ନରେନ୍ଦ୍ର ମୋଦିଙ୍କ ବିଚାର ବିଭ୍ରାଟ, କାଲି ଯାହା ଡେମୋଗ୍ରାଫିକ ଡିଭିଡେଣ୍ଡ ଥିଲା ଆଜି ତାହା ଦେଶର ସବୁଠୁ ବଡ ସଙ୍କଟ!!

Published: Sep 2, 2019, 1:09 pm IST

ରଙ୍ଗାଚରଣ ପ୍ରଧାନ

ତାହା ଥିଲା ୨୦୧୩ ମସିହା ଫେବୄଆରୀ ମାସର ଏକ ଅପରାହ୍ଣ । ପ୍ରାୟ ୨୦୦୦ ଛାତ୍ରଛାତ୍ରୀ ଦିଲ୍ଲୀର ପ୍ରତିଷ୍ଠିତ ଶ୍ରୀରାମ କଲେଜ୍ ଅଫ୍ କମର୍ସର ସଭାକକ୍ଷରେ ଦୀର୍ଘ ୭୫ ମିନିଟ୍ ଧରି ମୋଦୀଙ୍କ ଭାଷଣ ମନ୍ତ୍ରମୁଗ୍ଧ ହୋଇ ଶୁଣୁଥିଲେ । ସେତେବେଳେ ସେ ଆସନ୍ନ ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟିର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ । ଭଲ ଭାଷଣ ଦିଅନ୍ତି । ନୂଆ ନୂଆ କଥା କୁହନ୍ତି । କେବଳ ଛାତ୍ରଛାତ୍ରୀମାନେ ନୂହେଁ , ଟେଲିଭିଜନ୍ ମାଧ୍ୟମରେ କୋଟି କୋଟି ଦର୍ଶକ ଏକ ଅଭୂତପୂର୍ବ ଓଜସ୍ବିନୀ ଭାଷଣ ଶୁଣି ସେଦିନ ନିଜକୁ ଗର୍ବିତ ମନେ କରିଥିଲେ ।

ସେଦିନ ତାଙ୍କ ଭାଷଣରେ ସେ ‘ଡେମୋଗ୍ରାଫିକ୍ ଡିଭିଡେଣ୍ଡ’ ବୋଲି ଗୋଟିଏ କଥା କହିଥିଲେ । କଥାଟି ସାଧାରଣ ଲୋକଙ୍କ ପାଇଁ ନୂଆ । ଆଗରୁ କେଉଁ ନେତା ଏହି କଥା କହି ନଥିଲେ । ସେଇଥିପାଇଁ ତ ତାଙ୍କ ଭାଷଣ ସମସ୍ତଙ୍କୁ ଭଲ ଲାଗେ ଓ ତାଙ୍କୁ ଆମ ସମୟର ସବୁଠାରୁ ଭଲ ବକ୍ତା କୁହାଯାଏ । ଡେମୋଗ୍ରାଫିକ୍ ଡିଭିଡେଣ୍ଡର ଅର୍ଥ ବୁଝାଇବାକୁ ଯାଇ ସେ କହିଥିଲେ ‘ ଦେଶର ଜନସଂଖ୍ୟାର ୬୫% ଲୋକଙ୍କର ବୟସ ୩୫ ବର୍ଷରୁ କମ୍ । ଇଉରୋପ ବୄଦ୍ଧାବସ୍ଥାରେ ପହଞ୍ଚି ସାରିଛି । ଚୀନ୍ ମଧ୍ୟ ବୁଢାଲୋକରେ ଭରିଯାଇଛି । କିନ୍ତୁ ଭାରତ ଏବେ ଯୁବକ ଅଛି । ଦୁର୍ଭାଗ୍ୟବଶତଃ ଆମେ ଏହି ଡେମୋଗ୍ରାଫିକ୍ ସୁଯୋଗର ଫାଇଦା ନେଇ ପାରିନାହୁଁ ।’

