Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ମତାମତ»ଚାଷୀପାଇଁ ଘୋଷଣା : କାଳିଆ କିଷାନ ଓ ଧାନଦର ବୃଦ୍ଧି
ମତାମତ

ଚାଷୀପାଇଁ ଘୋଷଣା : କାଳିଆ କିଷାନ ଓ ଧାନଦର ବୃଦ୍ଧି

February 7, 2019No Comments7 Mins Read
Share Facebook Twitter LinkedIn Email WhatsApp Copy Link

ପଞ୍ଚାନନ କାନୁନଗୋ

ବିଭିନ୍ନ ବର୍ଗର ଭୋଟ ଦାତାମାନଙ୍କୁ ଆପଣାଇବା ପାଇଁ ସବୁ ରାଜନୈତିକ ଦଳ ଅନେକ କାର୍ଯ୍ୟକ୍ରମ ଘୋଷଣା କରିଥାନ୍ତି । ଏହା ଏକ ସ୍ୱାଭାବିକ ରାଜନୈତିକ ପ୍ରକ୍ରିୟା । ତାହାହିଁ ନିର୍ବାଚନ ସମୟରେ ଅଧିକ ଭାବେ ଘଟିଥାଏ । ଏହା ଭୋଟଦାତାଙ୍କୁ ପ୍ରଭାବିତ କରିବା ଅବା ପ୍ରଲୋଭନର ପ୍ରକ୍ରିୟା କହିଲେ ଅତ୍ୟୁକ୍ତି ହେବନାହିଁ । ସେ ସମୟରେ ଦେଶ ବା ରାଜ୍ୟର ଆର୍ଥିକ ସ୍ଥିତି ପ୍ରତି ଆଦୌ ଦୃଷ୍ଟି ଦିଅନ୍ତି ନାହିଁ । ରାଜନୈତିକ ପ୍ରକ୍ରିୟାର ଏହା ହେଉଛି ଅର୍ଥନୀତି ପ୍ରତି କ୍ରୁରତା । ଏବେ ଚାଷୀଙ୍କୁ ନେଇ ଦେଶବ୍ୟାପୀ ସମସ୍ୟା ଦେଖାଦେଇଛି । ଚାଷୀ ଆତ୍ମହତ୍ୟା ଅନେକ ରାଜ୍ୟର ଚିନ୍ତାର କାରଣ ହୋଇଛି । କିଛିବର୍ଷ ହେବ ଦେଶରେ ଚାଷୀ ଆନ୍ଦୋଳନ ତୀବ୍ରତର ହୋଇଛି । ଅନେକ ରାଜ୍ୟରେ ବିଶେଷତଃ ଭାରତୀୟ ଜନତା ପାର୍ଟି ଶାସିତ ରାଜ୍ୟମାନଙ୍କରେ ଓ ଓଡ଼ିଶାରେ ଚାଷୀ ଆନ୍ଦୋଳନ ଅତ୍ୟନ୍ତ ପ୍ରବଳ ହେଲା । ମଧ୍ୟପ୍ରଦେଶରେ କୃଷି ଓ କୃଷକଙ୍କ ସପକ୍ଷ ନେଇ କଂଗ୍ରେସ ରାସ୍ତାକୁ ଓହ୍ଲାଇଲା । ନିର୍ବାଚନ ଇସ୍ତାହାରରେ ଖୁବ୍ ବଡ଼ ଘୋଷଣା କରିଦେଲା । ଛତିଶଗଡ଼ରେ କଂଗ୍ରେସ ଇସ୍ତାହାରରେ ଧାନର ସହାୟକ ମୂଲ୍ୟ କୁଇଣ୍ଟାଲ ପିଛା ୨୫୦୦ ଟଙ୍କା ଦେବାକୁ ପ୍ରତିଶ୍ରୁତି ମିଳିଲା । ଏହା ଫଳରେ କଂଗ୍ରେସକୁ ନିର୍ବାଚନ ସଫଳତା ମିଳିଲା ବୋଲି ମନେହେଲା । କଂଗ୍ରେସ ସରକାର ଗଠନ କରିବାର ପ୍ରଥମ ଦିନରେ ହିଁ ମଧ୍ୟପ୍ରଦେଶରେ କୃଷି ଋଣ ୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଛାଡ଼ ହେଲା । ପରେ ପରେ ରାଜସ୍ଥାନ ଓ ଛତିଶଗଡ଼ ସରକାର ମଧ୍ୟ ଏହି ଘୋଷଣା କଲେ । ଏଥିସହିତ ପୂର୍ବ ପ୍ରତିଶ୍ରୁତି ମୁତାବକ ଛତିଶଗଡ଼ ସରକାର ଧାନଦର କୁଇଣ୍ଟାଲ ପିଛା ୨୫୦୦ ଟଙ୍କା ଦେବାକୁ ନିଷ୍ପତି ନେଇ କାର୍ଯ୍ୟକାରୀ କରିିଦେଲେ । ମଣ୍ଡିରେ ଜମା ହୋଇ ରହିଥିବା ଧାନ ଉଚ୍ଚ ଦରରେ ବିକ୍ରି ହେଲା । ଚାଷୀ କ୍ଷୁଦ୍ର ହେଉ, ନାମମାତ୍ର ହେଉ ଅବା ମଧ୍ୟମ ବଡ଼ଚାଷୀ ହେଉ ସମସ୍ତେ ଏଥିରୁ ଲାଭ ଉଠାଇଲେ । ଏହା ଏକ ଉତ୍ପାଦନମୁଖୀ ସହାୟତା । ଫଳରେ ଚାଷୀ ଚାଷରେ ଲାଗିବ । ଅଧିକ ଫସଲ ଉତ୍ପାଦନ କରି ମଣ୍ଡିକୁ ଅଧିକ ଫସଲ ଆଣିବ । ମୁଲିଆକୁ ଦି ପଇସା ଅଧିକ ଦେବାପାଇଁ କୁଣ୍ଠିତ ହେବନାହିଁ । ସବୁ ଫସଲର ସହାୟକ ଦର ଅଧିକ କରି ସେଥିପାଇଁ ରିହାତି ଦେଲେ ତା’ର ସକରାତ୍ମକ ଫଳ ଫଳିଥାଏ । ଚାଷୀ ବିଲ ଛାଡ଼େ ନାହିଁ ।  ମୁଲିଆ ଜମି ମନଷ୍କ ହୁଏ । ଉତ୍ପାଦନ ବଢ଼େ । ଅଧିକ ଉତ୍ପାଦନ ହେଲେ କୃଷି ଭିତ୍ତିକ ଶିଳ୍ପ (ଇଶକ୍ସକ୍ଟ – ଓଦ୍ଭୟଙ୍କଗ୍ଦଗ୍ଧକ୍ସଚ୍ଚ) ଗଢ଼ି ଉଠେ ଓ ନିଯୁକ୍ତି କ୍ଷେତ୍ର ପ୍ରଶସ୍ତ ହୁଏ । ଭୋଟ ଆସିଲେ ଚାଷୀ ପ୍ରତି ସବୁ ରାଜନୈତିକ ଦଳମାନେ ହଠାତ୍ ନିର୍ବାଚନ ସମୟରେ ଅତିମାତ୍ରାରେ ଦରଦୀ ହୋଇ ଉଠିଥାନ୍ତି । ବିଶେଷତଃ ସରକାରରେ ଥିବା ଦଳମାନେ ସହାୟତା ନାମରେ ଟଙ୍କା ବାଣ୍ଟିବା ଆରମ୍ଭ କରି ଦେଉଛନ୍ତି । ଏ ସବୁର ସୁଫଳ କୁଫଳ ସଂପର୍କରେ ଆଲୋଚନା ଆରମ୍ଭ ହୋଇଗଲାଣି । ଦୀର୍ଘ ୧୯ବର୍ଷ ଶାସନରେ ଚାଷୀ ଓ ଚାଷପ୍ରତି ଚରମ ଅବହେଳା ଦେଖେଇ ଆସିଥିବା ରାଜ୍ୟର ନବୀନ ପଟ୍ଟନାୟକଙ୍କ ସରକାର ଚାଷୀଙ୍କୁ ସହାୟତା  ନାମରେ ଘୋଷଣା ପରେ ଘୋଷଣା କରି ଚାଲିଛନ୍ତି ଓ ସରକାରରେ ଥିବାରୁ ରାଜ୍ୟର ଆପତ୍ତକାଳୀନ ପାଣ୍ଠିରୁ ଟଙ୍କା ଉଠାଇ ନିଜର ଆସନ୍ନ ଭୋଟ ବିପତ୍ତିର ମୁକାବିଲା ନିମନ୍ତେ ଉଦ୍ୟମ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ବିଶେଷତଃ କାଳିଆ ଯୋଜନା ଚାଷୀମାନଙ୍କୁ ସହାୟତା ଉଦ୍ଦେଶ୍ୟରେ କରାଯାଇଛି । ଏ ରାଜ୍ୟର ଆରାଧ୍ୟ ଶ୍ରୀ ଜଗନ୍ନାଥଙ୍କ ଆଦରଣୀୟ ନାମ ‘ଜଗା’ ବା ‘କାଳିଆ’ । କାଳିଆ ଯଦିଓ ବିଚାର ସିଦ୍ଧାନ୍ତ ଅନୁସାରେ ଚକ୍ରଧାରୀ ଓ ବଡ଼ଭାଇ ବଳଭଦ୍ର ହଳଧର ହଳ ବା ଲଙ୍ଗଳଧାରୀ ଭାବେ ବିଶ୍ୱବିଖ୍ୟାତ କାହିଁକି କେଜାଣି ଏହି ନାମକରଣଟି ହେଲା ବୁଝା ପଡ଼ୁନାହିଁ । ସମ୍ଭବତଃ ଏହି କାର୍ଯ୍ୟକ୍ରମଟିର ନାମ ପୁରାପୁରି ଇଂରାଜୀରେ (Krushak Assistance for Livelihood and income Augmentation) ରଖାଯାଇ ଆଦ୍ୟ ଅକ୍ଷରକୁ ନେଇ ଇଂରେଜୀରେ KALIA ବୋଲି କରାଗଲା । ଏହି ଯୋଜନା ସଂପର୍କର ବିଜ୍ଞାପନ ଓ ଅତି ବଡ଼ ଉତ୍ସବ ପାଳନ କରାଯାଇ ଚାଷୀମାନଙ୍କୁ ପ୍ରଭାବିତ କରିବାର ଉଦ୍ୟମ ହୋଇଛି । ଏଥିପାଇଁ ରାଜ୍ୟ ସରକାର ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ ଥିବା ଆପତ୍ତକାଳୀନ ପାଣ୍ଠି (contingency fund) ଆକଷ୍ମିକ ଭାବେ ବୃଦ୍ଧିକରି ଗତ ଜାନୁଆରୀ ୨୬ ତାରିଖରୁ ଟଙ୍କା ବାଣ୍ଟିବା ଆରମ୍ଭ କରି ଦେଇଛନ୍ତି । ସେହି କାଳିଆ ଘୋଷଣାରେ ପ୍ରଥମେ ନାମମାତ୍ର ଓ କ୍ଷୁଦ୍ର ଚାଷୀମାନଙ୍କୁ ଦେବାର କୁହାଯାଇଥିଲା । ଗୋଟିଏ ଫସଲ ପାଇଁ ୫୦୦୦ଟଙ୍କା ଦିଆଗଲା । ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଗଲା ଓ ମୋବାଇଲ ଫୋନ୍ ମାନଙ୍କୁ ଖବର ଦିଆଗଲା । ଘରେ ନ ପଶୁଣୁ ଚାଳ ବାଜିଲା । ଗୋଟିଏ ଗଣମାଧ୍ୟମର ଅନୁସନ୍ଧାନକାରୀ ଦଳ ଖୋଲାଖୋଲି ଦେଖାଇ ସାରିଲେଣି ଯେ ଏଥିରେ ମନ୍ତ୍ରିଙ୍କର ପରିବାରକୁ ଏହି ଟଙ୍କା ମିଳିଛି । ଏପରିକି କୋଟିପତି ବେପାରୀଙ୍କ ନାମରେ ଟଙ୍କା ଯାଇଛି । ଏହାପରେ ସରକାର ଘୋଷଣା କରି ଦେଲେଣି ଯେ ସମସ୍ତଙ୍କୁ ଏହି ଟଙ୍କା ମିଳିବ । ଏହି ସମସ୍ତେ କିଏ ? ଦରଖାସ୍ତକାରୀ, ନା ପ୍ରକୃତ ଚାଷୀ ? କୁହାଯାଉଛି ଅଣଚାଷୀ ସମେତ ସମସ୍ତ ଦରଖାସ୍ତକାରୀଙ୍କୁ ଏହି