ପୁଣି ଅସମ୍ଭବକୁ ସମ୍ଭବ କରି ଦେଖାଇଲା ଭାରତୀୟ ଦଳ: ଅଷ୍ଟ୍ରେଲିଆକୁ ହରାଇ ଜିତିଲା ଟେଷ୍ଟ ସିରିଜ

Published: Jan 19, 2021, 1:42 pm IST

ବ୍ରିସବେନ: ଆଜି ଭାରତୀୟ କ୍ରିକେଟ ଦଳ ରଚିଲା ଇତିହାସ। ପୁଣି ଅସମ୍ଭବକୁ ସମ୍ଭବ କରି ଦେଖାଇଲେ ରାହାଣେ ବାହିନୀ। ଚତୁର୍ଥ ଟେଷ୍ଟ ତଥା ନିର୍ଣ୍ଣାୟକ ଟେଷ୍ଟରେ ଅଷ୍ଟ୍ରେଲିଆକୁ ହରାଇ ଭାରତ ସିରିଜ ଜିତିନେଇଛି। ପ୍ରଥମ ଥର ପାଇଁ ବ୍ରିସବେନ ଗ୍ରାଉଣ୍ଡରେ ଏତେ ବଡ ସ୍କୋରର ଲକ୍ଷକୁ ପୂରଣ କରିବାରେ ସକ୍ଷମ ହେଲା ଭାରତୀୟ ଦଳ। ପୂର୍ବରୁ ଅନ୍ୟ କୌଣସି ଦଳ ୨୫୦ ରନରୁ ଉର୍ଦ୍ଧ୍ଵ ସ୍କୋରକୁ ପୂରଣ କରିବାରେ ସକ୍ଷମ ହୋଇପାରିନଥିଲେ। ଅଷ୍ଟ୍ରେଲିଆର ୩୨୮ ରନକୁ ପୂରଣ କରିବା ଭାରତୀୟ ଦଳ ପାଇଁ ଅସମ୍ଭବ ଥିଲା। କିନ୍ତୁ ଭାରତ ଏହାକୁ ପୂରଣ କରି ଦେଶ ପାଇଁ ଗୌରବ ଆଣିପାରିଛି। ଅନଭିଜ୍ଞ ଖେଳାଳୀକୁ ନେଇ ଜିତିବା ଭାରତ ପାଇଁ ଏକ ବଡ ଉପଲବ୍ଧି।

ଗତକାଲି ଭାରତ ୪ ରନରୁ ଖେଳ ଆରମ୍ଭ କରି ଆଜି ୩୨୮ ରନର ଟାର୍ଗେଟ ପୂରଣ କରିନେଇଥିଲା। ଦଳକୁ ବିଜୟ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ରିଷଭ ପନ୍ତ, ଶୁବମାନ ଗିଲ, ଚେତେଶ୍ଵର ପୂଜାରା ଏବଂ ୱାସିଙ୍ଗଟନ ସୁନ୍ଦର। ଶୁବମାନ ଗିଲ ସର୍ବାଧିକ ୯୧ ରନ ସଂଗ୍ରହ କରିଥିବା ବେଳେ ରିଷଭ ପନ୍ତ ଅପରାଜିତ ୮୯ ରନ କରିଥିଲେ। ଆଜି ରିଷଭ ପନ୍ତ ଏବଂ ୱାସିଙ୍ଗଟନ ଶେଷ ସମୟରେ ଟେଷ୍ଟ ମ୍ୟାଚକୁ ଟି-ଟ୍ୱେଣ୍ଟି ଖେଳରେ ରୂପାନ୍ତରିତ କରି ଦଳକୁ ଏଭଳି ବଡ ବିଜୟ ଦେଇଥିଲେ।

ସେହିପରି ଚେତେଶ୍ଵର ପୂଜରା ୫୬ ରନ, ଅଧିନାୟକ ଅଜିଙ୍କ୍ୟ ରାହାଣେ ୨୪ ରନ, ୱାସିଙ୍ଗଟନ ୨୨ ରନର ଉପଯୋଗୀ ପାଳି ଖେଳିଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ପ୍ୟାଟ କମିନ୍ସ ସବାଧିକ ୪ ଟି ୱିକେଟ ଅକ୍ତିଆର କରିଥିବା ବେଳେ ନାଥନ ଲାୟନ ୨ ଟି ଏବଂ ଜୋସ ହଜିଲଉଡ଼ ୧ ଟି ୱିକେଟ ହାସଲ କରିଥିଲେ।

ଭାରତୀୟ ଦଳର ଏହି ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖେଳାଳିଙ୍କୁ କୃତଜ୍ଞତା ଜଣାଇଛନ୍ତି। ସେହିପରି ବିଜୟୀ ଦଳକୁ ବିସିସିଆଇ ୫ କୋଟି ଟଙ୍କାର ପୁରଷ୍କୃତ ରାଶି ଦେବା ଲାଗି ଘୋଷଣା କରିଛି।

Related posts