ଆକ୍ରମଣ ଓ ହିଂସାକାଣ୍ଡର ନୂଆ ରାଜନୀତି, ଆମ ସମୟ ଓ ସମାଜର ସବୁଠୁ ବଡ ବିଡମ୍ବନା

Published: Jun 27, 2019, 3:41 pm IST

ସାଗରିକା

ବିଗତ କିଛି ବର୍ଷ ହେଲା ଭାରତରେ ମବ ଲିଞ୍ଚିଙ୍ଗ ବା ସଂଘବଦ୍ଧ ଆକ୍ରମଣ ବ୍ୟାପକ ପରିମାଣରେ ବଢି ଚାଲିଛି । ଘୃଣା ଜନିତ ଅପରାଧର ଏକ ନୂଆ ସଂଜ୍ଞା ପାଲଟିଛି ଏହି ଗୋଷ୍ଠୀବଦ୍ଧ ଆକ୍ରମଣ । ପ୍ରାୟତଃ ଧାର୍ମିକ ଉନ୍ମାଦନା  ତଥା ସମ୍ପ୍ରଦାୟିକତାକୁ ନେଇ ଏହି ସଂଘବଦ୍ଧ ଆକ୍ରମଣ କରାଯାଉଛି । ସବୁଦିନ କୌଣସି ନା କୌଣସି ଜାଗାରେ କେହି ନା କେହି ସତ୍ୟାସତ୍ୟ ନ ଜାଣି ଉତକ୍ଷିପ୍ତ ହୋଇ ଆକ୍ରୋଶ ମୂଳକ ଭାବେ ସଙ୍ଘବଦ୍ଧ ଆକ୍ରମଣ କରୁଛନ୍ତି । ସତ୍ୟାସତ୍ୟ ନ ଜାଣି ଜଣଙ୍କ ଉପରେ ମିଥ୍ୟାଭିଯୋଗ କରାଯାଉଛି । ଯେପରିକି ପିଲା ଚୋର, ଗୋରୁ ଚାଲାଣକାରୀ ଗୋଷ୍ଠୀ ଇତ୍ୟାଦି ।  ଆଜିକାଲି ଟେକ୍ନୋଲଜିର ବହୁଳ ପ୍ରସାର ଯୋଗୁ କିଛି ଗୁଜବ ଖବର ହେଉ ଅବା ଏକପାଖିଆ ଖବର ହେଉ ତାହା ତ୍ଵରିତ ବେଗରେ ବ୍ୟାପି ଯାଉଛି ଏବଂ ଏହିଭଳି ଅର୍ଦ୍ଧ ସତ୍ୟ ଖବରକୁ ଆମମାନଙ୍କ ଭିତରେ ଥିବା କିଛି ଅପରାଧିକ ମନସ୍ତତ୍ଵ ଲୋକମାନେ ଜଘନ୍ୟ ଅପରାଧ କରୁଛନ୍ତି ।