କଥା ତ ସତ ଥିଲା । ଯେଉଁ ଦେଶରେ ଯୁବକଙ୍କ ସଂଖ୍ୟା ଅଧିକ, ସେ ଦେଶରେ କାମ କରିବାକୁ ସକ୍ଷମ ଥିବା ଲୋକଙ୍କ ସଂଖ୍ୟା ନିଶ୍ଚୟ ଅଧିକ । ଫଳରେ ଏହା ଦ୍ବାରା ଦେଶରେ ଉତ୍ପାଦନ ବଢିବା ସଙ୍ଗେ ସଙ୍ଗେ ଜିଡିପି ମଧ୍ୟ ବଢିବ ।

ତେବେ ଡେମୋଗ୍ରାଫିକ୍ ଡିଭିଡେଣ୍ଡର ଫାଇଦା ସେତିକି ବେଳେ ନେବା ସମ୍ଭବ ହେବ ଯେତେବେଳେ ଏହି ବିଶାଳ ଯୁବଗୋଷ୍ଠିର ହାତକୁ କାମ ଯୋଗାଇ ହେବ । ସେଥିପାଇଁ ଦେଶରେ ଜନସଂଖ୍ୟା ବୄଦ୍ଧି ସାଙ୍ଗକୁ ବିକାଶ ଦରର ବୄଦ୍ଧି ମଧ୍ୟ ତାଳ ଦେଇ ଚାଲିବା ଦରକାର , ଯାହାକି ଧନୀ ଦେଶଗୁଡିକର କ୍ଷେତ୍ରରେ ଦେଖା ଦେଇଥିଲା ।

ଦୁର୍ଭାଗ୍ୟବଶତଃ ଗତ ଦଶ ବର୍ଷ ଧରି ଭାରତର ବିକାଶ ବୄଦ୍ଧି ଦର ନିରନ୍ତର ଭାବେ ବଢି ନାହିଁ । ଗତ ମାର୍ଚ୍ଚମାସରେ ସରିଥିବା ତ୍ରୈମାସିକରେ ବିକାଶ ବୄଦ୍ଧି ଦର ନୈରାଶ୍ୟଜନକ ୫.୮% ରେ ପହଞ୍ଚିଛି । ଆର୍ଥିକ ମାନ୍ଦାବସ୍ଥା ଯୋଗୁଁ ଅଟୋ, କପଡା, ଟେଲି ଯୋଗାଯୋଗ, ପ୍ରତିରକ୍ଷା ସାମଗ୍ରୀ ଓ ଏଫ୍.ଏମ୍.ସି.ଜି କ୍ଷେତ୍ରରେ ବ୍ୟାପକ ଶ୍ରମିକ ଛଟେଇ ଚାଲିଛି । ଖୋଦ୍ ଏନ୍.ଏସ୍.ଏସ୍.ଓ ରିପୋର୍ଟ ଅନୁଯାୟୀ ୨୦୧୭-୧୮ ମସିହାରେ ବେରୋଜଗାର ଦର ୬.୧%ରେ ପହଞ୍ଚି ଯାଇଛି, ଯାହା ଗତ ୪୫ ବର୍ଷରେ ସର୍ବାଧିକ ।

ଏଣେ ଜାତିସଂଘର ଏକ ରିପୋର୍ଟ ଅନୁଯାୟୀ ୨୦୧୭ ମସିହା ସୁଦ୍ଧା ଭାରତରେ ୬୦ ବର୍ଷ ବୟସରୁ ଉର୍ଦ୍ଧ୍ବ ଲୋକଙ୍କ ସଂଖ୍ୟା ସମୁଦାୟ ଜନସଂଖ୍ୟାର ୮% ଥିଲା । ୨୦୫୦ ମସିହା ସୁଦ୍ଧା ତାହା ୧୯% ରେ ପହଞ୍ଚିଯିବ ବୋଲି ରିପୋର୍ଟରେ ପ୍ରକାଶ ପାଇଛି । କାର୍ଯ୍ୟ ଦକ୍ଷତା ହରାଇ ଦ୍ରୁତଗତିରେ ବଢୁଥିବା ଏତେ ସଂଖ୍ୟକ ବୄଦ୍ଧ ଲୋକଙ୍କ ପାଇଁ ପେନସନ୍ ଓ ଅନ୍ୟାନ୍ୟ ସାମାଜିକ ନିରାପତ୍ତାର ଖର୍ଚ୍ଚ ମଧ୍ୟ ବନ୍ଦୋବସ୍ତ କରିବାକୁ ପଡିବ ।

