Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ମତାମତ»ନରେନ୍ଦ୍ର ମୋଦିଙ୍କ ବିଚାର ବିଭ୍ରାଟ, କାଲି ଯାହା ଡେମୋଗ୍ରାଫିକ ଡିଭିଡେଣ୍ଡ ଥିଲା ଆଜି ତାହା ଦେଶର ସବୁଠୁ ବଡ ସଙ୍କଟ!!
ମତାମତ

ନରେନ୍ଦ୍ର ମୋଦିଙ୍କ ବିଚାର ବିଭ୍ରାଟ, କାଲି ଯାହା ଡେମୋଗ୍ରାଫିକ ଡିଭିଡେଣ୍ଡ ଥିଲା ଆଜି ତାହା ଦେଶର ସବୁଠୁ ବଡ ସଙ୍କଟ!!

September 2, 2019No Comments5 Mins Read
Share Facebook Twitter LinkedIn Email WhatsApp Copy Link

ରଙ୍ଗାଚରଣ ପ୍ରଧାନ

ତାହା ଥିଲା ୨୦୧୩ ମସିହା ଫେବୄଆରୀ ମାସର ଏକ ଅପରାହ୍ଣ । ପ୍ରାୟ ୨୦୦୦ ଛାତ୍ରଛାତ୍ରୀ ଦିଲ୍ଲୀର ପ୍ରତିଷ୍ଠିତ ଶ୍ରୀରାମ କଲେଜ୍ ଅଫ୍ କମର୍ସର ସଭାକକ୍ଷରେ ଦୀର୍ଘ ୭୫ ମିନିଟ୍ ଧରି ମୋଦୀଙ୍କ ଭାଷଣ ମନ୍ତ୍ରମୁଗ୍ଧ ହୋଇ ଶୁଣୁଥିଲେ । ସେତେବେଳେ ସେ ଆସନ୍ନ ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟିର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ । ଭଲ ଭାଷଣ ଦିଅନ୍ତି । ନୂଆ ନୂଆ କଥା କୁହନ୍ତି । କେବଳ ଛାତ୍ରଛାତ୍ରୀମାନେ ନୂହେଁ , ଟେଲିଭିଜନ୍ ମାଧ୍ୟମରେ କୋଟି କୋଟି ଦର୍ଶକ ଏକ ଅଭୂତପୂର୍ବ ଓଜସ୍ବିନୀ ଭାଷଣ ଶୁଣି ସେଦିନ ନିଜକୁ ଗର୍ବିତ ମନେ କରିଥିଲେ ।

ସେଦିନ ତାଙ୍କ ଭାଷଣରେ ସେ ‘ଡେମୋଗ୍ରାଫିକ୍ ଡିଭିଡେଣ୍ଡ’ ବୋଲି ଗୋଟିଏ କଥା କହିଥିଲେ । କଥାଟି ସାଧାରଣ ଲୋକଙ୍କ ପାଇଁ ନୂଆ । ଆଗରୁ କେଉଁ ନେତା ଏହି କଥା କହି ନଥିଲେ । ସେଇଥିପାଇଁ ତ ତାଙ୍କ ଭାଷଣ ସମସ୍ତଙ୍କୁ ଭଲ ଲାଗେ ଓ ତାଙ୍କୁ ଆମ ସମୟର ସବୁଠାରୁ ଭଲ ବକ୍ତା କୁହାଯାଏ । ଡେମୋଗ୍ରାଫିକ୍ ଡିଭିଡେଣ୍ଡର ଅର୍ଥ ବୁଝାଇବାକୁ ଯାଇ ସେ କହିଥିଲେ ‘ ଦେଶର ଜନସଂଖ୍ୟାର ୬୫% ଲୋକଙ୍କର ବୟସ ୩୫ ବର୍ଷରୁ କମ୍ । ଇଉରୋପ ବୄଦ୍ଧାବସ୍ଥାରେ ପହଞ୍ଚି ସାରିଛି । ଚୀନ୍ ମଧ୍ୟ ବୁଢାଲୋକରେ ଭରିଯାଇଛି । କିନ୍ତୁ ଭାରତ ଏବେ ଯୁବକ ଅଛି । ଦୁର୍ଭାଗ୍ୟବଶତଃ ଆମେ ଏହି ଡେମୋଗ୍ରାଫିକ୍ ସୁଯୋଗର ଫାଇଦା ନେଇ ପାରିନାହୁଁ ।’

