Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ମତାମତ»ଦେଶରେ ଟଙ୍କା ନାହିଁ ବୋଲି ରିଜର୍ଭ ବ୍ୟାଙ୍କର “ରିଜର୍ଭ ଟଙ୍କା” ହାତେଇବା କେତେ ଦୂର ଠିକ?
ମତାମତ

ଦେଶରେ ଟଙ୍କା ନାହିଁ ବୋଲି ରିଜର୍ଭ ବ୍ୟାଙ୍କର “ରିଜର୍ଭ ଟଙ୍କା” ହାତେଇବା କେତେ ଦୂର ଠିକ?

August 28, 2019No Comments6 Mins Read
Share Facebook Twitter LinkedIn Email WhatsApp Copy Link
ଦେଶର ଆର୍ଥିକ ଖରାପ ଅବସ୍ଥା ଲାଗି କିଏ ଦାୟୀ, ନେହେରୁ, କଂଗ୍ରେସ ନା କାର କିଣୁ ନଥିବା ନୂଆ ପିଢୀର ଯୁବ ସମାଜ ?

ରଙ୍ଗାଚରଣ ପ୍ରଧାନ

ସରକାରଙ୍କ ପାଖରେ ଆଉ କୌଣସି ରାସ୍ତା ନ ଥିଲା । ସିଧା ସିଧା କହିବାକୁ ଗଲେ ସରକାରଙ୍କ ପାଖରେ ଟଙ୍କା ନାହି ।

ଗତବର୍ଷ କେନ୍ଦ୍ର ସରକାର ଯେତିକି ମୋଟ ଟିକସ ଆଦାୟ କରିବେ ବୋଲି ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ ବାସ୍ତବରେ ତାହା ଠାରୁ ୧.୬୭ ଲକ୍ଷ କୋଟି ଟଙ୍କା କମ୍ ଆଦାୟ ହେଲା । ସେହିପରି ୨୦୧୮-୧୯ ରେ କେନ୍ଦ୍ର ସରକାରଙ୍କର ସମୁଦାୟ ଖର୍ଚ୍ଚ ମଧ୍ୟ ୧.୩୧ ଲକ୍ଷ କୋଟି ଟଙ୍କା କମିଗଲା । କୌଣସି ବର୍ଷରେ ଏତେ ମାତ୍ରାରେ ଖର୍ଚ୍ଚ କମିଯିବା ଭାରତର ଇତିହାସରେ ପ୍ରଥମ ଥର ପାଇଁ ଦେଖାଗଲା । ସରକାର ଗତ ଜୁଲାଇ ମାସରେ ଆଗତ କରିଥିବା ବଜେଟରେ ଏହି ବିଫଳତାକୁ ଜନସାଧାରଣଙ୍କଠାରୁ ଲୁଚାଇବାକୁ ଚେଷ୍ଟା କରିଥିଲେ ।

ଦୁଇ ମାସ ପୁର୍ବେ ‘ସମୀକ୍ଷା’ରେ ଏହି ଲେଖକ ଲେଖିଥିଲା କିପରି (ପଢନ୍ତୁ :ଗବ୍ବର ସିଂ ସରକାର, ବହିଖାତାର ବଜେଟ ଓ ରିଜର୍ଭ ବ୍ୟାଙ୍କ ଅର୍ଥ ଅପହରଣ ଷଡଯନ୍ତ୍ର) ଟିକସ ସଂଗ୍ରହରେ ଗତ ବର୍ଷର ବିରାଟ ବିଫଳତା ସତ୍ତ୍ବେ ଏବର୍ଷ କେନ୍ଦ୍ର ସରକାର ଗତ ବର୍ଷ ଠାରୁ ଅଧିକ ୨୩.୨ ଲକ୍ଷ କୋଟି ଟଙ୍କା ବା ମୋଟ ଉପରେ ୨୦% ଅଧିକ ଟିକସ ଆଦାୟ କରିବେ ବୋଲି ବଜେଟରେ ପ୍ରସ୍ତାବ ଦେଇଛନ୍ତି । ମାତ୍ର ବର୍ତ୍ତମାନ ଭାରତର ଆର୍ଥିକ କ୍ଷେତ୍ରରେ ଯେଉଁ ଭଳି ଭୟଙ୍କର ଆର୍ଥିକ ମାନ୍ଦା ଅବସ୍ଥା ଦେଖା ଦେଇଛି ସେଥିରେ ସରକାରଙ୍କର ସେହି ଆଶା ପୂରଣ ହୋଇ ପାରିବ ନାହିଁ ବୋଲି ସେମାନେ ନିଜେ ମଧ୍ୟ ଜାଣି ସାରିଛନ୍ତି।

୨୦୧୬ ମସିହାରେ ସରକାର ନୋଟବନ୍ଦୀ ଘୋଷଣା କରି ଆଶା କରିଥିଲେ ଯେ ସେଥିରୁ ତାଙ୍କୁ ୪/୫ ଲକ୍ଷ କୋଟି ଟଙ୍କା ମିଳିଯିବ । ମାତ୍ର ଓଡିଆରେ ଯେମିତି କୁହାଯାଏ ଯେ ‘ରାତିସାରା ଅନିଦ୍ରା ମୁଗୁରା ମୁହଁ ଖୋଲା’, ଏହାର ପରିଣତି ସେହିଭଳି ହେଲା । ଏ ସରକାର ଆର୍ଥିକ ବ୍ୟବସ୍ଥାରେ ଅଭିବୄଦ୍ଧି ଘଟାଇ ସେଥିରୁ ଆଦାୟର ସ୍ରୋତ ବଢାଇବାକୁ ଆଗ୍ରହୀ ନ ହୋଇ ସବୁବେଳେ ଚାହିଁ ବସିଲା କୁଆଡୁ କେମିତି ପୋତା ଧନ ମିଳି ଯାଆନ୍ତା । ଗତ ସୋମବାର ଦିନ ସରକାର ରିଜର୍ଭ ବ୍ୟାଙ୍କରୁ ସେହି ଭଳି ପୋତା ଧନ ହାତେଇବାରେ ସକ୍ଷମ ହୋଇଛନ୍ତି । ଏହି ବିଷୟରେ କିଛି ମାସ ଧରି ଯାହା ଆଶଙ୍କା କରା ଯାଉଥିଲା ତାହା ହିଁ ହେଲା ।

ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣର ରଘୁରାମ ରାଜନ ସେତେବେଳେ ଏହି ବିପୁଳ ଧନରାଶି ସରକାରଙ୍କୁ ଦେବା ସପକ୍ଷରେ ନଥିଲେ । ପରେ ଏହାକୁ ବିରୋଧ କରି ପରବର୍ତ୍ତୀ ଗଭର୍ଣର ଉର୍ଜିତ୍ ପଟେଲ ଓ ଡେପୁଟି ଗଭର୍ଣର ବିରାଲ୍ ଆଚାର୍ଯ୍ୟ ମଧ୍ୟ ଇସ୍ତଫା ଦେଇଥିଲେ । ମାତ୍ର ମୋଦୀ ସରକାର ଶେଷରେ ଶକ୍ତିକାନ୍ତ ଦାଶଙ୍କ ରୁପରେ ଏମିତି ଜଣେ ଗଭର୍ଣରଙ୍କୁ ପାଇଲେ ଯିଏ ତାହା ପୁର୍ବରୁ ଅର୍ଥ ମନ୍ତ୍ରାଳୟରେ ରହି ଏହି ଟଙ୍କା ପାଇବାକୁ ଦାବୀ ଉଠାଉଥିଲେ । ତେବେ ସେତେବେଳକୁ ସରକାରଙ୍କର ଏହି ଇଛାକୁ ପ୍ରବଳ ବିରୋଧ ଆରମ୍ଭ ହୋଇ ସାରିଥିଲା । ତେଣୁ ଶକ୍ତିକାନ୍ତ ଦାଶ ନିଜ ମୁଣ୍ଡରୁ ଦୋଷ ଛଡାଇବା ପାଇଁ ଜଣେ ପୂର୍ବତନ ଗଭର୍ଣ୍ଣର ବିମଲ ଜଲାନଙ୍କ ଅଧ୍ୟକ୍ଷତାରେ ଏକ କମିଟି ବସାଇଥିଲେ ଯାହାର ରିପୋର୍ଟ ଅନୁସାରେ ରିଜର୍ଭ ବ୍ୟାଙ୍କ ଏହି ଟଙ୍କା ହସ୍ତାନ୍ତର କରିବାକୁ ନିଷ୍ପତ୍ତି  ନେଇଛି ବୋଲି କହୁଛନ୍ତି ।

