ଚଳିତ ବର୍ଷ ଭାରତରେ ହେବନି ଟି-୨୦ ବିଶ୍ଵକପ: ୟୁଏଇକୁ ସ୍ଥାନାନ୍ତରଣ ପାଇଁ ବିସିସିଆଇର ନିଷ୍ପତ୍ତି

Published: Jun 28, 2021, 8:08 pm IST

ନୂଆଦିଲ୍ଲୀ: ଭାରତରେ ହେବାକୁ ଥିବା ଚଳିତ ବର୍ଷର ଟି-୨୦ ବିଶ୍ଵ କପ ମ୍ୟାଚଗୁଡିକୁ ବାତିଲ କରାଯାଇଛି। କୋଭିଡ ଯୋଗୁଁ ଏହି ଟୁର୍ଣ୍ଣାମେଣ୍ଟକୁ ୟୁଏଇରେ ଆୟୋଜନ କରିବା ପାଇଁ ବିସିସିଆଇ ନିଷ୍ପତ୍ତି ନେଇଛି। ଖୁବ ଶୀଘ୍ର ବିସିସିଆଇର ନିଷ୍ପତ୍ତି ବିଷୟରେ ଆଇସିସିକୁ ଜଣାଇଦିଆଯିବ ବୋଲି ସମ୍ପାଦକ ଜୟ ଶାହ କହିଛନ୍ତି। ହେଲେ ଏପର୍ଯ୍ୟନ୍ତ ଏହି ଟୁର୍ଣ୍ଣାମେଣ୍ଟର ଖେଳ ସୂଚୀ ଉପରେ ନିଷ୍ପତ୍ତି ହୋଇନାହିଁ।

ତେବେ ଆଇପିଏଲ-୧୪ ସଂସ୍କରଣ ସେପ୍ଟେମ୍ବର ୧୯ ତାରିଖରୁ ଅକ୍ଟୋବର ୧୫ ତାରିଖ ପର୍ଯ୍ୟନ୍ତ ୟୁଏଇରେ ଖେଳାଯିବ। ଏହାର ଦୁଇ ଦିନ ପରେ ଅର୍ଥାତ ଅକ୍ଟୋବର ୧୭ ତାରିଖ ଠାରୁ ଟି-୨୦ ବିଶ୍ଵକପ ମ୍ୟାଚ ଆରମ୍ଭ ହେବ ବୋଲି କୁହାଯାଉଛି। କିନ୍ତୁ ଏହାର ଅନ୍ତିମ ନିଷ୍ପତ୍ତି ଆଇସିସି ନେବ।

ରିପୋର୍ଟ ମୁତାବକ, ୟୁଏଇର ଆବୁଧାବୀ, ଶାରଜାହ ଏବଂ ଦୁବାଇରେ ଟି-୨୦ ବିଶ୍ଵକପ ମ୍ୟାଚ ଆୟୋଜନ କରାଯିବ। ସେପଟେ ରାଉଣ୍ଡ-୧ ର ମ୍ୟାଚଗୁଡିକ ଓମାନରେ ଖେଳାଯିବ। ଗତବର୍ଷ ଆଇସିସି ଟି-୨୦ ବିଶ୍ଵକପ ଟୁର୍ଣ୍ଣାମେଣ୍ଟ ଅଷ୍ଟ୍ରେଲିଆରେ ହେବାର ଥିଲା। ହେଲେ କରୋନା ଯୋଗୁଁ ୨୦୨୦ ମସିହାରେ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟକୁ ସ୍ଥଗିତ ରଖାଯାଇଥିଲା। ଭାରତରେ ୨୦୨୧ ମସିହାରେ ଏହି ଟୁର୍ଣ୍ଣାମେଣ୍ଟ ଏବଂ ଆଗାମୀ ସଂସ୍କରଣ ୨୦୨୨ ମସିହାରେ ଅଷ୍ଟ୍ରେଲିଆରେ ଆୟୋଜନ କରାଯିବ ବୋଲି ଆଇସିସି ନିଷ୍ପତ୍ତି ନେଇଥିଲା।

ତେବେ ଏହି ଟୁର୍ଣ୍ଣାମେଣ୍ଟର ସୁପର-୧୨ରେ ମୋଟ ୩୦ ଟି ମ୍ୟାଚ ଖେଳାଯିବ। ଯାହା ଅକ୍ଟୋବର ୨୪ ତାରିଖରୁ ଆରମ୍ଭ ହେବ ବୋଲି କୁହାଯାଉଛି। ୧୨ ଟି ଟିମକୁ ଦୁଇଟି ଗୃପରେ ଭାଗ କରାଯିବ। ଏଥିରୁ ଶ୍ରେଷ୍ଠ ୪ଟି ଟିମ ସେମିଫାଇନାଲକୁ ଉନ୍ନୀତ ହେବେ। ଏବଂ ଅନ୍ତିମ ଶ୍ରେଷ୍ଠ ଦୁଇଟି ଟିମ ଫାଇନାଲରେ ମୁହାଁମୁହିଁ ହେବେ।

Related posts