କଥା ତ ସତ ଥିଲା । ଯେଉଁ ଦେଶରେ ଯୁବକଙ୍କ ସଂଖ୍ୟା ଅଧିକ, ସେ ଦେଶରେ କାମ କରିବାକୁ ସକ୍ଷମ ଥିବା ଲୋକଙ୍କ ସଂଖ୍ୟା ନିଶ୍ଚୟ ଅଧିକ । ଫଳରେ ଏହା ଦ୍ବାରା ଦେଶରେ ଉତ୍ପାଦନ ବଢିବା ସଙ୍ଗେ ସଙ୍ଗେ ଜିଡିପି ମଧ୍ୟ ବଢିବ ।

ତେବେ ଡେମୋଗ୍ରାଫିକ୍ ଡିଭିଡେଣ୍ଡର ଫାଇଦା ସେତିକି ବେଳେ ନେବା ସମ୍ଭବ ହେବ ଯେତେବେଳେ ଏହି ବିଶାଳ ଯୁବଗୋଷ୍ଠିର ହାତକୁ କାମ ଯୋଗାଇ ହେବ । ସେଥିପାଇଁ ଦେଶରେ ଜନସଂଖ୍ୟା ବୄଦ୍ଧି ସାଙ୍ଗକୁ ବିକାଶ ଦରର ବୄଦ୍ଧି ମଧ୍ୟ ତାଳ ଦେଇ ଚାଲିବା ଦରକାର , ଯାହାକି ଧନୀ ଦେଶଗୁଡିକର କ୍ଷେତ୍ରରେ ଦେଖା ଦେଇଥିଲା ।

ଦୁର୍ଭାଗ୍ୟବଶତଃ ଗତ ଦଶ ବର୍ଷ ଧରି ଭାରତର ବିକାଶ ବୄଦ୍ଧି ଦର ନିରନ୍ତର ଭାବେ ବଢି ନାହିଁ । ଗତ ମାର୍ଚ୍ଚମାସରେ ସରିଥିବା ତ୍ରୈମାସିକରେ ବିକାଶ ବୄଦ୍ଧି ଦର ନୈରାଶ୍ୟଜନକ ୫.୮% ରେ ପହଞ୍ଚିଛି । ଆର୍ଥିକ ମାନ୍ଦାବସ୍ଥା ଯୋଗୁଁ ଅଟୋ, କପଡା, ଟେଲି ଯୋଗାଯୋଗ, ପ୍ରତିରକ୍ଷା ସାମଗ୍ରୀ ଓ ଏଫ୍.ଏମ୍.ସି.ଜି କ୍ଷେତ୍ରରେ ବ୍ୟାପକ ଶ୍ରମିକ ଛଟେଇ ଚାଲିଛି । ଖୋଦ୍ ଏନ୍.ଏସ୍.ଏସ୍.ଓ ରିପୋର୍ଟ ଅନୁଯାୟୀ ୨୦୧୭-୧୮ ମସିହାରେ ବେରୋଜଗାର ଦର ୬.୧%ରେ ପହଞ୍ଚି ଯାଇଛି, ଯାହା ଗତ ୪୫ ବର୍ଷରେ ସର୍ବାଧିକ ।

