ରାହୁଲ ଗାନ୍ଧୀ ଏବଂ ଅଖିଳେଶ ଯାଦବଙ୍କ ରାଲିରେ ହଙ୍ଗମା, ଭାଷଣ ନ ଦେଇ ଚାଲିଗଲେ ଉଭୟ ନେତା

Published: May 19, 2024, 5:59 pm IST

ପ୍ରୟାଗରାଜ: ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ରାଜନେତାମାନେ ନିର୍ବାଚନ ରାଲିରେ ନିଜ ଦଳ ପାଇଁ ପ୍ରଚାର କରୁଛନ୍ତି। ତେବେ ଏକ ରାଲିରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ କୌଣସି ଭାଷଣ ନ ଦେଇ ଫେରିବାକୁ ପଡ଼ିଛି। ଫୁଲପୁର ଲୋକସଭା ଆସନରୁ ଏସପି ପ୍ରାର୍ଥୀ ଅମରନାଥ ମୌର୍ଯ୍ୟଙ୍କ ସମର୍ଥନରେ ଆୟୋଜିତ ମିଳିତ ରାଲିରେ ବହୁ ହଙ୍ଗମା ହୋଇଥିଲା ଏବଂ ମଞ୍ଚରେ ବିଶୃଙ୍ଖଳା ଦେଖିବାକୁ ମିଳିଥିଲା। ଏହି କାରଣରୁ ଏସପି ମୁଖ୍ୟ ଅଖିଳେଶ ଯାଦବ ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧୀ କୌଣସି ଭାଷଣ ନ ଦେଇ ଘଟଣାସ୍ଥଳ ଛାଡିଥିଲେ। ଉତ୍ତେଜନା ମଧ୍ୟରେ ସମର୍ଥକମାନେ ମଧ୍ୟ କିଛି ସୁରକ୍ଷା ବାଡ଼ ମଧ୍ୟ ଭାଙ୍ଗିଦେଇଥିଲେ।

ସମାଜବାଦୀ ପାର୍ଟିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ବହୁ ସଂଖ୍ୟକ ଲୋକ ବ୍ୟାରିକେଡ୍ ଭାଙ୍ଗି ମଞ୍ଚ ଉପରକୁ ଚଢିଥିଲେ। ଏହି କାରଣରୁ ମଞ୍ଚରେ କୌଣସି ଜାଗା ରହିଲା ନାହିଁ।

ସେ କହିଛନ୍ତି ଯେ, ଫୁଲପୁର ଲୋକସଭା ନିର୍ବାଚନମଣ୍ଡଳୀରେ ପଡିଲା ମହାଦେବ ଠାରେ ଆୟୋଜିତ ଏହି ରାଲିରେ ଉଭୟ ଅଖିଳେଶ ଯାଦବ ଏବଂ ରାହୁଲ ଗାନ୍ଧୀ ଉପସ୍ଥିତ ଥିଲେ, କିନ୍ତୁ ଉଭୟେ ଏହି ସମାବେଶକୁ ସମ୍ବୋଧିତ କରିନାହାଁନ୍ତି। ଜନତା ନିୟନ୍ତ୍ରଣ ବାହାରକୁ ଯିବା ପରେ ଉଭୟ ନେତା ରାହୁଲ ଗାନ୍ଧୀ ଏବଂ ଅଖିଳେଶ ଯାଦବ କୌଣସି ଭାଷଣ ନ ଦେଇ ସଭାସ୍ଥଳ ଛାଡିଥିଲେ।

ପରେ ଅଖିଳେଶ ଯାଦବ ଏବଂ ରାହୁଲ ଗାନ୍ଧୀ ସାଧାରଣ ସଭାକୁ ସମ୍ବୋଧିତ କରିବା ପାଇଁ ଯମୁନାନଗରର କରଛନାରେ ପହଞ୍ଚିଥିଲେ।

Related posts