ରିଜର୍ଭ ବ୍ୟାଙ୍କ ନିଜର ଦୁଇଟି ସୁତ୍ରରୁ ସରକାରଙ୍କୁ ଏହି ଟଙ୍କା ଦେବେ । ଗତ ବର୍ଷ ରିଜର୍ଭ ବ୍ୟାଙ୍କ ନିଜସ୍ବ କାରବାରରୁ କରିଥିବା ସମସ୍ତ ୧,୨୩,୪୧୪ କୋଟି ଟଙ୍କାର ଲାଭ ସରକାରଙ୍କୁ ଦିଆଯିବ । ଅବଶିଷ୍ଟ ୫୨,୬୩୭ କୋଟି ଟଙ୍କା ରିଜର୍ଭବ୍ୟାଙ୍କର ଆକସ୍ମିକ ନିଧିରୁ ଦିଆଯିବ ।

ସାଧାରଣତଃ ରିଜର୍ଭ ବ୍ୟାଙ୍କ୍ ପ୍ରତିବର୍ଷର ଲାଭରୁ କିଛି ଟଙ୍କା କାଢି ନିଜର ଗଚ୍ଛିତ ପୁଞ୍ଜିରେ ରଖେ ଓ ବଳକା ଲାଭରୁ ସରକାରଙ୍କୁ ଲାଭାଂଶ ଦିଏ । ମାତ୍ର ଏବର୍ଷ ବ୍ୟାଙ୍କ ତାହାର ସମସ୍ତ ଲାଭ ସରକାରଙ୍କୁ ଦେଉଛି । ଆଗରୁ କେବେ ବି ଲାଭ ରାଶିରୁ ଏତେ ଟଙ୍କା ସରକାରଙ୍କୁ ଦିଆ ଯାଇ ନଥିଲା ।

ବିମଲ ଜଲାନ କମିଟିର ଯୁକ୍ତି ଥିଲା ଯେ ଏବେ ସୁଦ୍ଧା ବ୍ୟାଙ୍କର ଗଚ୍ଛିତ ପୁଞ୍ଜିରେ ପ୍ରଚୁର ଟଙ୍କା ରହିଛି । ତେଣୁ ସେଥିରେ ଆଉ ଟଙ୍କା ରଖିବା ଦରକାର ନାହିଁ । କମିଟି ତାହାର ମୂଲ୍ୟାୟନ ପଦ୍ଧତି ବଦଳାଇ ପ୍ରସ୍ତାବ ଦେଲା ଯେ ରିଜର୍ଭ ବ୍ୟାଙ୍କ ତାହାର ମୋଟ ସମ୍ପତିର ୨୪.୫ରୁ ୨୦% ଭିତରେ ଗଚ୍ଛିତ ପୁଞ୍ଜି ରଖୁ । ଗତ ଜୁନ୍ ମାସରେ ସରିଥିବା ଆର୍ଥିକ ବର୍ଷ ଶେଷ ସୁଦ୍ଧା ଏହି ଗଚ୍ଛିତ ପୁଞ୍ଜି ୨୩.୩% ଥିଲା । ତେଣୁ ଗତ ବର୍ଷର ଲାଭରୁ ସେଥିରେ ଆଉ ଟଙ୍କା ନ ରଖି ସମୂଦାୟ ୧,୨୩,୪୧୪ କୋଟି ଟଙ୍କାର ଲାଭ ସରକାରଙ୍କୁ ଦିଆଗଲା ।