ଏହିଭଳି ଘଟଣାକୁ ଦୃଷ୍ଟିରେ ରଖି ଲୋକପ୍ରିୟ ସୋସିଆଲ୍‌ ନେଟ୍‌ଓ୍ବାର୍କିଂ ସାଇଟ୍‌ ହ୍ଵାଟ୍ସଆପକୁ ଗୁଜବ ଖବରକୁ ପ୍ରଚାର ନ କରିବା ପାଇଁ ସରକାର କହିଛନ୍ତି । ମେସେଜକୁ ସହଜରେ ଫରଓ୍ବର୍ଡ କରି ହେଉଥିବାରୁ ଏହିଭଳି ଘଟଣା ବେଶି ଘଟୁଛି ଏବଂ ଏଥିଲାଗି ହ୍ଵାଟ୍ସଆପକୁ ଏହିଭଳି ଫରବର୍ଡ ମେସେଜ କୁ ନିୟନ୍ତ୍ରଣ କରିବା ଏବଂ ଫରବର୍ଡ ହୋଇଥିବା ମେସେଜ ରେ ଫରୱାର୍ଡ ମେସେଜ ଲେଖା ଆସିବା ଭଳି ବୈଶିଷ୍ଟ୍ୟ ଯୋଡିବାକୁ କହିଛନ୍ତି । ଦେଶରେ ବଢି ଚାଲିଥିବା ଗୋଷ୍ଠୀବଦ୍ଧ ଆକ୍ରମଣକୁ ନେଇ ସୁପ୍ରିମକୋର୍ଟ ମଧ୍ୟ ଚିନ୍ତା ପ୍ରକଟ କରିବା ସହ ସରକାରଙ୍କୁ ଏ ଉପରେ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ସ୍ବାଧୀନତା ପାଇବାର ସତୁରୀ ବର୍ଷ ବିତି ଯାଇଥିଲେ ମଧ୍ୟ ଆମମାନଙ୍କ ମଧ୍ୟରେ ଜାତି, ଧର୍ମକୁ ନେଇ ଭେଦଭାବ ରହିଛି ।  ଏହାର ସୁଯୋଗ ନେଉଛନ୍ତି କିଛି ରାଜନୈତିକ ଗୋଷ୍ଠୀ ସମୂହ । ନିକଟରେ ଜୟ  ଶ୍ରୀରାମ ନାରା ଓ ଗୋରୁ ଚାଲାଣକୁ ନେଇ ଗୋଷ୍ଠୀବଦ୍ଧ ଆକ୍ରମଣ କରାଯାଉଛି । ଭାରତ ଏକ ଧର୍ମନିରପେକ୍ଷ ରାଷ୍ଟ୍ର ହୋଇଥିବାବେଳେ ଏଠାରେ ସମସ୍ତ ଧର୍ମ ଓ ଜାତିକୁ ସମାନ ଅଧିକାର ଦିଆଯାଇଛି । କିନ୍ତୁ କିଛି ଅଶିକ୍ଷିତ ତଥା ହୀନବ୍ୟକ୍ତିମାନଙ୍କ କୁଚକ୍ରାନ୍ତ ପାଇଁ ଜାତି ଓ ଧର୍ମକୁ ନେଇ ଏକ ପ୍ରକାର ଶୀତଳ ଯୁଦ୍ଧ ଚାଲିଥିବାର ମନେ ହେଉଛି ।

ଗୋଷ୍ଠୀବଦ୍ଧ ହତ୍ୟା ବା ଆକ୍ରମଣ ୟୁରୋପରୁ ଆସିଛି । ୟୁରୋପର ଇତିହାସରେ ଗୋଷ୍ଠୀବଦ୍ଧ ଦଣ୍ଡ ଦେବାର ବିଧାନ ରହିଥିଲା । ଲିନ୍ଚିଂ ଶବ୍ଦର ଉତ୍ପତ୍ତି ଆମେରିକା ସିଭିଲ୍‌ ଓ୍ବାରରୁ ଆସିଛି । ଆମେରିକାର ଲୁସିଆନାରେ ୧୪ ମାର୍ଚ୍ଚ ୧୮୯୧ରେ ପ୍ରଥମ ଗୋଷ୍ଠୀବଦ୍ଧ ଆକ୍ରମଣ ଦେଖାଯାଇଥିଲା ।

