Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ମତାମତ»ଚନ୍ଦ୍ରାୟନ-୨ ସଫଳ ହୋଇଛି, ହେଲେ ଚନ୍ଦ୍ରାୟନରୁ ରାଜନୈତିକ ଫାଇଦା ଉଠାଇବାର ପ୍ରଚେଷ୍ଟା ବିଫଳ ହୋଇଛି
ମତାମତ

ଚନ୍ଦ୍ରାୟନ-୨ ସଫଳ ହୋଇଛି, ହେଲେ ଚନ୍ଦ୍ରାୟନରୁ ରାଜନୈତିକ ଫାଇଦା ଉଠାଇବାର ପ୍ରଚେଷ୍ଟା ବିଫଳ ହୋଇଛି

September 7, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ନୂଆ ଭାରତର ଏକ ନିର୍ଦ୍ଦିଷ୍ଟ ବର୍ଗ ଆଜିକାଲି ନିଜର ଭାବ ପ୍ରବଣତାକୁ ପ୍ରକଟ କରିବା ପାଇଁ କୌଣସି ସୁଯୋଗକୁ ହାତ ଛଡା କରୁନାହାନ୍ତି। ସେମାନଙ୍କ ଲାଗି ସବୁକିଛି କେବଳ ରାଜନୀତି। ଏପରିକି ମହାକାଶ ବିଜ୍ଞାନ ମଧ୍ୟ। ଯେତେବେଳେ ଭାରତ ନିଜର ଦ୍ଵିତୀୟ ଚନ୍ଦ୍ର ଅଭିଯାନ ଆରମ୍ଭ କଲା, ତାହା ଆଦୌ ରାଜନୈତିକ ବା ଦଳୀୟ ନିଷ୍ପତ୍ତି ନଥିଲା। “ଇସ୍ରୋ” ଭାରତର ଜାତୀୟ ସମ୍ପତ୍ତି ଓ ଏହି ସଂସ୍ଥାରେ କାମ କରୁଥିବା ପ୍ରତ୍ୟେକ ବୈଜ୍ଞାନିକ ଆମ ଲାଗି ଗର୍ବର କାରଣ। ୨୨, ଅକ୍ଟୋବର, ୨୦୦୮ ରେ ଯେତେବେଳେ ଚନ୍ଦ୍ରାୟନ-୧ ର ପ୍ରଥମ ଉତକ୍ଷେପଣ ହୋଇଥିଲା, ସେହିଦିନଠୁ ଆଜି ପର୍ୟନ୍ତ ଚନ୍ଦ୍ରକୁ ନେଇ ଅନେକ ତଥ୍ୟ ଆମର ହସ୍ତଗତ ହୋଇଛି। ଗତକାଲି ହୁଏତ ଚନ୍ଦ୍ରପୃଷ୍ଠରେ ଆମର ଅବତରଣ ସଫଳ ହୋଇନାହିଁ, ହେଲେ ମହାକାଶ ଗବେଷଣା କ୍ଷେତ୍ରରେ ଚନ୍ଦ୍ରାୟନ ଆମକୁ ଅମୂଲ୍ୟ ଉପଲବ୍ଧି ଦେଇଛି। ଏହା ଜାତି ପାଇଁ ଗୌରବର ବିଷୟ।

ତେବେ ମହାକାଶ ଗବେଷଣା ସହିତ ରାଜନୀତିର ସମ୍ପର୍କ ଅଛି କି? ଚନ୍ଦ୍ର ପୃଷ୍ଠରେ ଅବତରଣ କରିବାର ଦୃଶ୍ୟକୁ ପ୍ରଧାନମନ୍ତ୍ରୀ ନିଜର ରାଜନୈତିକ ଲୋକ ସମ୍ପର୍କ ଅଭିଯାନ ଭଳି ବ୍ୟବହାର କରିବା ଅନ୍ୟ କେଉଁଠି ସମ୍ଭବ କି?୨୦,ଜୁଲାଇ, ୧୯୬୯ରେ ଯେତେବେଳେ “ନାସା”ର  “ଆପୋଲୋ-୧୧” ଯାନ ଚନ୍ଦ୍ର ପୃଷ୍ଠରେ ଅବତରଣ କରିଥିଲା, ସେତେବେଳେ ଆମେରିକାର ରାଷ୍ଟ୍ରପତି ରିଚାର୍ଡ ନିକ୍ସନ ହ୍ଵାଇଟ ହାଉସର ଏକ ଗୋପନ କୋଠରୀରେ ଏହାକୁ ନିରୀକ୍ଷଣ କରୁଥିଲେ। ନୀଲ ଆର୍ମଷ୍ଟ୍ରଙ୍ଗ,ମାଇକେଲ କଲିନ୍ସ ଓ ବଜ ଆଲଡ୍ରିନ ଯେତେବେଳେ ପୃଥିବୀର ଇତିହାସକୁ ବଦଳେଇ ଚନ୍ଦ୍ର ପୃଷ୍ଠରେ ଅବତରଣ କରୁଥିଲେ, ତାହା ଆମେରିକା ରାଷ୍ଟ୍ରପତିଙ୍କ ପାଇଁ ଏକ ଉଦବେଗଜନକ ମୁହୂର୍ତ୍ତ ଥିଲା। କୁହାଯାଏ, ରାଷ୍ଟ୍ରପତି ନିକ୍ସନ ଏହି ଅଭିଯାନ ସଫଳ ହେବ ବୋଲି ବିଲକୁଲ ଆଶାବାଦି ନଥିଲେ ଓ ଏହା ପୂର୍ବତନ ରାଷ୍ଟ୍ରପତି ଜନ ଏଫ କେନେଡ଼ିଙ୍କର ଏକ ନିର୍ବୋଧ ବିଳାସ ବୋଲି ତାଙ୍କର ଧାରଣା ଥିଲା। ତେବେ “ନାସା” ର ଏହି ଐତିହାସିକ ସଫଳତାର ଶ୍ରେୟ ଆପେ ଆପେ ତାଙ୍କ ପାଖକୁ ଯାଇଥିଲା। ହେଲେ ଏହି ଶ୍ରେୟକୁ ଧରି ରଖିବାରେ ବିଫଳ ହୋଇଥିବା ରିଚାର୍ଡ ନିକ୍ସନ ଆମେରିକାର ସବୁଠୁ କଳଙ୍କିତ ରାଷ୍ଟ୍ରପତି ରୂପେ ବିଦାୟ ନେଇଥିଲେ।