ଏବେ ୨୦୧୯କୁ ଆସନ୍ତୁ ।

ଗତ ଅଗଷ୍ଟ ୧୫ ତାରିଖରେ ପ୍ରଧାନମନ୍ତ୍ରୀ କହିଲେ, ‘ ଜନସଂଖ୍ୟା ବିଷ୍ଫୋରଣ ଅବାଧରେ ହେଉଛି । ଏହି ବିଷ୍ଫୋରଣ ଆମ ପାଇଁ ଓ ପରବର୍ତ୍ତୀ ପିଢି ପାଇଁ ମଧ୍ୟ ଅସଂଖ୍ୟ ସମସ୍ୟା ସୄଷ୍ଟି କରୁଛି ।’ ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣ ମାଧ୍ୟମରେ ଛୋଟ ପରିବାର ରଖିବାକୁ ଦେଶପ୍ରେମ ସହ ତୁଳନା କରିଥିଲେ ।

ପ୍ରଧାନମନ୍ତ୍ରୀ ଦେଇଥିବା ଏହି ଭାଷଣରୁ ଜଣା ପଡୁଛି ଯେ ସେ ଭାରତର ଡେମୋଗ୍ରାଫିକ୍ ସୁଯୋଗକୁ ନେଇ ଆଉ ଆଶାବାଦୀ ନାହାନ୍ତି । ସେ ଏବେ ଭାରତର ଜନସଂଖ୍ୟା କମାଇବାକୁ ଚାହୁଁଛନ୍ତି ।

ସ୍ବାଧୀନତା ଦିବସରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଦେଇଥିବା ଭାଷଣକୁ ସବୁବେଳେ ଗୁରୁତ୍ବ ଦିଆଯାଇ ଥାଏ । ସାଧାରଣ ଭାବରେ ଦେଶରେ ଦେଖା ଦେଉଥିବା ପ୍ରାୟ ପ୍ରତ୍ଯେକ ସମସ୍ୟା ପାଇଁ ଜନସଂଖ୍ୟା ବୄଦ୍ଧିକୁ ଦାୟୀ କରାଯାଇ ପାରିବ । କିନ୍ତୁ ମାତ୍ର ସାଢେ ପାଞ୍ଚବର୍ଷ ପୁର୍ବେ ଜନସଂଖ୍ୟା ବୄଦ୍ଧି ପ୍ରତି ବେଖାତିର ଥିବା ଓ ଦେଶର ବିଶାଳ ଯୁବଗୋଷ୍ଠିକୁ ନେଇ ଗର୍ବ କରିଥିବା ପ୍ରଧାନମନ୍ତ୍ରୀ ଏବେ ହଠାତ୍ ଜନସଂଖ୍ୟାକୁ ନେଇ ଚିନ୍ତିତ ହେବା ନିଶ୍ଚୟ ତାତ୍ପର୍ଯ୍ୟପୁର୍ଣ ଅଟେ ।

ଜନସଂଖ୍ୟା କମାଇବା କିମ୍ବା ଛୋଟ ପରିବାର ରଖିବାର ଆବଶ୍ୟକତା ସହ କାହାର ବି ଦ୍ବିମତ ରହିବ ନାହିଁ । କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ଭାଷଣକୁ ଭଲ ରୁପେ ବୁଝିବା ପାଇଁ ଏହି ଜନସଂଖ୍ୟା ବୄଦ୍ଧିର ବର୍ତମାନ ସ୍ବରୁପକୁ ନିଶ୍ଚୟ ତର୍ଜମା କରାଯିବାର ଆବଶ୍ୟକତା ରହିଛି ।

ଜନସଂଖ୍ୟାର ସ୍ଥିତି ଓ ଏହାର ବିଭିନ୍ନ ସତମିଛ ଦିଗକୁ ନେଇ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ପ୍ରକାର ଆଲୋଚନାର ଅଭାବ ନାହିଁ । ମାତ୍ର ଜନସଂଖ୍ୟାକୁ ସାରା ପୄଥିବୀରେ ଦୁଇଟି ଉପାୟରେ ଦେଖାଯାଏ ।

