ପୁଣିଥରେ ଦୁବାଇରେ ଖେଳାଯିବ ଆଇପିଏଲ-୧୪!: ଜାଣନ୍ତୁ କେଉଁ ତାରିଖରୁ ଆରମ୍ଭ ହେବ ଏହି ଟୁର୍ଣ୍ଣାମେଣ୍ଟ

Published: May 25, 2021, 8:53 pm IST

ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁଁ ଭାରତରେ ଆଇପିଏଲର ୧୪ ତମ ସଂସ୍କରଣକୁ ଅଧାରୁ ସ୍ଥଗିତ ରଖାଯାଇଛି। ଆଇପିଏଲରେ ଆହୁରି ୩୧ ଟି ମ୍ୟାଚ ଖେଳାଯିବା ବାକି ଅଛି। ଏହି ସବୁ ମ୍ୟାଚ ଖେଳାଯିବ, ତାହା ଏବେ ବିସିସିଆଇ ସ୍ପଷ୍ଟ କରିନାହିଁ।

କିନ୍ତୁ ମେ’ ୨୯ରେ ହେବାକୁ ଥିବା ବିସିସିଆଇର ସାଧାରଣ ବୈଠକରେ ଏହାର ତାରିଖ ଘୋଷଣା ହୋଇପାରେ ବୋଲି ବିଶେଷ ସୂତ୍ରରୁ ଖବର ମିଳିଛି। ଦୁବାଇରେ ଏହି ସଂସ୍କରଣର ବାକି ଥିବା ସମସ୍ତ ମ୍ୟାଚ ଆୟୋଜନ ହେବା ସମ୍ଭାବନା ରହିଛି। ତେବେ ସେଥିପାଇଁ ଅନ୍ୟ ଦେଶର କ୍ରିକେଟ ବୋର୍ଡ ଏବଂ ଆଇପିଏଲ ଫ୍ରାଞ୍ଚାଇଜ ସାଥିରେ ଆଲୋଚନା ଜାରି ରହିଛି।

ମିଳିଥିବା ଖବର ଅନୁଯାୟୀ, ଆସନ୍ତା ସେପ୍ଟେମ୍ବର ମାସର ୧୯-୨୦ ତାରିଖରେ ଆଇପିଏଲ-୧୪ ସଂସ୍କରଣ ପୁଣି ଥରେ ଆରମ୍ଭ ହେବାର ସମ୍ଭାବନା ରହିଛି। ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଅକ୍ଟୋବର ୧୦ ତାରିଖରେ ହେବ ବୋଲି ଖବର ମିଳିଛି। ଏହି ଟୁର୍ଣ୍ଣାମେଣ୍ଟ ୨୧ ଦିନ ଭିତରେ ସମ୍ପନ୍ନ ହେବ। ୨୧ ଦିନ ଭିତରେ ୧୦ ଟି ଡବଲ ହେଡର, ୭ ଦିନରେ ଗୋଟିଏ ଲେଖାଏଁ ମ୍ୟାଚ ଏବଂ ୪ ଟି ପ୍ଲେ ଅଫ ମ୍ୟାଚ ଖେଳାଯିବ।

ତେବେ ଭାରତୀୟ ଦଳ ଇଂଲଣ୍ଡ ଗସ୍ତରୁ ସେପ୍ଟେମ୍ବର ୧୯ ତାରିଖରେ ଦୁବାଇରେ ପହଞ୍ଚିବେ। ସେଠାରେ ସେମାନେ ୩ ଦିନ କ୍ଵାରେଣ୍ଟିନରେ ରହିବେ। ଅନ୍ୟ ଦେଶର ଖେଳାଳି କାରାବିୟାନ ପ୍ରିମିୟର ଲିଗରୁ ସିଧା ଆଇପିଏଲ ଦଳରେ ସାମିଲ ହେବେ।

ଉଲ୍ଲେଖ ଯୋଗ୍ୟ ଯେ, ସିପିଏଲ ଅଗଷ୍ଟ ୨୮ ତାରିଖରୁ ସେପ୍ଟେମ୍ବର ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ। ସିପିଏଲ ଟୁର୍ଣ୍ଣାମେଣ୍ଟକୁ ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ କରିବା ପାଇଁ ମଧ୍ୟ ଆଲୋଚନା ହେଉଛି।

Related posts