ଦ୍ବିତୀୟ ଯେଉଁ ସୁତ୍ରରୁ ସରକାରଙ୍କୁ ୫୨,୬୩୭ କୋଟି ଟଙ୍କା ଦିଆଯାଉଛି ତାହା ହେଉଛି ରିଜର୍ଭ ବ୍ୟାଙ୍କର ଆକସ୍ମିକ ନିଧି । ଗତ ଜୁନ୍ ୩୦ ତାରିଖ ସୁଦ୍ଧା ଏହି ନିଧିରେ ମୋଟ ସମ୍ପତ୍ତିର ୬.୮% ଭାଗ ଥିଲା । ମାତ୍ର ବିମଲ ଜଲାନ୍ କମିଟି କହିଲା ଯେ ଏହି ନିଧିରେ ସମୁଦାୟ ସମ୍ପତ୍ତିର ୫.୫ ରୁ ୬.୫% ଟଙ୍କା ରଖାଯାଉ । ରିଜର୍ଭ ବ୍ୟାଙ୍କ କମିଟିର କଥା ମାନି ସର୍ବନିମ୍ନ ୫.୫% ଟଙ୍କା ରଖି ଅବଶିଷ୍ଟ ୫୨,୬୩୭ କୋଟି ଟଙ୍କା ସରକାରଙ୍କୁ ଦେଇ ଦେଲେ ।

ରିଜର୍ଭ ବ୍ୟାଙ୍କ ଭବିଷ୍ୟତର ଅନିଶ୍ଚିତ ଆର୍ଥିକ ଦୁସ୍ଥିତିରୁ ଦେଶର ଅର୍ଥବ୍ୟବସ୍ଥାକୁ ବଞ୍ଚାଇବା ପାଇଁ କେତେ ଟଙ୍କା ତାହାର ଗଚ୍ଛିତ ପୂଞ୍ଜି ଓ ଆକସ୍ମିକ ନିଧିରେ ରଖି ପାରିବ ତାହା ଏକ ବିତର୍କର ବିଷୟ । ଆଉ ପୁଣି ରିଜର୍ଭ ବ୍ୟାଙ୍କ ଯେ ଆଗରୁ ଆଶଙ୍କା କରାଯାଇଥିବା ଭଳି ବୈଦେଶିକ ମୁଦ୍ରାର ମୁଲ୍ୟ ବୄଦ୍ଧିଜନିତ କ୍ଷତିକୁ ମୁକାବିଲା କରିବାକୁ ଥିବା ପୁନର୍ମୂଲ୍ୟାୟନ ପାଣ୍ଠିରୁ ଏହି ଟଙ୍କା ଦେଉ ନାହାନ୍ତି ତାହା ବି ଏକ ସାନ୍ତ୍ବନାର ବିଷୟ ।

ମାତ୍ର ସରକାର ପ୍ରଥମ ଥର ପାଇଁ ନିଜର ଆର୍ଥିକ ପରିଚାଳନାର ଅପାରଗତାକୁ ମୁକାବିଲା କରିବା ପାଇଁ ରିଜର୍ଭ ବ୍ୟାଙ୍କର ଗଚ୍ଛିତ ପାଣ୍ଠି ଉପରେ ଆଖି ପକାଇଲେ, ଯାହା ଅତୀତର ସରକାରମାନେ ନ ନେଇ ସେଠାରେ ରଖିଥିଲେ । ଏହି ଉଦାହରଣକୁ ଅନୁସରଣ କରି ଭବିଷ୍ୟତର ସରକାରମାନେ ବି ରିଜର୍ଭ ବ୍ୟାଙ୍କର ପାଣ୍ଠିରୁ ଅଧିକରୁ ଅଧିକ ଟଙ୍କା ଦାବୀ କରି ସେଠାରେ ସଖି କଣ୍ଢେଇ ଗଭର୍ଣର ନିଯୁକ୍ତ କରି ଅନ୍ୟାନ୍ୟ ଫନ୍ଦି ଫିକର କରିବେ । ଏହା ରିଜର୍ଭ ବ୍ୟାଙ୍କର ସ୍ବାୟତ୍ତତା ପ୍ରତି ପ୍ରଶ୍ନ ଛିଡା କରୁଛି । ଅବଶ୍ୟ ଯେଉଁଦିନ ରିଜର୍ଭବ୍ୟାଙ୍କର ମତାମତକୁ ଭୄକ୍ଷେପ ନ କରି ସରକାର ନୋଟବନ୍ଦୀ ଘୋଷଣା କରିଥିଲେ ସେହି ଦିନଠାରୁ ତାହାର ସ୍ବାୟତ୍ତତା ସହିତ ଖେଳ ଆରମ୍ଭ ହୋଇ ସାରିଛି । ଏହା ଆନ୍ତର୍ଜାତିକ ଆର୍ଥିକ ସଂସ୍ଥାମାନଙ୍କୁ ଏକ ସନ୍ଦେହର ବାର୍ତ୍ତା ଦେଉଛି ।

