ଗୋପନ ବୁଝାମଣାରୁ “ଫଣୀ” ସହାୟତା; ବିଜେଡି ବିଜେପି ବୁଝାମଣାର ବିଷମ ଗଣିତ

Published: Aug 21, 2019, 4:29 pm IST

ସମୀକ୍ଷା ବ୍ୟୁରୋ

୧୭ତମ ଲୋକସଭା ନିର୍ବାଚନରେ ବିପୁଳ ମତଦାନ ପାଇ ପୁଣି ଥିରେ କ୍ଷମତାସୀନ ହୋଇଥିବା ବିଜେପି କିନ୍ତୁ ଓଡ଼ିଶା, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ ଓ କେରଳ ଭଳି ରାଜ୍ୟରେ ହାର ମାନିଥିଲା । ଆନ୍ଧ୍ରପ୍ରଦେଶ ଓ କେରଳ ରାଜ୍ୟକୁ ଛାଡ଼ି ଓଡ଼ିଶା ଓ ପଶ୍ଚିମବଙ୍ଗରେ ବିଜେପି ଚଳିତ ଥର ନିଜର ସ୍ଥିତି ଟିକେ ମଜବୁତ୍‌ କରିଥିଲା । ବିଶେଷ କରି ନିର୍ବାଚନ ପୂର୍ବରୁ ଓଡ଼ିଶାକୁ ଆସି ଏକ ସ୍ଥାଣୁ ସରକାରକୁ ଗାଦିରୁ ହଟାଇ ଡବଲ୍‌ ଇଞ୍ଜିନ୍‌ର ସ୍ଲୋଗାନ୍‌ ଦେଇଥିବା ବିଜେପିର ନାରା କିନ୍ତୁ ନିର୍ବାଚନ ଫଳ ପରେ ପରିବର୍ତ୍ତନ ହୋଇଗଲା । ନିର୍ବାଚନ ଫଳାଫଳ ପରେ ଓଡ଼ିଶାରେ ପଞ୍ଚମଥର ପାଇଁ ବିଜୁ ଜନତା ଦଳ ସରକାର ଗଠନ କରିଥିଲେ ଓ ପ୍ରଥମଥର ପାଇଁ ବିଜେପି ମୁଖ୍ୟ ବିରୋଧୀ ଦଳ ରୂପେ ଉଭା ହୋଇଥିଲେ ବି ଅଦୃଶ୍ୟରେ ଏକ ଦୁଇ ଦଳଙ୍କ ଭିତରେ ମେଣ୍ଟ ରହିଥିବାର ପ୍ରତୀତ ହେଲା । ଦୀର୍ଘ ଦିନ ଧରି ଦାବି ହୋଇଆସୁଥିବା ଜୁନାଗଡ଼- ଭୁବନେଶ୍ବରରକୁ ପୃଥକ୍‌ ରେଳ ହେଉ ଅଥବା ଆଇକନିକ୍‌ ପର୍ଯ୍ୟଟନସ୍ଥଳୀରେ ଓଡ଼ିଶାର ସ୍ଥାନ ଚିତ୍ରିତ ହେବା ଅଥବା ଫଣି ପାଇଁ ଓଡ଼ିଶା କେନ୍ଦ୍ର ପାଖରେ କରିଥିବା ଦାବି ହେଉ । ଏ ସମସ୍ତ ଦାବିକୁ କେନ୍ଦ୍ର ସରକାର ମାନିନେଇଛନ୍ତି । ପୂର୍ବରୁ ଓଡ଼ିଶାକୁ କେନ୍ଦ୍ରର ଅବହେଳା କରାଯାଉଥିବା ବେଳେ ଦ୍ବିତୀୟ ଥରର ମୋଦି ସରକାର କିନ୍ତୁ ଓଡ଼ିଶା ପାଇଁ ତାଙ୍କର ସହୃଦୟତା ଦେଖାଇଛନ୍ତି ।