ଟଙ୍କା ମିଳିବ । ଗାଁ’ର ହାଟ ବଜାରରେ ଚର୍ଚ୍ଚା ଚାଲିଛି । ସମସ୍ତେ ପାଇବେ । ଘରେ ଥିବା ୪/୫ଜଣ ଏଥିପାଇଁ ଦରଖାସ୍ତ କଲେଣି । କାଳିଆ ପାଇଁ ନାଲିଆ ନେଳିଆ ଫର୍ମ ମିଳୁଛି । ମାତ୍ର ଏହି ଫର୍ମ ପୁରଣ ନକରି ପାଖାପାଖି ୧୨ଲକ୍ଷ ପରିବାରକୁ ଟଙ୍କା ପଠାଇ ଦିଆଗଲା । ରାଜ୍ୟରେ ସଠିକ୍ ଭାବେ ଚାଷୀ ବା ଭାଗଚାଷୀ – ପ୍ରକୃତଚାଷୀ ଏପର୍ଯ୍ୟନ୍ତ ଚିହ୍ନଟ ହୋଇନାହିଁ ।  ଏବେ ବି ସମବାୟ ବ୍ୟାଙ୍କରୁ ଚାଷ ନାମରେ ଅନେକ ଜମି ଚିହ୍ନି ନଥିବା ଭୂ-ମାଲିକମାନେ ଋଣ ହାତେଇଥାନ୍ତି । ଏହା ଯଦି ହୁଏ ରାଜ୍ୟରେ ଥିବା ୯୬ ଲକ୍ଷ ପରିବାରଙ୍କ ମଧ୍ୟରୁ ୮୦ ଲକ୍ଷରୁ ଉର୍ଦ୍ଧ୍ଵ ଦରଖାସ୍ତକାରୀ ଅଛନ୍ତି । ଏମାନଙ୍କୁ ମିଳିଲେ ଗୋଟିଏ ଫସଲ ପାଇଁ ୫ ହଜାର ଟଙ୍କା ହିସାବରେ ଥରକୁ ୪ହଜାର କୋଟି ଟଙ୍କା ଏବଂ ବର୍ଷକୁ ଦୁଇଟି ଫସଲ ପାଇ ୮ ହଜାର କୋଟି ଟଙ୍କା ସରକାରଙ୍କୁ ଯୋଗାଡ଼ କରିବାକୁ ହେବ । ଏଥିରେ ବିଲରେ ଥିବା ଚାଷୀ ନିଶ୍ଚୟ ପାଇବେ । ତେବେ ବେପାରୀ, କୋଟିପତି, ଜମି ନ ଦେଖିଥିବା ବଡ଼ ଚାକିରିଆମାନେ ମଧ୍ୟ ପାଇବେ । ଚାଷର ଉତ୍ପାଦନ ବୃଦ୍ଧିରେ ସହାୟକ ହେବାନେଇ ଅନେକ ସନ୍ଦେହ ରହିଛି । ଏହି କାର୍ଯ୍ୟକ୍ରମର ପ୍ରଚାର ନିମନ୍ତେ ରାଜ୍ୟ ସରକାରଙ୍କୁ ପାଖାପାଖି ୧ ହଜାର କୋଟି ଟଙ୍କାର ବିଜ୍ଞାପନ ଓ ଉତ୍ସବ ଖର୍ଚ୍ଚ କରିବାକୁ ପଡ଼ିଛି । ଏପରି ବ୍ୟୟବହୁଳ କାର୍ଯ୍ୟକ୍ରମରେ ଧୁଆମୂଳା ଅଧୁଆମୂଳା ସମାନ ହେବା ହିଁ ସାର । ଚାଷୀ ଚାଷର ଉନ୍ନତି ପାଇଁ ଆଦୌ ଏହା ସହାୟକ ହେବନାହିଁ । କାରଣ ଏହା ଆଦୌ ଉତ୍ପାଦନ ସଂପର୍କିତ ନୁହେଁ । ଏହା ମଧ୍ୟ ସ୍ଥାୟୀ ବ୍ୟବସ୍ଥା ନ ହୋଇ ଥିବାରୁ ଚାଷୀର ମନରେ ପ୍ରଶ୍ନ । ଏହା ଯଦି ଋଣ ବଦଳରେ ଏକ ସହାୟତା ବୋଲି ଧରାଯାଏ, ପ୍ରକୃତ ଚାଷୀ ଫସଲ ଋଣପାଇଁ ପୁଣି ସାହୁକାର ଅବା ସୁଧ ଲଗାଉଥିବା ସ୍ୱୟଂ ସହାୟକ ଗୋଷ୍ଠୀ ଅବା ମାଇକ୍ରୋ ଫାଇନାନ୍ସ ପାଖରେ ହାତ ପାତିବାକୁ ବାଧ୍ୟହେବେ ।

