
ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିରୋଧରେ ୱାର୍ଲ୍ଡ ଟେଷ୍ଟ ଚମ୍ପିୟାନଶିପର ଫାଇନାଲ ମ୍ୟାଚରେ ଭାରତର ତାରକା ଖେଳାଳି ଋଷଭ ପନ୍ତ ବିଫଳ ହୋଇଛନ୍ତି। ସେ ପ୍ରଥମ ପାଳିରେ ମାତ୍ର ୪ ରନରେ ଆଉଟ ହୋଇଯାଇଥିଲେ। ସେ କାଇଲ ଜେମିସନଙ୍କ ଶିକାର ହୋଇଥିଲେ। ପନ୍ତ ଆଉଟ ହେବ ପରେ ଟିମ ଇଣ୍ଡିଆର ବିପଦ ବଢିଯାଇଥିଲା। ସେ ୨୨ ଟି ବଲର ସାମ୍ନା କରିଥିଲେ। ନ୍ୟୁଜିଲାଣ୍ଡର ଦ୍ରୁତ ବୋଲରଙ୍କୁ ସେ ସାମ୍ନା କରିବା ପାଇଁ ସଂଘର୍ଷ କରିଥିବା ଦେଖାଯାଇଥିଲା। ଜେମିସନଙ୍କ ବାହାର ଯାଉଥିବା ବଲକୁ ପନ୍ତ ଖେଳିବା ପାଇଁ ପ୍ରୟାସ କରିଥିଲେ। କିନ୍ତୁ ସ୍ଲିପରେ ଟମ ଲାଥମଙ୍କ ଦ୍ଵାରା ସେ କ୍ୟାଚ ଆଉଟ ହୋଇଯାଇଥିଲେ।
ପନ୍ତଙ୍କ ଆଉଟ ହେବ ପରେ ଭାରତୀୟ ଖେଳପ୍ରେମୀ ନିରାଶ ହୋଇଥିଲେ। ପନ୍ତ କେବଳ ବ୍ୟାଟିଂ ପିଚରେ ଖେଳିପାରିବେ ବୋଲି ଟ୍ବିଟରରେ ଅନେକ ଖେଳପ୍ରେମୀ ଲେଖିଥିଲେ। ସ୍ପାଇଡ଼ର ମ୍ୟାନ ଆସିଲେ ଆଉ ସ୍ପାଇଡ଼ର ମ୍ୟାନ ଫେରିଗଲେ ବୋଲି ଜଣେ ୟୁଜର ଲେଖିଥିଲେ। ରିଷଭ ପନ୍ତ ଆଉଟ ହେବା ପରେ ଏଭଳି ଅନେକ ଖେଳପ୍ରେମୀ ନିରାଶ ହୋଇ ଟ୍ବିଟରରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।
ଉଲ୍ଲେଖ ଯୋଗ୍ୟ ଯେ, ଟିମ ଇଣ୍ଡିଆ ଏହି ମ୍ୟାଚରେ ପ୍ରଥମରୁ ଭଲ ଖେଳ ଆରମ୍ଭ କରିଥିବା ବେଳେ ଗତକାଲି ଖେଳ ସମାପ୍ତ ହେବା ପର୍ଯ୍ୟନ୍ତ ୩ ଟି ୱିକେଟ ହରାଇ ୧୪୬ ରନ ସଂଗ୍ରହ କରିଥିଲା। କିନ୍ତୁ ଆଜି ଖେଳ ଆରମ୍ଭ ହେବା ପରେ ଭାରତୀୟ ଖେଳାଳି ବ୍ୟାଟିଂରେ ବିଫଳ ହୋଇଥିଲେ। ମାତ୍ର ୨୧୭ ରନରେ ଭାରତୀୟ ଦଳ ସମସ୍ତ ୱିକେଟ ହରାଇଥିଲା।
ନ୍ୟୁଜିଲାଣ୍ଡ ପକ୍ଷରୁ କାଇଲ ଜେମିସନ ସର୍ବାଧିକ ୫ ଟି ୱିକେଟ ଅକ୍ତିଆର କରିଥିଲେ। ତେବେ ଖବର ଲେଖା ହେବା ଯାଏଁ ନ୍ୟୁଜିଲାଣ୍ଡ ଦଳ କୌଣସି ୱିକେଟ ନହରାଇ ୫୭ ସଂଗ୍ରହ କରି ଦଳକୁ ମଜବୁତ ସ୍ଥିତିରେ ରଖିଛି।