
ସିଡନୀ: ଚଳିତ ଅଷ୍ଟ୍ରେଲିଆ-ଭାରତ ଟେଷ୍ଟ ସିରିଜରେ ଭାରତୀୟ ଖେଳାଳିଙ୍କ ଆହତ ସମସ୍ୟା କମିବାର ନାଁ ଧରୁନି। ଜଣଙ୍କ ପରେ ଜଣେ ଭାରତୀୟ ଖେଳାଳି ଆହତ ହୋଇ ସିରିଜରୁ ବାଦ ପଡ଼ୁଛନ୍ତି। ମହମ୍ମଦ ଶମୀ, ଉମେଶ ଯାଦବ ଏବଂ କେଏଲ ରାହୁଲଙ୍କ ପରେ ଭଲ ଫର୍ମରେ ଥିବା ଅଲରାଉଣ୍ଡର ରବୀନ୍ଦ୍ର ଜାଡ଼େଜା ଆହତ ହୋଇଛନ୍ତି। ତୃତୀୟ ଟେଷ୍ଟର ତୃତୀୟ ଦିନରେ ଭାରତର ଦୁଇ ଜଣ ଖେଳାଳି ଆହତ ହୋଇଥିଲେ। ୱିକେଟ କିପର ଋଷଭ ପନ୍ତ ଏବଂ ଅଜୟ ଜାଡ଼େଜା ଆହତ ହେବା ଖବର ଭାରତୀୟ ଦଳଙ୍କୁ ଆଘାତ ଦେଇଛି। ହେଲେ ଋଷଭ ପନ୍ତ ସୁସ୍ଥ ଥିବା ବେଳେ ସେ ଆଗାମୀ ଖେଳ ଜାରି ରଖିପାରିବେ। କିନ୍ତୁ ଜାଡ଼େଜାଙ୍କୁ ଦଳରୁ ବାଦ ହେବାକୁ ପଡିଛି। ତାଙ୍କ ସ୍ଥାନରେ ଅଲରାଉଣ୍ଡର ୱାସିଂଟନ ସୁନ୍ଦରଙ୍କୁ ଦଳରେ ସାମିଲ କରାଯାଇପାରେ। ପୂର୍ବରୁ ଏହି ଟେଷ୍ଟ ସିରିଜ ପାଇଁ ନେଟ୍ସ ଅଭ୍ୟାସ କରିବା ଲାଗି ତାଙ୍କୁ ରଖାଯାଇଥିଲା।
ଉଲ୍ଲେଖ ଯୋଗ୍ୟ ଯେ, ବିସିସିଆଇ ଜାଡ଼େଜାଙ୍କ ବଦଳରେ ଆଉ କୌଣସି ଖେଳାଳିଙ୍କୁ ଅଷ୍ଟ୍ରେଲିଆ ପଠାଇ ପାରିବ ନାହିଁ। କାରଣ ଯେଉଁ ଖେଳାଳି ଭାରତରୁ ଯିବେ, ସେଠାରେ ତାଙ୍କୁ ୧୪ ଦିନ କ୍ଵାରେଣ୍ଟିନରେ ରହିବାକୁ ପଡିବ। ତେଣୁ ଆଉ ସମୟ ନଥିବାରୁ ପରବର୍ତ୍ତୀ ତଥା ଚୁଡାନ୍ତ ଟେଷ୍ଟ ଲାଗି ୱାସିଂଟନ ସୁନ୍ଦରଙ୍କୁ ଭାରତୀୟ ଏକାଦଶରେ ସାମିଲ କରାଯାଇପାରେ। ୨୧ ବର୍ଷୀୟ ୱାସିଂଟନ ସୁନ୍ଦର ଭାରତ ପାଇଁ ୧ ଟି ଦିନିକିଆ ଏବଂ ୨୬ ଟି ଟି-ଟ୍ୱେଣ୍ଟି ଖେଳିଛନ୍ତି।