ରାଜ୍ୟ ସରକାରଙ୍କର ଦେଖାଦେଖି, କେନ୍ଦ୍ର ସରକାର ତାଙ୍କୁ ବଜେଟରେ ଚାଷୀ ସହାୟତା ରାଶି ଦେବାର ଘୋଷଣା କରି ଦେଇଛନ୍ତି । ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନାରେ ଚାଷୀକୁ ୨ ହଜାର ଟଙ୍କା ହିସାବରେ ବର୍ଷକୁ ୬ ହଜାର ଟଙ୍କା ଦେବାର ଘୋଷଣା କରିଛନ୍ତି ଏ ବାବଦରେ ବର୍ଷକୁ ୭୫ ହଜାର କୋଟି ଟଙ୍କା ଖର୍ଚ୍ଚ ହେବାର ଆକଳନ କରାଯାଇଛି । ଅବଶ୍ୟ ଏହା କେବଳ କୃଷକକୁ ଦେବା ନିମନ୍ତେ ସ୍ଥିର ହୋଇଛି । ଦୁଇ ହେକ୍ଟର ଅବା ୫ ହେକ୍ଟର ପର୍ଯ୍ୟନ୍ତ ଜମିଥିବା ଚାଷୀକୁ ଏହା ଦିଆଯିବ । ଏହା ମଧ୍ୟ ବଣ୍ଟନ ସମୟରେ ବାଟ ହୁଡ଼ିବ, ଅନେକ ଅର୍ଥ ଅଣଚାଷୀମାନଙ୍କ ହାତକୁ ଯିବ । ଏହି ଦୁଇଟି ଘୋଷଣା ମିଶିଲେ ଚାଷୀର ଆକାଉଣ୍ଟକୁ ବର୍ଷକୁ ୧୬ହଜାର ଟଙ୍କା ଯିବା କଥା । ସେଥିରୁ ସେ ପୂର୍ବରୁ ଦେଇଥିବା ଋଣ ବାବଦ  କଟି ଯିବାର ସମ୍ଭାବନା ଅଛି । ଅର୍ଥାତ୍ ଗୋଟିଏ ବର୍ଷର ଋଣରୁ ତାକୁ ୧୬ ହଜାର ଟଙ୍କା ସୁଝିବାର ଗୋଟିଏ ସୁଯୋଗ ରହିଛି । ସରକାର ଯଦି ବ୍ୟାଙ୍କମାନଙ୍କୁ ଋଣ ବାବଦ ନ କାଟିବା ପାଇଁ ନିର୍ଦ୍ଦେଶ ଦିଅନ୍ତି ହୁଏତ ସେମାନେ ମାନିପାରନ୍ତି । ଚାଷୀ କ’ଣ ଏତିକି ଋଣ କରିଥାଏ ? ବାହାରେ ଟାକି ବସିଥିବା ଅନ୍ୟାନ୍ୟ ଋଣ ଦାତାମାନେ ଏହାକୁ ଝାମ୍ପି ନେବେ । ଚାଷୀର ଖାତା ଯେଉଁ ସୁଖିଲାକୁ ସେହି ସୁଖିଲା ହୋଇଯିବ ।