ଏଣେ ଜାତିସଂଘର ଏକ ରିପୋର୍ଟ ଅନୁଯାୟୀ ୨୦୧୭ ମସିହା ସୁଦ୍ଧା ଭାରତରେ ୬୦ ବର୍ଷ ବୟସରୁ ଉର୍ଦ୍ଧ୍ବ ଲୋକଙ୍କ ସଂଖ୍ୟା ସମୁଦାୟ ଜନସଂଖ୍ୟାର ୮% ଥିଲା । ୨୦୫୦ ମସିହା ସୁଦ୍ଧା ତାହା ୧୯% ରେ ପହଞ୍ଚିଯିବ ବୋଲି ରିପୋର୍ଟରେ ପ୍ରକାଶ ପାଇଛି । କାର୍ଯ୍ୟ ଦକ୍ଷତା ହରାଇ ଦ୍ରୁତଗତିରେ ବଢୁଥିବା ଏତେ ସଂଖ୍ୟକ ବୄଦ୍ଧ ଲୋକଙ୍କ ପାଇଁ ପେନସନ୍ ଓ ଅନ୍ୟାନ୍ୟ ସାମାଜିକ ନିରାପତ୍ତାର ଖର୍ଚ୍ଚ ମଧ୍ୟ ବନ୍ଦୋବସ୍ତ କରିବାକୁ ପଡିବ ।

ଏବେ ୨୦୧୯କୁ ଆସନ୍ତୁ ।

ଗତ ଅଗଷ୍ଟ ୧୫ ତାରିଖରେ ପ୍ରଧାନମନ୍ତ୍ରୀ କହିଲେ, ‘ ଜନସଂଖ୍ୟା ବିଷ୍ଫୋରଣ ଅବାଧରେ ହେଉଛି । ଏହି ବିଷ୍ଫୋରଣ ଆମ ପାଇଁ ଓ ପରବର୍ତ୍ତୀ ପିଢି ପାଇଁ ମଧ୍ୟ ଅସଂଖ୍ୟ ସମସ୍ୟା ସୄଷ୍ଟି କରୁଛି ।’ ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣ ମାଧ୍ୟମରେ ଛୋଟ ପରିବାର ରଖିବାକୁ ଦେଶପ୍ରେମ ସହ ତୁଳନା କରିଥିଲେ ।

ପ୍ରଧାନମନ୍ତ୍ରୀ ଦେଇଥିବା ଏହି ଭାଷଣରୁ ଜଣା ପଡୁଛି ଯେ ସେ ଭାରତର ଡେମୋଗ୍ରାଫିକ୍ ସୁଯୋଗକୁ ନେଇ ଆଉ ଆଶାବାଦୀ ନାହାନ୍ତି । ସେ ଏବେ ଭାରତର ଜନସଂଖ୍ୟା କମାଇବାକୁ ଚାହୁଁଛନ୍ତି ।

ସ୍ବାଧୀନତା ଦିବସରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଦେଇଥିବା ଭାଷଣକୁ ସବୁବେଳେ ଗୁରୁତ୍ବ ଦିଆଯାଇ ଥାଏ । ସାଧାରଣ ଭାବରେ ଦେଶରେ ଦେଖା ଦେଉଥିବା ପ୍ରାୟ ପ୍ରତ୍ଯେକ ସମସ୍ୟା ପାଇଁ ଜନସଂଖ୍ୟା ବୄଦ୍ଧିକୁ ଦାୟୀ କରାଯାଇ ପାରିବ । କିନ୍ତୁ ମାତ୍ର ସାଢେ ପାଞ୍ଚବର୍ଷ ପୁର୍ବେ ଜନସଂଖ୍ୟା ବୄଦ୍ଧି ପ୍ରତି ବେଖାତିର ଥିବା ଓ ଦେଶର ବିଶାଳ ଯୁବଗୋଷ୍ଠିକୁ ନେଇ ଗର୍ବ କରିଥିବା ପ୍ରଧାନମନ୍ତ୍ରୀ ଏବେ ହଠାତ୍ ଜନସଂଖ୍ୟାକୁ ନେଇ ଚିନ୍ତିତ ହେବା ନିଶ୍ଚୟ ତାତ୍ପର୍ଯ୍ୟପୁର୍ଣ ଅଟେ ।