ନ୍ୟାସନାଲ୍ ଫ୍ୟାମିଲି ହେଲ୍ଥ ସର୍ଭେର ରିପୋର୍ଟକୁ ଆଧାର କରି ସରକାର ନିଜର ବିଭିନ୍ନ ନୀତି ପ୍ରସ୍ତୁତ କରିଥାନ୍ତି । ଏହି ସର୍ଭେ କହିଛି ଯେ ୨୦୧୬ ମସିହାରେ ଭାରତର ଜଣେ ମହିଳା ହାରାହାରି ହିସାବରେ ୨.୨ଟି (ଦୁଇ ଦଶମିକ ଦୁଇ) ସନ୍ତାନ ଜନ୍ମ କରୁଥିଲା । ଏହାକୁ ଟି.ଏଫ୍.ଆର୍ (Total Fertility Rate) କୁହାଯାଏ । ଯେତେବେଳେ ଏହି ଟି.ଏଫ୍.ଆର୍ ୨.୧ ରେ ପହଞ୍ଚିଥାଏ ଥାଏ, ସେତେବେଳେ ବୁଝାଯାଏ ଯେ ଗୋଟିଏ ପିଢିକୁ ସମାନ ସଂଖ୍ୟକ ପରବର୍ତ୍ତୀ ପିଢି ସ୍ଥାନାନ୍ତରିତ କରୁଛି । ତେଣୁ ଏହି ୨.୧ ଏକ ଆଦର୍ଶ ଟି.ଏଫ୍.ଆର୍ ବା ଆଦର୍ଶ ପ୍ରଜନନ ହାର । ଉକ୍ତ ରିପୋର୍ଟ ଅନୁଯାୟୀ ୨୦୧୬ ସୁଦ୍ଧା ୧୮ଟି ରାଜ୍ୟ ଓ ୫ଟି କେନ୍ଦ୍ରଶାସିତ ଅଞ୍ଚଳ ଏହି ୨.୧ ଟି.ଏଫ୍.ଆର୍ ହାସଲ କରି ସାରିଛନ୍ତି ।

ଟି.ଏଫ୍.ଆର୍ ହିସାବ କଲାବେଳେ ୧୫ରୁ ୪୯ ବର୍ଷ ବୟସ ସୀମା ମଧ୍ୟରେ ରହିଥିବା ମହିଳାମାନଙ୍କୁ ବିଚାର କରାଯାଏ ।

ଏହା ବ୍ୟତୀତ ରେଜିଷ୍ଟ୍ରାର୍ ଜେନେରାଲ୍ ଅଫ୍ ଇଣ୍ଡିଆଙ୍କ ଅଫିସ୍ ଦ୍ବାରା ୨୦୧୭ ମସିହା ପାଇଁ ଜାରି ହୋଇଥିବା ରିପୋର୍ଟରେ ମଧ୍ୟ ଭାରତର ଟି.ଏଫ୍.ଆର୍ ୨.୨ ରହିଛି ବୋଲି କୁହାଯାଇଛି । କେବଳ ୭ଟି ରାଜ୍ୟର – ଆସାମ, ବିହାର, ଛତିଶଗଡ, ଝାଡଖଣ୍ଡ, ମଧ୍ୟ ପ୍ରଦେଶ, ରାଜସ୍ଥାନ ଓ ଉତ୍ତର ପ୍ରଦେଶ – ଟି.ଏଫ୍.ଆର୍ ଏବେ ୨.୨ଠାରୁ ଅଧିକ ରହିଛି ।

ଏ ତ ଗଲା ଟି.ଏଫ୍.ଆର୍ କଥା । ଏହା ସହିତ ଜନସଂଖ୍ୟା ବୄଦ୍ଧି ଦରକୁ ମଧ୍ୟ ମିଶାଇ ଦେଖିବାକୁ ପଡିବ । ୨୦୧୧ ମସିହାର ଜନଗଣନା ଅନୁସାରେ ୨୦୦୧ରୁ ୨୦୧୧ ମସିହା ମଧ୍ୟରେ ଭାରତର ଜନସଂଖ୍ୟା ବୄଦ୍ଧି ଦର ଥିଲା ୧.୬୪% । ବିଶ୍ବବ୍ୟାଙ୍କ ଦେଇଥିବା ରିପୋର୍ଟ ମଧ୍ୟ ପ୍ରାୟ ସେହି କଥା କହିଛି । ବିଶ୍ବବ୍ୟାଙ୍କ କହିଛି ଯେ ୨୦୦୧ର ୨୦୧୬ ମଧ୍ୟରେ ଭାରତରେ ବାର୍ଷିକ ଜନସଂଖ୍ୟା ବୄଦ୍ଧି ଦର ୧.୭୩%ରୁ ୧.୦୪%କୁ କମିଛି ।

