ବାତ୍ୟା ବେଳେ ହସପିଟାଲରେ ଜନ୍ମ ନେଲା ଏକ ଝିଅ, ଯାହାର ନା ରଖାଗଲା ଫନି, ଆସନ୍ତୁ ଜାଣିବା କଣ ଥିଲା ଘଟଣା

Published: May 3, 2019, 2:00 pm IST
Girl Child born at the time of Fani landfall

ଫନି ବାତ୍ୟା କଣ ଉଜାଡିଛି ତାହାର ହିସାବ ତ ପରେ ହେବ ହେଲେ ଜଣେ ମହିଳାଙ୍କ କୋଳରେ ଭରିଦେଇଛି ଏକ କନ୍ୟା ସନ୍ତାନ। ଠିକ୍ ଫନି ବାତ୍ୟା ପୁରୀରେ ଭୂମି ସ୍ପର୍ଶ କରୁଥିବା ବେଳେ ଏହି ମହିଳା ଜଣଙ୍କ ଜନ୍ମ ଦେଲେ ତାଙ୍କର ପ୍ରଥମ କନ୍ୟା ସନ୍ତାନ। ଖୁସିରେ ସମସ୍ତେ ଗଦଗଦ୍ ହେଲେ ଆଉ ଡାକ୍ତରଖାନାର ଡାକ୍ତର ଓ ନର୍ସଙ୍କ ଅନୁରୋଧରେ ଝିଅ ଟି ନାମ ରଖାଗଲା ” ଫନି “। ଏହି ଘଟଣାଟି ଘଟିଛି ଭୁବନେଶ୍ବରର ମଞ୍ଚେଶ୍ବରରେ ଥିବା ରେଳବାଇ ହସପିଟାଲରେ। ରେଳବାଇ କୋଚ ମରାମତି କାରଖାନାର ହେଲପର ଭାବେ କାମ କରୁଥିବା ସୌଭାଗିନୀ ଗର୍ଭବତୀ ହେବା ପରେ ସେ ତାଙ୍କ ରେଳବାଇ ହସପିଟାଲରେ ଛୁଆ ଜନ୍ମ ପାଇଁ ଭର୍ତ୍ତି ହୋଇଥିଲେ। ଭୁବନେଶ୍ବରରେ ଝଡବାତ୍ୟା ହେବାର ଘୋଷଣା ସତ୍ବେ ଡାକ୍ତରମାନେ ତାଙ୍କର ଚିକିତ୍ସା କରିଥିଲେ। ଆଜି ତାଙ୍କର ଛୁଆ ଜନ୍ମଲାଭ କରିବ ବୋଲି ପୂର୍ବରୁ ଡାକ୍ତର ଘୋଷଣା କରିଥିଲେ। ଠିକ୍ ବାତ୍ୟା ଫନି ଦିନ 11 ଟା ଭିତରେ ଲ୍ୟାଣ୍ଡଫଲ କରିବା ପରେ ସୌଭାଗିନୀ 11 ଟା 02 ମିନିଟରେ ଝିଅ ଜନ୍ମ କରିଥିଲେ। ସମସ୍ତେ ଖୁସିରେ ତାହାର ନାମ ରଖିଲେ ଫନି। ଏପରି ନାମକୁ ନେଇ ବାପାମା ମଧ୍ୟ ବେଶ୍ ଖୁସି ହେଲେ। ଏହି ଡେଲିଭରି କାର୍ଯ୍ୟରେ ଡାକ୍ତର ହରିହର ଦାସ, ଡାକ୍ତର ଆର.କେ ମହାପାତ୍ର, ଡାକ୍ତର ଏସ.କେ ସିରାଜୁଦ୍ଧିନ ଏବଂ ଡାକ୍ତର ଅନୁରାଧା ସେନାପତି ନିୟୋଜିତ ଥିଲେ। ବର୍ତ୍ତମାନ ମା ଝିଅ ବେଶ୍ ସୁସ୍ଥ ଅଛନ୍ତି ବୋଲି ରେଳବାଇ ଡାକ୍ତରଖାନା ତରଫରୁ କୁହାଯାଇଛି।

Related posts