ଜନସଂଖ୍ୟା କମାଇବା କିମ୍ବା ଛୋଟ ପରିବାର ରଖିବାର ଆବଶ୍ୟକତା ସହ କାହାର ବି ଦ୍ବିମତ ରହିବ ନାହିଁ । କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ଭାଷଣକୁ ଭଲ ରୁପେ ବୁଝିବା ପାଇଁ ଏହି ଜନସଂଖ୍ୟା ବୄଦ୍ଧିର ବର୍ତମାନ ସ୍ବରୁପକୁ ନିଶ୍ଚୟ ତର୍ଜମା କରାଯିବାର ଆବଶ୍ୟକତା ରହିଛି ।

ଜନସଂଖ୍ୟାର ସ୍ଥିତି ଓ ଏହାର ବିଭିନ୍ନ ସତମିଛ ଦିଗକୁ ନେଇ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ପ୍ରକାର ଆଲୋଚନାର ଅଭାବ ନାହିଁ । ମାତ୍ର ଜନସଂଖ୍ୟାକୁ ସାରା ପୄଥିବୀରେ ଦୁଇଟି ଉପାୟରେ ଦେଖାଯାଏ ।

ନ୍ୟାସନାଲ୍ ଫ୍ୟାମିଲି ହେଲ୍ଥ ସର୍ଭେର ରିପୋର୍ଟକୁ ଆଧାର କରି ସରକାର ନିଜର ବିଭିନ୍ନ ନୀତି ପ୍ରସ୍ତୁତ କରିଥାନ୍ତି । ଏହି ସର୍ଭେ କହିଛି ଯେ ୨୦୧୬ ମସିହାରେ ଭାରତର ଜଣେ ମହିଳା ହାରାହାରି ହିସାବରେ ୨.୨ଟି (ଦୁଇ ଦଶମିକ ଦୁଇ) ସନ୍ତାନ ଜନ୍ମ କରୁଥିଲା । ଏହାକୁ ଟି.ଏଫ୍.ଆର୍ (Total Fertility Rate) କୁହାଯାଏ । ଯେତେବେଳେ ଏହି ଟି.ଏଫ୍.ଆର୍ ୨.୧ ରେ ପହଞ୍ଚିଥାଏ ଥାଏ, ସେତେବେଳେ ବୁଝାଯାଏ ଯେ ଗୋଟିଏ ପିଢିକୁ ସମାନ ସଂଖ୍ୟକ ପରବର୍ତ୍ତୀ ପିଢି ସ୍ଥାନାନ୍ତରିତ କରୁଛି । ତେଣୁ ଏହି ୨.୧ ଏକ ଆଦର୍ଶ ଟି.ଏଫ୍.ଆର୍ ବା ଆଦର୍ଶ ପ୍ରଜନନ ହାର । ଉକ୍ତ ରିପୋର୍ଟ ଅନୁଯାୟୀ ୨୦୧୬ ସୁଦ୍ଧା ୧୮ଟି ରାଜ୍ୟ ଓ ୫ଟି କେନ୍ଦ୍ରଶାସିତ ଅଞ୍ଚଳ ଏହି ୨.୧ ଟି.ଏଫ୍.ଆର୍ ହାସଲ କରି ସାରିଛନ୍ତି ।

ଟି.ଏଫ୍.ଆର୍ ହିସାବ କଲାବେଳେ ୧୫ରୁ ୪୯ ବର୍ଷ ବୟସ ସୀମା ମଧ୍ୟରେ ରହିଥିବା ମହିଳାମାନଙ୍କୁ ବିଚାର କରାଯାଏ ।