ଏବେ ପ୍ରଶ୍ନ ଆସୁଛି ଯେ ସରକାର ଏହି ଟଙ୍କା ନେଇ କରିବେ କ’ଣ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହାର ଉତ୍ତର ଦେବାକୁ ରୋକଠୋକ ମନା କରି ଦେଇଛନ୍ତି ।

ଗତ ବଜେଟରେ ସରକାର ଆର୍ଥିକ ନିଅଣ୍ଟକୁ ଜିଡିପିର ୩.୩% ମଧ୍ୟରେ ସୀମିତ ରଖିବା ପାଇଁ ଯେଉଁ ଆୟବ୍ୟୟର ହିସାବ ଦେଇଥିଲେ ସେଥିରେ ରିଜର୍ଭ ବ୍ୟାଙ୍କରୁ ୯୦,୦୦୦ କୋଟି ଟଙ୍କା ପାଇବେ ବୋଲି ଉଲ୍ଲେଖ କରି ସାରିଥିଲେ । ତେଣୁ ଏହି ଘୋଷଣା ଫଳରେ ସରକାରଙ୍କୁ ଆଉ ଅତିରିକ୍ତ ୮୬୦୦୦ କୋଟି (୧୭୬୦୦୦-୯୦୦୦୦) ଟଙ୍କା ମିଳିବ । ସେଥିରୁ ପୁଣି ସରକାର ଆର୍ଥିକ ବର୍ଷ ନ ପୁରୁଣୁ ଅନ୍ତରୀଣ ଲାଭାଂଶ ବାବଦରେ ଗତ ବର୍ଷ ୨୮୦୦୦ କୋଟୀ ଟଙ୍କା ନେଇ ସାରିଛନ୍ତି । ତେଣୁ ଚଳିତ ବର୍ଷର ଆର୍ଥିକ ନିଅଣ୍ଟ ଭରିବା ପାଇଁ ସରକାରଙ୍କୁ ଆଉ ଅତିରିକ୍ତ ୫୮୦୦୦ (୮୬୦୦୦-୫୮୦୦୦) କୋଟି ଟଙ୍କା ମିଳିବ । ତଥାପି ରାଜସ୍ବ ଆଦାୟରେ ବିଫଳତା ସହ ଯୁଝୁଥିବା ଆଶାଶୂନ୍ୟ ସରକାରଙ୍କ ପାଇଁ ଏହି ଟଙ୍କା ଏକ ସାମୟିକ ଆଶ୍ବସ୍ତି ହେବ । କିନ୍ତୁ ସବୁଦିନ ତ ଆଉ ପୋତା ଧନ ଉପରେ ଆଶ୍ରା କରି ଅର୍ଥନୀତିକୁ ଚଳାଇ ହେବନି ନା ।