ଭାରତରେ ପ୍ରଥମେ ନାଗାଲାଣ୍ଡରେ ଦିମାପୁରରେ ୨୦୧୫ରେ ଘଟିଥିଲା । ଜଣେ ବଳାତ୍କାରୀ ଆରୋପୀଙ୍କୁ ଗୋଷ୍ଠୀବଦ୍ଧ ଭାବେ ହତ୍ୟା କରାଯାଇଥିଲା । ଏହି ହତ୍ୟାରେ ପାଖାପାଖି ୭୦୦୦ରୁ ୮୦୦୦ ଲୋକ ସମ୍ପୃକ୍ତ ରହିଥିଲେ । ସେହିପରି ୨୦୧୭ର ଘଟିଥିବା ଅଲଓ୍ବାର୍‌ ଗୋଷ୍ଠୀ ଆକ୍ରମଣରେ ପେହୁଲ୍‌ ଖାନ୍‌ ନାମକ ଜଣେ ବ୍ୟକ୍ତିଙ୍କୁ ୨୦୦ ଜଣ ଗୋରକ୍ଷକମାନେ ପିଟି ପିଟି ହତ୍ୟା କରିଥିଲେ । ସେହିପରି ୨୦୦୬ ଭିଓ୍ବାଡ଼ି ଗୋଷ୍ଠୀବଦ୍ଧ ଆକ୍ରମଣ, ୨୦୧୫ର ଦାଦ୍ରୀ ଗୋଷ୍ଠୀବଦ୍ଧ ଆକ୍ରମଣ,୨୦୧୬ର ଝାରଖଣ୍ଡ ଗୋଷ୍ଠୀ ବଦ୍ଧ ଆକ୍ରମଣ, ୨୦୧୭ର ପ୍ରତାପଗଡ଼ ଗୋଷ୍ଠୀ ଆକ୍ରମଣକୁ ନିଆଯାଇପାରେ । ୨୦୧୪ରୁ ୨୦୧୮ ମାର୍ଚ୍ଚ ମଧ୍ୟରେ ଦେଶରେ ୪୦ଟି ଗୋଷ୍ଠୀବଦ୍ଧ ଆକ୍ରମଣ କରାଯାଇଥିବାବେଳେ ଏଥିରେ ୪୫ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ଆସାମରେ ସବୁଠୁ ଅଧିକ ୧୫ ଜଣ ଲୋକ ଗୋଷ୍ଠୀବଦ୍ଧ ଆକ୍ରମଣରେ ମୃତ୍ୟୁ ହୋଇଛନ୍ତି ।  ଏହି ମାମଲାରେ ପାଖାପାଖି ୨୧୭ଜଣ ଲୋକ ଗିରଫ ହୋଇଛନ୍ତି ।

ଏଇ କିଛି ଦିନ ତଳେ ଆମ ପଡୋଶୀ ରାଜ୍ୟ ଝାଡ଼ଖଣ୍ଡରେ ଜଣେ ମୁସଲିମ ଯୁବକଙ୍କୁ ଚୋର ସନ୍ଦେହ କରି ଦଳେ ଲୋକ ଗୋଷ୍ଠୀବଦ୍ଧ ଭାବେ  ଗଛରେ ବାନ୍ଧି ଆକ୍ରମଣ କରି ନିସ୍ତୁକ ପିଟିବା ସହ ତାଙ୍କୁ ଜବରଦସ୍ତି ଜୟ ଶ୍ରୀରାମ କହିବାକୁ ବାଧ୍ୟ କରିଥିଲେ । ଏବଂ ପରେ ଲୋକେ ତାଙ୍କୁ ପୋଲିସର ଜିମା ଦେଇଥିଲେ । । ପୋଲିସ କହିବା ଅନୁସାରେ ତବରେଜଙ୍କ ପାଖରୁ ଏକ ଚୋରୀ ହୋଇଥିବା ମଟରସାଇକେଲ ସହ ଅନ୍ୟାନ୍ୟ ସାମଗ୍ରୀ ଜବତ କରଯାଇଥିଲା ।  ସଦ୍ୟ ବିବାହିତ ତବରେଜ ଅନଶରୀଙ୍କ ପତ୍ନୀ ଶଇସ୍ତା ପରବୀନ ଅଭିଯୋଗ କରିଛନ୍ତି ଯେ ତାଙ୍କ ସ୍ଵାମୀ ଜାମସେଦପୁରର ଘରକୁ ବାଇକ ଯୋଗେ ଫେରୁଥିବାବେଳେ ସେ ଦଳେ ଲୋକଙ୍କ ଦ୍ଵାରା ଆକ୍ରୋଶର ଶିକାର ହୋଇଛନ୍ତି ଏବଂ ଏ ନେଇ ସେ ସ୍ଥାନୀୟ ଥାନାରେ ଅଭିଯୋଗ କରିଛନ୍ତି । ତାଙ୍କ ସ୍ବାମୀଙ୍କର ଡାକ୍ତରଖାନାରେ ମୃତ୍ୟୁ ହୋଇଯାଇଛି ଏବଂ ଏହି ଘଟଣାରେ ପୋଲିସ ପାଞ୍ଚଜଣଙ୍କୁ ଗିରଫ କରିଛି । ତାଙ୍କ ପତ୍ନୀ ଅଭିଯୋଗ କରିଛନ୍ତି ଯେ ଯଦି ସମୟ ଅନୁସାରେ ତାଙ୍କ ସ୍ବାମୀଙ୍କ ଚିକିତ୍ସା କରାଯାଇଥାନ୍ତା ତେବେ ତାଙ୍କ ସ୍ଵାମୀ ବଞ୍ଚି ଥାନ୍ତେ ।