ଚଳିତବର୍ଷ ବାତ୍ୟା ‘ଫଣୀ’ ଦ୍ୱାରା ଗୁରୁତର ଭାବେ ପ୍ରଭାବିତ ହୋଇଥିବା ଓଡ଼ିଶାର ଜନସାଧାରଣଙ୍କ ଧନସମ୍ପତ୍ତିର ପୁନରୁଦ୍ଧାର ଓ ଜୀବନଜୀବିକା ପାଇଁ ୩୩୩୮.୨୨ କୋଟି ଟଙ୍କାର ଅତିରିକ୍ତ ଆର୍ଥିକ ସହାୟତାକୁ ମଞ୍ଜୁରୀ ଦେଇଛନ୍ତି । କେନ୍ଦ୍ର ସରକାରଙ୍କ ଏହି ଆର୍ଥିକ ସହାୟତା ପୂର୍ବାପେକ୍ଷା ଅଧିକ ରହିଛି । ସେହିପରି ସାମୁଦ୍ରିକ ବାତ୍ୟା ‘ଫଣୀର’ ଅବ୍ୟବହିତ ପୂର୍ବରୁ ରାଜ୍ୟ ସରକାରଙ୍କୁ ୩୪୦ କୋଟି ଟଙ୍କାର ଅଗ୍ରୀମ ରାଶି ପ୍ରଦାନ କରାଯାଇଥିଲା। ଏହା ପରେ ୬ ମେ’ ୨୦୧୯ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଫଣୀ’ ପ୍ରଭାବିତ ଅଞ୍ଚଳ ବୁଲି ଦେଖିବା ସହ ୧ ହଜାର କୋଟି ଟଙ୍କାର ତ୍ୱରିତ ସହାୟତା ରାଶି ଘୋଷଣା କରିଥିଲେ। ଫଣୀ ପ୍ରଭାବରେ ରାଜ୍ୟର ପୁରୀ ସମେତ କିଛି ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ଏହି ଫଣୀ ବାତ୍ୟାର ଚୂଡ଼ାନ୍ତ କ୍ଷୟକ୍ଷତି ରିପୋର୍ଟରେ ୨୪,୧୭୬ କୋଟି ଟଙ୍କାର କ୍ଷତି ଦର୍ଶାଯାଇଥିଲା ।

ସେହିପରି ଓଡ଼ିଶାରେ ନବୀନ ପଟ୍ଟନାୟକ ସମଦୂରତାରେ ବିଶ୍ବାସ ରଖୁଥିବାବେଳେ ନିକଟରେ ରାଜ୍ୟସଭା ପ୍ରାର୍ଥୀ ଚୟନରେ ୩ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ବିଜେପିର ଅଶ୍ବିନୀ  ବୈଷ୍ଣବଙ୍କୁ ସମର୍ଥନ ଦେବା ପରେ ଓଡ଼ିଶା ରାଜନୀତିରେ ବିଜେଡି-ବିଜେପିର ଏକ ସୁଚିନ୍ତିତ ବୁଝାମଣା ରହିଛି ବୋଲି ଜଣାପଡିଲା । ସେହିପରି ଏନ୍‌ଡିଏର ସରକାରଙ୍କର ବହୁ ଗୁରୁତ୍ବପୂର୍ଣ୍ଣ ବିଲ୍‌ ସଂଶୋଧନରେ ମଧ୍ୟ ବିଜେଡ଼ି ବିଜେପିକୁ ସମର୍ଥନ କରିଛି । ଆରଟିଆଇ ବିଲ୍‌ ହେଉ ଅଥବା ତ୍ରିପଲ୍‌ ତଲାକ୍‌ ବିଲ୍‌, ଧାରା ୩୭୦ ଉଚ୍ଛେଦ ଆଦି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତିରେ ବିଜେଡ଼ି ବିଜେପିକୁ ସମର୍ଥନ ଦେଇ ଆସିଛି । ଏସମସ୍ତ ଘଟଣାବଳୀକୁ ଦେଖିବାକୁ ଗଲେ, ବିଜେଡ଼ି ଓ ବିଜେପି ମଧ୍ୟରେ ରହିଥିବା ଏକ ଗୁପ୍ତ ବୁଝାମଣାକୁ ସ୍ପଷ୍ଟ କରିଛି । ତେବେ ଓଡ଼ିଶାର ସ୍ବାର୍ଥ ପାଇଁ ଗୁପ୍ତ ବୁଝାମଣା ନୁହେଁ,  ବରଂ ଅଧିକାର ପାଇଁ ଲଢେଇ କରିବାର ଆବଶ୍ୟକତା ରହିଛି ।

 

Related posts