ଭାରତରେ ଚନ୍ଦ୍ର ଅଭିଯାନ ଏକ ସଂପୂର୍ଣ୍ଣ ଅଣ ରାଜନୈତିକ ପ୍ରକଳ୍ପ ଭାବରେ ଆରମ୍ଭ ହୋଇଥିଲା। ପ୍ରଥମେ ରାକେଶ ଶର୍ମା ସୋଭିଏତ ଋଷିଆର ଏକ ପ୍ରକଳ୍ପରୁ ମହାକାଶରେ ପହଞ୍ଚିବାର ସୁଯୋଗ ଲାଭ କରିଥିଲେ। ଅକ୍ଟୋବର ୨୦୦୮ରେ ଯେତେବେଳେ ଚନ୍ଦ୍ରାୟନ-୧ ର ଉତକ୍ଷେପଣ କରାଗଲା, ତାହା ଭାରତ ଲାଗି ଏକ ମହାନ ବୈଜ୍ଞାନିକ ଉପଲବ୍ଧି ଥିଲା। ସେତେବେଳେ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଏହାକୁ ନେଇ ନିଜର ରାଜନୈତିକ ରୁଟି ସେକିବାର ଉଦାହରଣ କେହି ଦେଇ ପାରିବେ ନାହିଁ। ଦେଶର ବୈଜ୍ଞାନିକ ଓ ସାମରିକ ଉପଲବ୍ଧିକୁ ସବୁବେଳେ ଦଳ ଓ କ୍ଷମତା କେନ୍ଦ୍ରର ଉର୍ଦ୍ଧ୍ଵରେ ରଖିବା ଆମର ରାଜନୈତିକ ମର୍ୟାଦା ବୋଲି ଆମେ ବିବେଚନା କରି ଆସୁଥିଲୁ। ହେଲେ ଚନ୍ଦ୍ରାୟନ-୨ ବେଳେ ଆମେ ଏହାର ଘୋର ବ୍ୟତିକ୍ରମ ଦେଖିଲୁ।

ଗଣମାଧ୍ୟମରେ ଚନ୍ଦ୍ରାୟନ-୨ କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତିପତ୍ତି ବୋଲି କୁହାଗଲା। “ଚାନ୍ଦ ହୋଗା ମୋଦୀ କେ ମୁଠି ମେ” “ଚାନ୍ଦ ମେ ମୋଦୀ ମୋଦୀ” ଭଳି ଅତି ଉଦ୍ଭଟ ଓ ଅଭଦ୍ର ଶୀର୍ଷକରେ ଆମର ଗଣମାଧ୍ୟମ ନିଜର ଚାଟୁକାରିତାର ସୀମା ଟପିଗଲେ। ପ୍ରଧାନମନ୍ତ୍ରୀ ନିଜେ “ଇସ୍ରୋ”ରେ ରହି ବୈଜ୍ଞାନିକମାନଙ୍କୁ ଉତ୍ସାହିତ କଲେ  ବୋଲି କୁହାଯାଉଛି। ହେଲେ “ଇସ୍ରୋ” ରେ ପ୍ରଧାନମନ୍ତ୍ରୀଙ୍କର କି କାମ? ବିଜ୍ଞାନ ର ନେତୃତ୍ଵ ବୈଜ୍ଞାନିକଙ୍କ ହାତରେ ଛାଡିଦେବା ପ୍ରଧାନମନ୍ତ୍ରୀଙ୍କ ପାଇଁ ଗୌରବର ବିଷୟ ହୋଇଥାନ୍ତା। ହେଲେ ସବୁ ଉପଲବ୍ଧିରୁ ରାଜନୈତିକ ଫାଇଦା ଖୋଜୁଥିବା ଆଜିର ନେତୃତ୍ଵ ଫଟୋ-ମଉକା ଛାଡିବା ଲାଗି ପ୍ରସ୍ତୁତ ନୁହନ୍ତି।