ଆମ  ଓଡିଶାରେ ଏହିଭଳି ଆକ୍ରମଣ କ୍ଵଚିତ ଦେଖିବାକୁ ମିଳେ । ଅତୀତରେ କେନ୍ଦ୍ରପଡା ରେ ସାମାନ୍ୟ କଥାକୁ ନେଇ ହିନ୍ଦୁ ମୁସଲିମ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଲାଗିଥିଲା ଏବଂ ଏଥି ଲାଗି ୧୪୪ ଧାରା ଲାଗୁ କରିବା ସହ କର୍ଫ୍ୟୁ ଏବଂ ଇଣ୍ଟରେନଟ୍‌  ସେବା ମଧ୍ୟ ବନ୍ଦ କରାଯାଇଥିଲା ।

ଏକ ଅଧ୍ୟୟନ ରୁ ଜଣାପଡିଛି ଯେ ୨୦୧୦ ମସିହା ରୁ ଆଜି ଯାଏଁ ପ୍ରାୟ ୬୮ ଟି  ଗୋଷ୍ଠୀବଦ୍ଧ ମାମଲା ଦାଏର ହୋଇଛି । ସେଥିରୁ ଅଧିକାଂଶ ଗୋରୁ ଚାଲାଣ ଜନିତ ବୋଲି ଜଣା ପଡିଛି । ତେବେ ଏହି ଗୋଷ୍ଠୀବଦ୍ଧ ଆକ୍ରମଣ ପାଇଁ ଆଇନ୍‌ରେ ଯଦିଓ ବିଶେଷ ଆଇନ୍‌ର ପ୍ରାବଧନ ନାହିଁ କିନ୍ତୁ ହତ୍ୟା ତଥା ଆକ୍ରମଣ ପାଇଁ ଦଣ୍ଡବ୍ୟବସ୍ଥା ରହିଛି । ‘ମାନବ ସୁରକ୍ଷା କାନୁନ୍‌’ ନାମରେ ଏକ ବିଲ୍‌ ଆସିଥିଲା, ଯାହାକୁ ସ୍ବୀକୃତ ଦିଆଯାଇପାରିନାହିଁ ।  ତେବେ ମଧ୍ୟପ୍ରଦେଶରେ କମଲନାଥ ସରକାର ଗୋଷ୍ଠୀବଦ୍ଧ ଆକ୍ରମଣ ପାଇଁ ମୌସୁମୀ ଅଧିବେଶନରେ ଏକ ନୂଆ ଆଇନ୍‌ ଆଣିଛନ୍ତି । ହିଂସା ଉସୁକାଉଥିବା ବ୍ୟକ୍ତିଙ୍କୁ ୫ ବର୍ଷ ଜେଲ୍‌ ସହ ଜୋରିମାନା ଦେବାର ଦଣ୍ଡବ୍ୟବସ୍ଥା କରାଯାଇଛି । ତେବେ ଏହି ଗୋଷ୍ଠୀବଦ୍ଧ ଆକ୍ରମଣ ପାଇଁ ସରକାରଙ୍କ ତରଫରୁ ଦୃଢ ପଦକ୍ଷେପ ନିଆଯିବା ସହିତ ସଚେତନତା ସୃଷ୍ଟି କରାଯାଇପାରିଲେ ଏହିଭଳି ଅପରାଧକୁ ଏଡାଇ ଦିଆଯାଇପାରିବ । ବିଶେଷକରି ଗୁଜବ ନ୍ୟୁଜ୍‌ର ପ୍ରଚାର ଉପରେ ରୋକ୍‌ ଲଗାଇବା ପାଇଁ ସୋସିଆଲ୍‌ ସାଇଟ୍‌ଗୁଡ଼ିକ ବିଶେଷ ପଦକ୍ଷେପ ନେବା ଉଚିତ୍‌ ।

 

Related posts