ତେବେ ସେ ଯାହା ହେଉ ସରକାରଙ୍କୁ ଚଳିତ ଆର୍ଥିକ ବର୍ଷରେ ରିଜର୍ଭ ବ୍ୟାଙ୍କରୁ ୧,୪୮,୦୦୦ କୋଟି ଟଙ୍କା (୧୭୬୦୦୦-୨୮୦୦୦) କୋଟି ଟଙ୍କା ମିଳିବାକୁ ଯାଉଛି । ବାରମ୍ଵାର କ୍ଷତି ଯୋଗୁଁ ବ୍ୟାପକ ପୁଞ୍ଜି ହରାଇଥିବା ସମସ୍ତ ସରକାରୀ ବ୍ୟାଙ୍କକୁ ସରକାର ଏବର୍ଷ ୭୦ ହଜାର କୋଟି ଟଙ୍କାର ନୂତନ ପୁଞ୍ଜି ଦେବାକୁ ଘୋଷଣା କରିଥିଲେ । ଏହା ଦ୍ବାରା ସେମାନେ ପୁଣି ଥରେ ୠଣ ଦେବାକୁ ସକ୍ଷମ ହେବେ ବୋଲି କୁହା ଯାଉଛି । ମାତ୍ର ପ୍ରକୄତ ସମସ୍ୟା ହେଉଛି ଯେ ବ୍ୟାଙ୍କଗୁଡିକର ୠଣ ନ ଦେବାର କାରଣ ଟଙ୍କାର ଅଭାବ ନୁହେଁ । ବରଂ ଏହାର କାରଣ ହେଉଛି ଯେ ସାଧାରଣ ଲୋକଙ୍କ ଘରୋଇ ସଞ୍ଚୟ ଗତ ୨୩ ବର୍ଷରେ ସର୍ବନିମ୍ନ ଅବସ୍ଥାକୁ ଆସି ଯାଇଥିବା ବେଳେ , ବେରୋଜଗାରି ଅବସ୍ଥା ଗତ ୪୫ ବର୍ଷର ରେକର୍ଡ ଭାଙ୍ଗିଥିବା ବେଳେ, ଅର୍ଥନୀତିରେ ଆଉ ଚାହିଦା ବା ଡିମାଣ୍ଡ ନାହିଁ, ଯେଉଁଥିପାଇ ଘରୋଇ ପୁଞ୍ଜିପତିମାନେ ଆଉ ୠଣ କରି ଉତ୍ପାଦନ ବଢାଇବାକୁ କିମ୍ବା ନୁଆ ଶିଳ୍ପ ସ୍ଥାପନ କରିବାକୁ ଚାହୁଁ ନାହାନ୍ତି ।

ସରକାର ଏହି ଟଙ୍କା ନେଇ ନିଜେ ରେଳବାଇ କିମ୍ବା ଅନ୍ୟାନ୍ୟ ଭିତ୍ତିଭୂମୀରେ ଖର୍ଚ୍ଚ କରି ରୋଜଗାର ସୄଷ୍ଟି କରିପାରନ୍ତି । ମାତ୍ର ଯେମିତି ଗୋଟିଏ ବଳଦରେ ଜମିରେ ହଳ କରାଯାଇ ପାରେନାହିଁ, ସେହିପରି ଯେ ପର୍ଯ୍ୟନ୍ତ ବନ୍ଦ ପଡିଥିବା ଘରୋଇ ପୁଞ୍ଜି ନିବେଶ ପୁଣି ଥରେ ଚାଲୁ ନ ହୋଇଛି ସେ ପର୍ଯ୍ୟନ୍ତ ଅର୍ଥନୀତି ରାସ୍ତାକୁ ଆସିବା ସମ୍ଭବ ନୂହେଁ । ତେଣୁ ସରକାର ମନରେଗାରେ, ସାମାଜିକ ନିରାପତ୍ତାରେ କିମ୍ବା କୄଷିଜାତ ଦ୍ରବ୍ୟର ସର୍ବନିମ୍ନ ମୂଲ୍ୟବୄଦ୍ଧି କରି ଏହି ଟଙ୍କା ସୀଧା ସଳଖ ଲୋକଙ୍କ ହାତରେ ଦିଅନ୍ତୁ । ପାଣି ଅଭାବରୁ ମରିବାକୁ ଯାଉଥିବା ଫୁଲଗଛକୁ ବଞ୍ଚାଇବା ପାଇଁ ଆପଣ ଆଗ ୪୦ ଫୁଟ ଉଚ୍ଚ ପାଣି ଟାଙ୍କିରେ ପାଣି ଭରିବାକୁ ଯିବେ କି ?
??