ଅପରପକ୍ଷରେ କଂଗ୍ରେସ ସଭାପତି ଶ୍ରୀ ରାହୁଳ ଗାନ୍ଧି ଭୂବନେଶ୍ୱରର ଏକ ସଭାରେ ଚାଷୀଙ୍କ ଉଦ୍ଦେଶ୍ୟରେ ଦୁଇଟି ବଡ଼ ଘୋଷଣା କରିଦେଲେ । ରାଜ୍ୟରେ କଂଗ୍ରେସ ସରକାର ଗଠନ ହେଲେ ଫସଲ ଋଣ ଦଶଦିନ ମଧ୍ୟରେ ଛାଡ଼ ହେବ ଏବଂ ଧାନର ଦର କୁଇଣ୍ଟାଲ ପ୍ରତି ୨୬୦୦ ଟଙ୍କା ହେବ ।

ଆଗେ କେହି ନିର୍ବାଚନ ସମୟ ପ୍ରତିଶ୍ରୁତିକୁ ଶୁଣୁ ନଥିଲେ । କାରଣ ଏହା ପାଣିର ଗାର ବୋଲି ଭାବୁଥିଲେ । ଏବେ କଂଗ୍ରେସ ନେତୃତ୍ୱର ପ୍ରତିଶ୍ରୁତି ପାଳନ ସମ୍ବାଦ ସମସ୍ତଙ୍କ ଭିତରେ ଏଥିପ୍ରତି ବିଶ୍ୱାସ ଜନ୍ମାଇଛି । ଅଳ୍ପଦିନ ତଳେ ଛତିଶିଗଡ଼, ମଧ୍ୟପ୍ରଦେଶ, ରାଜସ୍ଥାନ ନିର୍ବାଚନରେ ଜିତି ରାଜ୍ୟ ସରକାର ଗଠନ କରିବାର ମାତ୍ର କେଇଦିନ ଭିତରେ ଋଣଛାଡ଼ ହେଲା ଓ ଓଡ଼ିଶାର ପଡୋଶୀ ରାଜ୍ୟ ଛତିଶଗଡ଼ରେ କୁଇଣ୍ଟାଲ ପିଛା ଧାନ ଦର ୨୫୦୦ ଟଙ୍କା ଦେଇ ସଂଗ୍ରହ କରାଗଲା । ଗୋଟିଏ ନାମମାତ୍ର ଚାଷୀ ଦେଢ଼ ଏକର ଜମିଥାଇ ଯଦି ୩୦ କୁଇଣ୍ଟାଲ ଧାନ ଗୋଟିଏ ବର୍ଷରେ ବିକ୍ରି କରେ ତେବେ ବର୍ଷକୁ ଅଧିକ ପଚିଶ ହଜାର ଟଙ୍କା ପାଇବ । ଅର୍ଥାତ୍ ସେହି ଫସଲ ପାଇଁ ମୋଟ ୭୮ ହଜାର ଟଙ୍କାପାଇବ । ଏହା ଏକ ସ୍ଥାୟୀ ବ୍ୟବସ୍ଥା । ଏଥିରେ ଚାଷୀ ଆଉ କ୍ଷେତ ଛାଡ଼ିବ ନାହିଁ । ମୁଲିଆ ଦାଦନ ଖଟିବାକୁ ଯିବ ନାହିଁ । ରାଜ୍ୟ ସରକାରଙ୍କର ଧାନ ଓ କୁଇଣ୍ଟାଲ ପିଛା ୨୯୩୦ ଟଙ୍କା ଭେଳିକି ଥିଲା । କେନ୍ଦ୍ର ଉପରେ ଦୋଷଦେଇ କୃଷକକୁ ଭୁଆଁ ବୁଲାଇବା ବ୍ୟବସ୍ଥା ବୋଲି ଅନେକ ମନେ କରୁଛନ୍ତି । ଯଦି ଆନ୍ତରିକତା ଥିଲା ତେବେ ଅନ୍ତତଃ ୨୨୦୦/୨୩୦୦ ଟଙ୍କା ପର୍ଯ୍ୟନ୍ତ ଦେଇ କେନ୍ଦ୍ରପାଖରେ ଦାବି ଉଠାଇଥାନ୍ତେ । ଏବେ ଏହା ରାଜ୍ୟ ସରକାରଙ୍କର ଦାୟିତ୍ୱ ବୋଲି ଛତିଶଗଡ଼ ସରକାର ପ୍ରମାଣ କରିଦେଲେ । ସେହିପରି କେନ୍ଦ୍ର ସରକାର ଧାନର ସହାୟକଙ୍କ ମୁଲ୍ୟ ବଢ଼ିବା ପୂର୍ବରୁ ଅନ୍ତରୀଣ ଧାନ ଫସଲ ବୋନସ ଘୋଷଣା କରି ପାରିଥାନ୍ତେ ।