ପୁଣି ସରକାର ନିକଟରେ ପାର୍ଲିଆମେଣ୍ଟରେ ଆଗତ କରିଥିବା ୨୦୧୮-୧୯ର ଆର୍ଥିକ ସର୍ଭେରେ ଉଲ୍ଲେଖ କରିଛନ୍ତି ଯେ ୨୦୧୧ରୁ ୨୦୧୬ ମଧ୍ୟରେ ଏହି ବାର୍ଷିକ ଜନସଂଖ୍ୟା ବୄଦ୍ଧି ଦର ୧.୩% ଥିଲା । ଏପରିକି ୧୨ଟି ରାଜ୍ୟର ଏହି ବୄଦ୍ଧି ଦର ୧%ରୁ ବି କମ୍ ହୋଇ ସାରିଛି ।

ଏଣୁ ଏହି ତିନୋଟି ଯାକ ରିପୋର୍ଟ ପ୍ରାୟ ଏକା କଥା କହୁଛନ୍ତି । ଏବେ ଜନଗଣନା ରିପୋର୍ଟକୁ ଆଧାର କରି ହିସାବ କରାଯାଉଛି ଯେ ୨୦୨୧ ମସିହା ସୁଦ୍ଧା ଭାରତ ୨.୧ ଟି.ଏଫ୍.ଆର୍ ହାସଲ କରିନେବ । ଏହାର ସରଳ ଅର୍ଥ ହେଲା, ବାପା ଓ ମା’ ଦୁଇଜଣ ମିଶି , ଦୁଇଟି ସନ୍ତାନ ଜନ୍ମ ଦେବେ ।

୧୯୫୧ ମସିହାରୁ ଭାରତ ସରକାର ଜନସଂଖ୍ୟା ବୄଦ୍ଧି ସମସ୍ୟା ପ୍ରତି ସଜାଗ ରହି ପରିବାର ନିୟୋଜନ ଯୋଜନା ଆରମ୍ଭ କରିଛନ୍ତି । ଏପରି କରିବାରେ ଭାରତ ଥିଲା ବିଶ୍ବରେ ପ୍ରଥମ ଦେଶ । ସେତେବେଳେ ଭାରତର ଟି.ଏଫ୍.ଆର୍ ୫ ଉପରେ ଥିଲା । ଏଣୁ ୨୦୨୧ ମସିହା ସୁଦ୍ଧା, ଅର୍ଥାତ୍ ୭୦ ବର୍ଷରେ ଭାରତର ପରିବାର ନିୟୋଜନ ଯୋଜନା ସମ୍ପୁର୍ଣ ସଫଳତା ହାସଲ କରିବାକୁ ଯାଉଛି । ଖୋଦ୍ ମୋଦୀ ସରକାରଙ୍କର ବିଭିନ୍ନ ରିପୋର୍ଟ ଓ ବିଶ୍ବବ୍ୟାଙ୍କର ତଥ୍ୟ ଏହି ସଫଳତାକୁ ନିର୍ଦ୍ଦେଶ କରୁଛି ।

ତେଣୁ ଏସବୁ ଦୄଷ୍ଟିରୁ ଜନସଂଖ୍ୟା ବୄଦ୍ଧି ନେଇ ପ୍ରଧାନମନ୍ତ୍ରୀ ହଠାତ୍ ସତର୍କ ଘଣ୍ଟି ବଜାଇବାର କାରଣ ହୁଏତ ଆଉ କିଛି ଥାଇପାରେ, କିନ୍ତୁ ପ୍ରତ୍ୟେକଟି ତଥ୍ୟ ଏପରି ଆଶଙ୍କାକୁ ଅମୁଳକ ବୋଲି ପ୍ରମାଣ କରୁଛି ।

Related posts