ମୋଟ ଉପରେ କହିବାକୁ ଗଲେ ରିଜର୍ଭ ବ୍ୟାଙ୍କ ଏଥର ସରକାରଙ୍କ ପାଇଁ ସାମୟିକ ଭାବେ ତ୍ରାଣକର୍ତ୍ତା ସାଜିଛି । ମାତ୍ର ମିଡିଆ ମାଧ୍ୟମରେ ଲୋକଙ୍କ ଧ୍ୟାନ ସବୁବେଳେ ହିନ୍ଦୁ-ମୁସଲିମ୍, ଦେଶପ୍ରେମୀ-ଦେଶଦ୍ରୋହୀ, ପାକିସ୍ଥାନ ଆଦି ବିଷୟ ଆଡକୁ ଦିଗ ପରିବର୍ତନ କରି କେତେ ଦିନ ଅର୍ଥନୀତିର କୃର ବାସ୍ତବ ସ୍ଥିତିକୁ ଲୁଚାଇ ହେବ ?

Share. Facebook Twitter LinkedIn Email WhatsApp Copy Link

Related Posts

ଦଳରୁ ଏବଂ ସାଂସଦ ପଦରୁ ଇସ୍ତଫା ଦେବା ପରେ ଏବେ କୁଆଡେ ଯିବେ ଦେବାଶିଷ ସାମନ୍ତରାୟ?

May 25, 2026

ବିଜେଡିରେ ବଡ କମ୍ପନ, ଦଳରୁ ଇସ୍ତଫା ଦେଲେ ସାଂସଦ ଦେବାଶିଷ ସାମନ୍ତରାୟ, କହିଲେ…..

May 25, 2026

ଉତ୍ତରାଖଣ୍ଡ ଏବଂ ଗୁଜରାଟ ପରେ ଏବେ ଏହି ରାଜ୍ୟରେ ଲାଗୁ ହେବ UCC: ବିଧାନସଭାରେ ଆଗତ ହେଲା ବିଲ୍ 

May 25, 2026

ବିଜେଡି ଛାଡିବେ ସାଂସଦ ଦେବାଶିଷ ସାମନ୍ତରାୟ, ବିଜେପିରେ ମିଶି ପୁଣି ଯିବେ ରାଜ୍ୟସଭା !!

May 25, 2026
Latest News

ଏକାଥରେ 67 ବିଇଓ ଙ୍କୁ ବଦଳି କଲେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଜାଣନ୍ତୁ କିଏ କେଉଁଠାକୁ ଗଲେ

May 25, 2026

ଭାଇରାଲ ଭିଡିଓ ମାମଲାରେ JDU ବିଧାୟକ ଅନନ୍ତ ସିଂହଙ୍କୁ ଗିରଫ କରାଯିବ କି?: ଆସିଲା ବଡ଼ ଅପଡେଟ୍

May 25, 2026

ଦଳରୁ ଏବଂ ସାଂସଦ ପଦରୁ ଇସ୍ତଫା ଦେବା ପରେ ଏବେ କୁଆଡେ ଯିବେ ଦେବାଶିଷ ସାମନ୍ତରାୟ?

May 25, 2026

ଭୟରେ କମ୍ପିବେ ଶତ୍ରୁ ଦେଶ: ଭାରତ ଆସୁଛି ୧୧୪ଟି ରାଫେଲ ଯୁଦ୍ଧ ବିମାନ

May 25, 2026

ଗୋଦାବାରୀଶ ଉଚ୍ଚ ବିଦ୍ୟାଳୟର ଯୁକ୍ତ ଦୁଇ ପରୀକ୍ଷା ଫଳାଫଳ

May 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.