ପ୍ରଥମ ଟେଷ୍ଟ: ୨୨୭ ରନରେ ଭାରତକୁ ହରାଇଲା ଭ୍ରମଣକାରୀ ଇଂଲଣ୍ଡ ଦଳ

Published: Feb 9, 2021, 2:02 pm IST

ଚେନ୍ନାଇ: ଭାରତ-ଇଂଲଣ୍ଡ ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟରେ ଭ୍ରମଣକାରୀ ଦଳ ବିଜୟ ଲାଭ କରିଛି। ଇଂଲଣ୍ଡ ପ୍ରଥମ ଇନିଂସରେ ୫୭୮ ରନ ସଂଗ୍ରହ କରିଥିଲା। ଜବାବରେ ବିରାଟ ବାହିନୀ ପ୍ରଥମ ଇନିଂସରେ ମାତ୍ର ୩୩୭ ରନ କରିବାକୁ ସକ୍ଷମ ହୋଇଥିଲା। ଫଳରେ ଇଂଲଣ୍ଡ ଦଳ ପ୍ରଥମ ଇନିଂସରେ ୨୪୧ ରନରେ ଅଗ୍ରଣୀ ରହିଥିଲା।

ଭାରତକୁ ଫାଲୋଅନ ନ ଦେଇ ଇଂଲଣ୍ଡ ଦ୍ଵିତୀୟ ଇନିଂସରେ ବ୍ୟାଟିଂ ଆରମ୍ଭ କରିଥିଲା। ଦ୍ଵିତୀୟ ଇନିଂସରେ ଇଂଲଣ୍ଡ ମାତ୍ର ୧୭୮ ରନରେ ସମସ୍ତ ୱିକେଟ ହରାଇଥିଲା ଏବଂ ଭାରତକୁ ବିଜୟ ପାଇଁ ୪୨୦ ରନର ଲକ୍ଷ୍ୟ ଦେଇଥିଲା। ହେଲେ ଭାରତ ଆଜି ପଞ୍ଚମ ଦିନରେ ସମସ୍ତ ୱିକେଟ ହରାଇ ୧୯୨ ରନରେ ସୀମିତ ରହିଥିଲା। ଯାହାଫଳରେ ଭ୍ରମଣକାରୀ ଇଂଲଣ୍ଡ ଦଳ ୨୨୭ ରନ ବ୍ୟବଧାନରେ ବିଜୟ ଲାଭ କରିଛି।

ଭାରତ ପକ୍ଷରୁ ଅଧିନାୟକ ବିରାଟ କୋହଲୀ ସର୍ବାଧିକ ୭୨ ରନ କରିଥିବା ବେଳେ ଶୁବମାନ ଗିଲ ୫୦ ରନ ସଂଗ୍ରହ କରିଥିଲେ। ଏହି ଦୁଇ ଜଣଙ୍କ ବ୍ୟତୀତ ଅନ୍ୟ କୌଣସି ଖେଳାଳି ଭଲ ଖେଳ ପ୍ରଦର୍ଶନ କରିବାରେ ସକ୍ଷମ ହୋଇପାରିନଥିଲେ।

ଇଂଲଣ୍ଡ ପକ୍ଷରୁ ଜ୍ୟାକ ଲିଚ ସର୍ବାଧିକ ୪ ଟି ୱିକେଟ ନେଇଥିବା ବେଳେ ଜେମ୍ସ ଆଣ୍ଡର୍ସନ ୩ ଟି ଏବଂ ଯୋଫ୍ରା ଆର୍ଚର, ଡମ ବେସ ଏବଂ ବେନ ଷ୍ଟ୍ରୋକ୍ସ ୧ ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ।

Related posts