ପ୍ରଥମ ଟେଷ୍ଟ ଦ୍ଵିତୀୟ ପାଳିରେ ଭାରତର ଶୋଚନୀୟ ବ୍ୟାଟିଂ: ମାତ୍ର ୩୬ ରନରେ ପାଳି ସମାପ୍ତ

Published: Dec 19, 2020, 12:04 pm IST

ଆଡିଲେଡ୍: ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟର ଦ୍ଵିତୀୟ ପାଳିରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ ହୋଇଛି। ଭାରତ ପ୍ରଥମେ ବ୍ୟାଟିଂ କରି ପ୍ରଥମ ପାଳିରେ ୨୪୪ ରନ କରି ସମସ୍ତ ୱିକେଟ ହରାଇଥିଲା। କିନ୍ତୁ ଅଷ୍ଟ୍ରେଲିଆ ଦଳ ପ୍ରଥମ ପାଳିରେ ମାତ୍ର ୧୯୧ ରନ କରିବାରେ ସକ୍ଷମ ହୋଇପାରିଥିଲା। ଏହାସହିତ ପ୍ରଥମ ପାଳିରେ ଭାରତୀୟ ଦଳ ୫୩ ରନରେ ଅଷ୍ଟ୍ରେଲିଆ ଠାରୁ ଆଗୁଆ ରହିଥିଲା।

ଏହାକୁ ନେଇ ଭାରତୀୟ ଦଳ ଉତ୍ସାହିତ ଥିବା ବେଳେ ଦ୍ଵିତୀୟ ପାଳି ଆରମ୍ଭ କରିଥିଲା। ହେଲେ ପ୍ରଥମରୁ ଭାରତର ବ୍ୟାଟିଂ ବିପର୍ଯ୍ୟୟ ଜାରି ରହି ୩୬ ରନରେ ୯ଟି  ୱିକେଟ ହରାଇବା ସହ ଅନ୍ତିମ ୱିକେଟ ଭାବେ ମହମ୍ମଦ ଶାମି ରିଟାୟର୍ଡ ହର୍ଟ ହୋଇଥିଲେ।

ତେବେ ଅଷ୍ଟ୍ରେଲିଆ ଦଳକୁ ଜିତିବା ପାଇଁ ମାତ୍ର ୯୦ ରନର ଆବଶ୍ୟକ। ଯାହା କୌଣସି ବଡ ଟାର୍ଗେଟ ନୁହେଁ। ଦ୍ଵିତୀୟ ପାଳିରେ ଭାରତର କୌଣସି ଖେଳାଳି ଦୁଇ ଅଙ୍କରେ ପହଞ୍ଚିପାରିନଥିଲେ। ମୟଙ୍କ ଅଗ୍ରୱାଲ ସର୍ବାଧିକ ୯ ରନ କରିଥିବା ବେଳେ ପୃଥ୍ଵୀ ଶ ୪ ରନ, ଚିତେଶ୍ଵର ପୂଜାରା, ଅଜିଙ୍କ୍ୟ ରାହାନେ ଏବଂ ରବିଚନ୍ଦ୍ରନ ଅଶ୍ଵିନୀ ଖାତା ଖୋଲିବାରେ ସମର୍ଥ ହୋଇପାରିନଥିଲେ। ସେହିପରି ଅଧିନାୟକ ବିରାଟ କୋହିଲୀ ୪ ରନ, ହନୁମା ବିହାରୀ ୮ ରନ, ଋଦ୍ଧିମାନ ଶାହ ୪ ରନ କରି ପାଭିଲିଅନ ଫେରିଥିଲେ।

ଅଷ୍ଟ୍ରେଲିଆ ପକ୍ଷରୁ ପି. କୁମିନ୍ସ ୪ ଟି ୱିକେଟ ଅକ୍ତିଆର କରିଥିବା ବେଳେ ଜେ. ହଜିଲଉଡ଼ ମାତ୍ର ୫ ଓଭରରେ ୮ ରନ ଦେଇ ୫ ଟି ୱିକେଟ ଅକ୍ତିଆର କରିଥିଲେ।

Related posts