ଆଜି ଯଦି ବିକ୍ରମ ଚନ୍ଦ୍ର ପୃଷ୍ଠରେ ସଫଳତାର ସହ ଅବତରଣ କରିଥାନ୍ତା, ତାହେଲେ ପ୍ରଧାନମନ୍ତ୍ରୀଙ୍କ ଉପରେ ଆକାଶରୁ ପୁଷ୍ପ ବୃଷ୍ଟି ହେଉଥାନ୍ତା। ଯେହେତୁ ଅବତରଣରେ ଆମକୁ ସଫଳତା ମିଳିନାହିଁ, ତେଣୁ ସୋସିଆଲ ମିଡିଆରେ ଆମର ସାନ୍ତ୍ଵନାମୂଳକ ଦେଶପ୍ରେମର ଉଗ୍ର ପ୍ରଦର୍ଶନୀ ଚାଲିଛି। ଚନ୍ଦ୍ରାୟନ ଏକ ନିରନ୍ତର ପ୍ରକ୍ରିୟା। ସଫଳତାରେ ପହଞ୍ଚିବାକୁ ଅନେକ ବିଫଳତାର ସାମ୍ନା କରିବାକୁ ଆମକୁ ପଡିବ। ହେଲେ ଆମର ବୈଜ୍ଞାନିକ ଉପଲବଧିର ରାଜନୈତିକ ପ୍ରଦର୍ଶନୀ, ଆମକୁ ଅଧିକ ହୀନମନ୍ୟ କରିବ। ରାଜନୈତିକ ନେତୃତ୍ଵ ନିଜକୁ ସମସ୍ତଙ୍କ ଉପରେ ବୋଲି ଦେଖାଇବାର ଏ ପ୍ରକାର ଅବାଞ୍ଛିତ ରାଜନୀତି ଆଜି ବିଫଳ ହୋଇଛି।

Share. Facebook Twitter LinkedIn Email WhatsApp Copy Link

Related Posts

ବିଜେପିରେ ସାମିଲି ହେଲେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ, ବିଜେଡିରୁ ହୋଇଥିଲେ ନିଲମ୍ବିତ

July 12, 2026

ରୁଷଠାରୁ ୪୯,୦୦୦ କୋଟିର ତେଲ କିଣିଲା ଭାରତ: ଚୀନ୍ ପରେ ହେଲା ଦ୍ୱିତୀୟ ସର୍ବାଧିକ କ୍ରେତା

July 12, 2026

ICC ଟି-୨୦ ରାଙ୍କିଙ୍ଗରେ କ’ଣ ପରିବର୍ତ୍ତନ ଆସିଛି?: ଦେଖନ୍ତୁ ଶ୍ରେଷ୍ଠ ୧୦ ଦଳ

July 12, 2026

ସାର୍ଟ ବୋତାମରେ ତିନି ରଥ ନିର୍ମାଣ କରି ଚର୍ଚ୍ଚାରେ ପିପିଲିର ଯୁବ ଶିଳ୍ପୀ ଅକ୍ଷୟ ମହାପାତ୍ର

July 12, 2026
Latest News

ବିଜେପିରେ ସାମିଲି ହେଲେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ, ବିଜେଡିରୁ ହୋଇଥିଲେ ନିଲମ୍ବିତ

July 12, 2026

ଓଡ଼ିଶା ବିଦ୍ୟୁତ୍ କ୍ଷେତ୍ର ପ୍ରଶାସନିକ କର୍ମଚାରୀ ସଂଘର ବାର୍ଷିକ ସାଧାରଣ ଅଧିବେଶନ ସଂକଳ୍ପ ଅନୁଷ୍ଠିତ

July 12, 2026

ଗାନ୍ଧୀନଗର ଲୋକସଭା କ୍ଷେତ୍ରରେ ଗୋଟିଏ ଦିନରେ ଏକ କୋଟିରୁ ଅଧିକ ବୃକ୍ଷରୋପଣ

July 12, 2026

ରୁଷଠାରୁ ୪୯,୦୦୦ କୋଟିର ତେଲ କିଣିଲା ଭାରତ: ଚୀନ୍ ପରେ ହେଲା ଦ୍ୱିତୀୟ ସର୍ବାଧିକ କ୍ରେତା

July 12, 2026

ଟାଇଟଲ୍ ଦୌଡ଼ରେ ଏବେ ଚାରୋଟି ଦଳ: ଦେଖନ୍ତୁ ଫିଫା ବିଶ୍ୱକପ୍ ର ସେମିଫାଇନାଲ କାର୍ଯ୍ୟସୂଚୀ

July 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.