ଏହା ବ୍ୟତୀତ ରେଜିଷ୍ଟ୍ରାର୍ ଜେନେରାଲ୍ ଅଫ୍ ଇଣ୍ଡିଆଙ୍କ ଅଫିସ୍ ଦ୍ବାରା ୨୦୧୭ ମସିହା ପାଇଁ ଜାରି ହୋଇଥିବା ରିପୋର୍ଟରେ ମଧ୍ୟ ଭାରତର ଟି.ଏଫ୍.ଆର୍ ୨.୨ ରହିଛି ବୋଲି କୁହାଯାଇଛି । କେବଳ ୭ଟି ରାଜ୍ୟର – ଆସାମ, ବିହାର, ଛତିଶଗଡ, ଝାଡଖଣ୍ଡ, ମଧ୍ୟ ପ୍ରଦେଶ, ରାଜସ୍ଥାନ ଓ ଉତ୍ତର ପ୍ରଦେଶ – ଟି.ଏଫ୍.ଆର୍ ଏବେ ୨.୨ଠାରୁ ଅଧିକ ରହିଛି ।

ଏ ତ ଗଲା ଟି.ଏଫ୍.ଆର୍ କଥା । ଏହା ସହିତ ଜନସଂଖ୍ୟା ବୄଦ୍ଧି ଦରକୁ ମଧ୍ୟ ମିଶାଇ ଦେଖିବାକୁ ପଡିବ । ୨୦୧୧ ମସିହାର ଜନଗଣନା ଅନୁସାରେ ୨୦୦୧ରୁ ୨୦୧୧ ମସିହା ମଧ୍ୟରେ ଭାରତର ଜନସଂଖ୍ୟା ବୄଦ୍ଧି ଦର ଥିଲା ୧.୬୪% । ବିଶ୍ବବ୍ୟାଙ୍କ ଦେଇଥିବା ରିପୋର୍ଟ ମଧ୍ୟ ପ୍ରାୟ ସେହି କଥା କହିଛି । ବିଶ୍ବବ୍ୟାଙ୍କ କହିଛି ଯେ ୨୦୦୧ର ୨୦୧୬ ମଧ୍ୟରେ ଭାରତରେ ବାର୍ଷିକ ଜନସଂଖ୍ୟା ବୄଦ୍ଧି ଦର ୧.୭୩%ରୁ ୧.୦୪%କୁ କମିଛି ।

ପୁଣି ସରକାର ନିକଟରେ ପାର୍ଲିଆମେଣ୍ଟରେ ଆଗତ କରିଥିବା ୨୦୧୮-୧୯ର ଆର୍ଥିକ ସର୍ଭେରେ ଉଲ୍ଲେଖ କରିଛନ୍ତି ଯେ ୨୦୧୧ରୁ ୨୦୧୬ ମଧ୍ୟରେ ଏହି ବାର୍ଷିକ ଜନସଂଖ୍ୟା ବୄଦ୍ଧି ଦର ୧.୩% ଥିଲା । ଏପରିକି ୧୨ଟି ରାଜ୍ୟର ଏହି ବୄଦ୍ଧି ଦର ୧%ରୁ ବି କମ୍ ହୋଇ ସାରିଛି ।

ଏଣୁ ଏହି ତିନୋଟି ଯାକ ରିପୋର୍ଟ ପ୍ରାୟ ଏକା କଥା କହୁଛନ୍ତି । ଏବେ ଜନଗଣନା ରିପୋର୍ଟକୁ ଆଧାର କରି ହିସାବ କରାଯାଉଛି ଯେ ୨୦୨୧ ମସିହା ସୁଦ୍ଧା ଭାରତ ୨.୧ ଟି.ଏଫ୍.ଆର୍ ହାସଲ କରିନେବ । ଏହାର ସରଳ ଅର୍ଥ ହେଲା, ବାପା ଓ ମା’ ଦୁଇଜଣ ମିଶି , ଦୁଇଟି ସନ୍ତାନ ଜନ୍ମ ଦେବେ ।