ଓଡ଼ିଶା •ଷୀ ମୁଲିଆଙ୍କ ଭିତରେ ପ୍ରଶ୍ନ ଉଠିଛି ମାତ୍ର ୭/୮ ହଜାର କୋଟି ଟଙ୍କା ଖର୍ଚ୍ଚରେ ଚାଷୀ ସର୍ବକାଳୀନ ଉତ୍ପାଦନ ମନସ୍କ ହୋଇଥାନ୍ତା । ତାହା ନକରି କାଳିଆ ଭେଳିକି କାହିଁକି ? ବା ପ୍ରଧାନମନ୍ତ୍ରୀ କିଷାନ ସହାୟତା କ’ଣ ପାଇଁ ? ତା’ର ଉତ୍ପାଦନ ଦର ବୃଦ୍ଧି ହୋଇଥିଲେ ଉତ୍ପାଦନକାରୀ •ଷୀ ଲାଭ ଉଠାଇଥାନ୍ତା । ମୁଲିଆ ଅଧିକ ରୋଜଗାରର ସୁଯୋଗ ପାଇଥାନ୍ତା । କାଳିଆ ଯୋଜନା ହେଉ ବା ପ୍ରଧାନମନ୍ତ୍ରୀ ଯୋଜନା ହେଉ ଯେଉଁମାନେ ବିଲ ଦେଖି ନାହାନ୍ତି, କୃଷି ଉତ୍ପାଦନର ଧାର ଧାରନ୍ତି ନାହିଁ ସେମାନଙ୍କୁ ଏ ଟଙ୍କା ଦିଆଗଲା କାହିଁକି ? ସହାୟତା ନେଇ ପ୍ରତ୍ୟେକ୍ଷ ଉତ୍ପାଦନ ବୃଦ୍ଧି କରାଗଲେ କାହାର କିଛି ଆପତ୍ତି ରହିବ ନାହିଁ । କରଦାତାଙ୍କ ଧନର ଆୟବ୍ୟୟ ହେବନାହିଁ ।

