟାକୁ ନେଇ ରାଜନୀତିର ଅତି କଳ୍ପନା ବ୍ୟାପକ ହୋଇ ଯାଉଛି କାରଣ ଏ ବାତ୍ୟାର ଆଖି ପୁରୀ ଉପରେ ପଡିଛି। ପୁରୀ ମାନେ ଆମ ଭାବ ଓ କଳ୍ପନାର ପ୍ରାଣକେନ୍ଦ୍ର। ସେଥିଲାଗି ଅନ୍ୟ ବାତ୍ୟା ତୁଳନାରେ ଏହାକୁ ନେଇ କଳ୍ପନା ଓ ଗାଲୁଗପ ବହୁତ ବେଶୀ। ସବୁଠୁ ମଜାକଥା ହେଉଛି, ଅନେକ ପ୍ରତିଷ୍ଠିତ ଗଣମାଧ୍ୟମ ଲେଖୁଛନ୍ତି, ୧୯୯୯ ମହାବାତ୍ୟା ପରେ ଏହା ଓଡିଶା ଭୂଖଣ୍ଡକୁ ସ୍ପର୍ଶ କରୁଛି। ସେମାନଙ୍କର ମନେ ନାଇଁ ଯେ ୨୦୧୩ ମସିହାର ଫାଇଲିନ ଗୋପାଳପୁର ଠାରେ ଭୂଖଣ୍ଡକୁ ପ୍ରବେଶ କରିଥିଲା। ଏ ପ୍ରକାର ବିଚିତ୍ର ଅପତଥ୍ୟ ପରିବେଷଣ କରି ଆମେ ନିଜେ ଉପହାସର ପାତ୍ର ହୋଇ ଯାଉଛୁ ବୋଲି ବୁଝି ପାରୁଛୁ ତ!
ଆଉ ଗୋଟେ କଥା ମଧ୍ୟ ଆମେ ଦେଖୁଛୁ। ବାତ୍ୟା ଆଶ୍ରୟ ସ୍ଥଳରେ ଆଶ୍ରା ନେଇଥିବା ଆମର ସାଧାରଣ ଜନତାଙ୍କୁ ଆମ ଟିଭି ସାମ୍ବାଦିକମାନେ ପଚାରୁଛନ୍ତି- ଆପଣମାନେ କେତେ ଭୟଭୀତ ବା ଆପଣଙ୍କୁ କେମିତି ଲାଗୁଛି? ବଡ ବିଚିତ୍ର ପ୍ରଶ୍ନ। ପ୍ରାକୃତିକ ବିପର୍ଯୟ ଆଗରେ ଠିଆ ହୋଇଥିବା ଲୋକକୁ ଭୟାଳୁ କରାଇବାର ଏ ଅଦ୍ଭୁତ ପ୍ରକ୍ରିୟା କେବେ ବନ୍ଦ ହେବ କେଜାଣି!