୧୯୫୧ ମସିହାରୁ ଭାରତ ସରକାର ଜନସଂଖ୍ୟା ବୄଦ୍ଧି ସମସ୍ୟା ପ୍ରତି ସଜାଗ ରହି ପରିବାର ନିୟୋଜନ ଯୋଜନା ଆରମ୍ଭ କରିଛନ୍ତି । ଏପରି କରିବାରେ ଭାରତ ଥିଲା ବିଶ୍ବରେ ପ୍ରଥମ ଦେଶ । ସେତେବେଳେ ଭାରତର ଟି.ଏଫ୍.ଆର୍ ୫ ଉପରେ ଥିଲା । ଏଣୁ ୨୦୨୧ ମସିହା ସୁଦ୍ଧା, ଅର୍ଥାତ୍ ୭୦ ବର୍ଷରେ ଭାରତର ପରିବାର ନିୟୋଜନ ଯୋଜନା ସମ୍ପୁର୍ଣ ସଫଳତା ହାସଲ କରିବାକୁ ଯାଉଛି । ଖୋଦ୍ ମୋଦୀ ସରକାରଙ୍କର ବିଭିନ୍ନ ରିପୋର୍ଟ ଓ ବିଶ୍ବବ୍ୟାଙ୍କର ତଥ୍ୟ ଏହି ସଫଳତାକୁ ନିର୍ଦ୍ଦେଶ କରୁଛି ।

ତେଣୁ ଏସବୁ ଦୄଷ୍ଟିରୁ ଜନସଂଖ୍ୟା ବୄଦ୍ଧି ନେଇ ପ୍ରଧାନମନ୍ତ୍ରୀ ହଠାତ୍ ସତର୍କ ଘଣ୍ଟି ବଜାଇବାର କାରଣ ହୁଏତ ଆଉ କିଛି ଥାଇପାରେ, କିନ୍ତୁ ପ୍ରତ୍ୟେକଟି ତଥ୍ୟ ଏପରି ଆଶଙ୍କାକୁ ଅମୁଳକ ବୋଲି ପ୍ରମାଣ କରୁଛି ।

Share. Facebook Twitter LinkedIn Email WhatsApp Copy Link

Related Posts

କୃଷି କ୍ଷେତ୍ରରେ ବିପ୍ଳବ ଆଣିବ କୃଷି ଭିତ୍ତିଭୂମି ପାଣ୍ଠି: ଶିବରାଜ ସିଂ ଚୌହାନ

February 14, 2026

ସେବା ତୀର୍ଥରୁ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ନିଷ୍ପତ୍ତିରେ ପ୍ରତିଫଳିତ ହେଲା ସେବା ଓ ସମାଜ କଲ୍ୟାଣର ଭାବନା

February 14, 2026

‘ସେବା ତୀର୍ଥ’କୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ

February 13, 2026

ଶ୍ରୀଜଗନ୍ନାଥ ଦର୍ଶନ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ: ମହାପ୍ରଭୁଙ୍କ ଦର୍ଶନ କରିବେ ୧ ଲକ୍ଷରୁ ଉର୍ଦ୍ଧ୍ୱ ଭକ୍ତ

February 13, 2026
Latest News

ଭାରତକୁ ପରାସ୍ତ କରିବ ପାକିସ୍ତାନ!: ଜିମ୍ବାୱେ ର ଉଦାହରଣ ଦେଇ ଉପହାସ କଲେ ମହମ୍ମଦ ୟୁସୁଫ

February 14, 2026

କୃଷି କ୍ଷେତ୍ରରେ ବିପ୍ଳବ ଆଣିବ କୃଷି ଭିତ୍ତିଭୂମି ପାଣ୍ଠି: ଶିବରାଜ ସିଂ ଚୌହାନ

February 14, 2026

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ୱାଲଟେୟାର ମଣ୍ଡଳର ପ୍ରମୁଖ ସେକ୍ସନ ଗୁଡିକର ନୀରିକ୍ଷଣ

February 14, 2026

ଆଜି ଆସାମ ଗସ୍ତ କରିବେ ପ୍ରଧାନମନ୍ତ୍ରୀ

February 14, 2026

ଯାତ୍ରୀ ସୁରକ୍ଷା ଖର୍ଚ୍ଚକୁ ୧,୧୭,୬୯୩ କୋଟିକୁ ବୃଦ୍ଧି କଲା ଭାରତୀୟ ରେଳବାଇ

February 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.