(ପଂଚାନନ କାନୁନଗୋ, ଓଡିଶାର ପୂର୍ବତନ ଅର୍ଥ ମନ୍ତ୍ରୀ ଓ ବର୍ତ୍ତମାନ କଂଗ୍ରେସ ଦଳର ଜଣେ ବରିଷ୍ଠ ନେତା)

kaliajyojana thesamikhsya.com
Share. Facebook Twitter LinkedIn Email WhatsApp Copy Link

Related Posts

ଭୁବନେଶ୍ୱରରେ ବ୍ରିକ୍ସ ଶିକ୍ଷା ସମ୍ମିଳନୀ: ବିଶ୍ୱ ଶିକ୍ଷା ମଞ୍ଚରେ ଓଡ଼ିଶାର ନୂଆ ପରିଚୟ

August 11, 2026

୧୫ ଅଗଷ୍ଟ ପୂର୍ବରୁ ଦିଲ୍ଲୀରେ ହାଇ ଆଲର୍ଟ: ୧୯ ଆତଙ୍କବାଦୀଙ୍କ ପୋଷ୍ଟର ଜାରି କଲା ପୋଲିସ

August 11, 2026

୧୧ ନୂଆ ଅନ୍ତର୍ଜାତୀୟ ବନ୍ଦର ପାଇଁ ଅଧିସୂଚନା ଜାରି

August 11, 2026

ପ୍ରଥମ ଥର ପାଇଁ ଐତିହାସିକ ଲାଲକିଲ୍ଲାର ପ୍ରାଚୀରରୁ ଗାନ କରାଯିବ ‘ବନ୍ଦେ ମାତରମ୍’

August 11, 2026
Latest News

ଇଡିର ବଡ଼ କାର୍ଯ୍ୟାନୁଷ୍ଠାନ: ମଦ ଦୁର୍ନୀତିରେ କଂଗ୍ରେସ ନେତା ରାମ ଗୋପାଳ ଅଗ୍ରୱାଲ ଗିରଫ

August 11, 2026

ବଙ୍ଗଳାର ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ହେଲିକପ୍ଟରର ଜରୁରୀକାଳୀନ ଅବତରଣ

August 11, 2026

ତ୍ରିରଙ୍ଗା ଯାତ୍ରାରେ ଛାତ୍ରଛାତ୍ରୀଙ୍କୁ ସାମିଲ ନେଇ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ କଲା କଂଗ୍ରେସ

August 11, 2026

Ram Nath Kovind: ପୂର୍ବତନ ରାଷ୍ଟ୍ରପତିଙ୍କ ଆତ୍ମଜୀବନୀ ପୁସ୍ତକକୁ ଉନମୋଚନ କରିବେ ପ୍ରଧାନମନ୍ତ୍ରୀ

August 11, 2026

ଭୁବନେଶ୍ୱରରେ ବ୍ରିକ୍ସ ଶିକ୍ଷା ସମ୍ମିଳନୀ: ବିଶ୍ୱ ଶିକ୍ଷା ମଞ୍ଚରେ ଓଡ଼ିଶାର ନୂଆ ପରିଚୟ

August 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.