କେଦାର ମିଶ୍ର
ଦେଶର ସର୍ବୋଚ୍ଚ ଅଦାଲତ ମଧ୍ୟ ଭୁଲ କରନ୍ତି। ଇଂରାଜୀରେ ଗୋଟେ କଥା ଅଛି, to err is human, ମାନେ ଭୁଲ କରିବା ଗୋଟେ ମାନବୀୟ ଗୁଣ। ଯେତେ ଧର୍ମାବତାର ହେଲେ ମଧ୍ୟ ବିଚାରପତିମାନେ ମଣିଷ। ସେମାନେ ଭୁଲ କରିବା ସ୍ଵାଭାବିକ। ତେବେ ଅଦାଲତଙ୍କ ଭୁଲ ଯଦି ଦେଶର ରାଜନୈତିକ ଅବହାୱାକୁ ବଦଳାଇ ଦିଏ, ତାହେଲେ ସେ ପ୍ରକାର ଭୁଲ ପ୍ରତି ଅଦାଲତ ଅଧିକ ସତର୍କ ରହିବା ଉଚିତ ହୁଅନ୍ତା। ଦେଶର ରାଜନୈତିକ ନୈତିକତା ସହ ଜଡିତ ରାଫାଲେ ସଉଦା ପ୍ରସଙ୍ଗରେ ଗତକାଲି ଯେତେବେଳେ ସୁପ୍ରିମ କୋର୍ଟଙ୍କ ରାୟ ଆସିଲା, ତାକୁ ନେଇ ଶାସକ ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବେଶ ଆଶ୍ଵସ୍ତ ହୋଇଗଲେ। ତାଙ୍କୁ ଲାଗିଲା, ଦେଶର ସର୍ବୋଚ୍ଚ ଅଦାଲତ ଏବେ ସବୁ ରଫାଦଫା କରିଦେଲେ। ରାଫାଲେ ଯୁଦ୍ଧ ବିମାନ କିଣା ପ୍ରସଙ୍ଗରେ କୌଣସି ଦୁର୍ନୀତି ହୋଇନାହିଁ, କିମ୍ବା ଅଫସେଟ ପାର୍ଟନର ବାଛିବାରେ କୌଣସି ଅନିୟମିତତା ହୋଇନାହିଁ ବୋଲି ସୁପ୍ରିମ କୋର୍ଟ କହିଲେ। ତେବେ ଏ ରାୟ ଦେବାବେଳେ ମାନ୍ୟବର ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ, ଜଷ୍ଟିସ ସଞ୍ଜୟ କିଶାନ କାଉଲ ଓ କେ.ଏମ.ଯୋଶେଫ ଅନ୍ତତଃ ଏମିତି କିଛି ଭୁଲ ତଥ୍ୟ ରଖିଦେଲେ, ଯାହାକି ଲୋକଙ୍କ ମନରେ ରାଫାଲେ କିଣାକୁ ନେଇ ରହିଥିବା ସନ୍ଦେହ ଆହୁରି ବଢିଗଲା। ସୁପ୍ରିମକୋର୍ଟ ଏଥିରେ କିଛି ଅନିୟମିତତା ନାହିଁ ବୋଲି ଯେତେ କହିଲେ ମଧ୍ୟ, ସାଧାରଣ ଲୋକେ ଏବେ ଏ କଥାକୁ ଆଉ ବିଶ୍ଵାସ କରିବେ ନାହିଁ।
ସୁପ୍ରିମ କୋର୍ଟ ନିଜ ରାୟର ୨୩ ପାରାରେ କହିଛନ୍ତି- କେବଳ ଫ୍ରାନ୍ସ ର ପୂର୍ବତନ ରାଷ୍ଟ୍ରପତି ଫ୍ରାଙ୍କୋଇସ ହଲାଣ୍ଡେଙ୍କ ବୟାନ ଆଧାରରେ ଏପ୍ରକାର ସନ୍ଦେହ କରାଯାଉଛି। ଏଠି ପ୍ରଶ୍ନ ଉଠୁଛି ହଲାଣ୍ଡେ ନିଜେ ରାଫାଲେ ବିକାକିଣାର ଅନ୍ୟତମ ଅଂଶୀଦାର। ତାଙ୍କ ବୟାନକୁ ଗମ୍ଭୀରତାର ସହ ସୁପ୍ରିମକୋର୍ଟ ନନେବା ପଛରେ କି କାରଣ ରହିଛି, ତାହା ବୁଝା ପଡୁନାହିଁ। ସେହିପରି ୨୫ ପାରାରେ କୁହାଯାଇଛି- ଏହି କଥା ଇ ସବୁଠୁ ଆଶ୍ଚର୍ୟଜନକ। ସିଏଜି କିମ୍ବା ପିଏସି ଏ ସମ୍ପର୍କରେ କିଛି ଜାଣନ୍ତି ନାହିଁ ବୋଲି ଏବେ ସ୍ପଷ୍ଟ ହୋଇଯାଇଛି। ତେବେ ସୁପ୍ରିମକୋର୍ଟ ଏମିତି ଏକ ଭ୍ରମାତ୍ମକ ତଥ୍ୟ ନିଜ ରାୟରେ ପ୍ରକାଶ କଲେ କେମିତି। ଏ ସମ୍ପର୍କରେ ସ୍ପଷ୍ଟୀକରଣ ଦେଇ କେନ୍ଦ୍ର ସରକାର କହୁଛନ୍ତି, ସୁପ୍ରିମକୋର୍ଟ ତାଙ୍କ ଲେଖା ବୁଝି ପାରିଲେ ନାହିଁ। ଅଦ୍ଭୁତ ଯୁକ୍ତି! ସୁପ୍ରିମକୋର୍ଟ ଅତ୍ୟନ୍ତ ସ୍ପଷ୍ଟ ଭାବରେ ଏକଥା କହୁଥିବା ବେଳେ କେନ୍ଦ୍ର ସରକାର ଏହା ଏକ କିରାଣୀ ଜନିତ ଭୁଲ ବୋଲି କହୁଛନ୍ତି। ଏତେ ବଡ ତଥ୍ୟ ପ୍ରମାଦ ଯଦି କିରାଣୀଙ୍କ ଯୋଗୁଁ ହୋଇଛି ଓ ତାକୁ ଦେଶର ତିନିଜଣ ବରିଷ୍ଠ ବିଚାରପତି ଗ୍ରହଣ କରିଛନ୍ତି, ତାହେଲେ, ଏହାକୁ ଆମେ ଏ ପୃଥିବୀର ସର୍ବଶ୍ରେଷ୍ଠ ଭୁଲ ବୋଲି ମାନିନେବା ଉଚିତ ହେବ।
ସବୁଠୁ ବଡ କଥା ହେଉଛି ରାଫାଲେ ବିକାକିଣା ର ମୂଲ୍ୟ ନିର୍ଦ୍ଧାରଣ ପ୍ରସଙ୍ଗ ବିଚାର କରିବା ସୁପ୍ରିମକୋର୍ଟଙ୍କ କର୍ତ୍ତୃତ୍ଵାଧୀନ ନୁହଁ ବୋଲି କୁହାଯାଇଛି। (It is certainly not the job of this Court to carry out a comparison of the pricing details in matters like the present. We say no more as the material has to be kept in a confidential domain.) ତାହେଲେ ଏ କ୍ଷେତ୍ରରେ ରହିଥିବା ସନ୍ଦେହର ବିଚାର କେବଳ ସଂସଦ ହିଁ କରିବା ଉଚିତ ହେବ। ପୂର୍ବରୁ ବୋଫୋର୍ସ ପ୍ରସଙ୍ଗରେ ସଂସଦର ଯୁଗ୍ମ ସଂସଦୀୟ କମିଟି ତଦନ୍ତ କରିଥିଲା। ଆଜି ସେକଥାକୁ ବିଜେପି ସରକାର ଗ୍ରହଣ କରୁନାହାନ୍ତି କାହିଁକି?
ଗତକାଲି ରାଫାଲେ ପ୍ରସଙ୍ଗକୁ ନେଇ ବିଜେପି ଯେତିକି ଉଚ୍ଚୁଳୁଥିଲା, ସୁପ୍ରିମକୋର୍ଟଙ୍କ ଏହି ତ୍ରୁଟି ଯୋଗୁଁ ଆଜି ବିଜେପିର ମୁହଁ ଶୁଖି ଯାଇଛି। ଦେଶର ସାଧାରଣ ନାଗରିକ ଭାବରେ ଆମେ ସୁପ୍ରିମକୋର୍ଟଙ୍କ ଏହି ରାୟ ପାଖରେ ଋଣୀ । ଏ ପ୍ରକାର ଭୁଲ ଯଦି ସୁପ୍ରିମକୋର୍ଟଙ୍କ ରାୟରେ ନଥାନ୍ତା, ଆମେ ମାନିବାକୁ ବାଧ୍ୟ ହୋଇଥାନ୍ତୁ ଯେ, ରାଫାଲେ ସମ୍ପର୍କରେ କୌଣସି ସନ୍ଦେହ ନାହିଁ। ସୁପ୍ରିମକୋର୍ଟଙ୍କ ରାୟ ଆସିଲା ପରେ ବରଂ ଏହାକୁ ନେଇ ସନ୍ଦେହ ଢେର ବଢିଯାଇଛି।
ଆମର ମାନ୍ୟବର ବିଚାରପତିମାନେ ଏପ୍ରକାର ଭୁଲ କରିବା, ନାଗରିକ ଭାବରେ ଆମପାଇଁ ବେଶ ହିତକର। ବିଚାରପତି ଭୁଲ କଲେ ବୋଲି ଆମେ ଜାଣିଲୁ ଯେ ଆମ ସରକାର ଅଦାଲତରେ ମଧ୍ୟ ମିଛ କହିପାରନ୍ତି!! ଅବଶ୍ୟ ସରକାର ନିଜ ମିଛକୁ ବ୍ୟାକରଣଗତ ତ୍ରୁଟି ବୋଲି କହି ଖସିଯିବାକୁ ଚାହୁଁଛନ୍ତି। ତେବେ ସତ ଓ ମିଛର ବ୍ୟାକରଣ କଣ ସେକଥା ଏ ଦେଶର ଜନତା ଭଲ ଭାବରେ ବୁଝନ୍ତି।