ଘୋଷଣା ହେଲା ଭାରତ-ଶ୍ରୀଲଙ୍କା କ୍ରିକେଟ ସିରିଜର ନୂଆ ତାରିଖ: ଜାଣନ୍ତୁ କେବେଠୁ ଆରମ୍ଭ ହେବ ଖେଳ

Published: Jul 10, 2021, 2:03 pm IST

ନୂଆଦିଲ୍ଲୀ: ଭାରତ-ଶ୍ରୀଲଙ୍କା ମଧ୍ୟରେ ଖେଳାଯିବାକୁ ଥିବା ସୀମିତ ଓଭର ସିରିଜ ପାଇଁ ତାରିଖ ଘୋଷଣା ହୋଇଛି। ଶ୍ରୀଲଙ୍କା ଟିମ ଶିବିରରେ କୋଭିଡ ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହି ସିରିଜର ତାରିଖରେ ପରିବର୍ତ୍ତନ କରାଯାଇଥିଲା। ଏହି ସିରିଜର ପ୍ରଥମ ମ୍ୟାଚ ୧୩ ତାରିଖରୁ ଆରମ୍ଭ ହେବାର ଥିଲା। କିନ୍ତୁ ଏବେ ଏହାର ପ୍ରଥମ ମ୍ୟାଚ ୧୮ ତାରିଖରୁ ଆରମ୍ଭ ହେବ। ଏହି ସିରିଜରେ ୩ ଟି ଦିନିକିଆ ଏବଂ ୩ ଟି ଟି-୨୦ ମ୍ୟାଚ ଖେଳାଯିବ। ତେବେ ପ୍ରଥମ ଦିନିକିଆ ଜୁଲାଇ ୧୮ ତାରିଖରେ ଖେଳାଯିବାକୁ ଥିବା ବେଳେ ଦ୍ଵିତୀୟ ମ୍ୟାଚ ୨୦ ତାରିଖ ଏବଂ ତୃତୀୟ ମ୍ୟାଚଟି ୨୩ ତାରିଖରେ ଖେଳାଯିବ। ଏନେଇ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ସୂଚନା ଦେଇଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ଶ୍ରୀଲଙ୍କାର ବ୍ୟାଟିଂ କୋଚ ଗ୍ରାଣ୍ଟ ଫ୍ଲାୱାର ଏବଂ ଡାଟା ବିଶ୍ଳେଷକ ଜିଟି ନିରୋସନ ବ୍ରିଟେନରୁ ଫେରିବା ପରେ ପଜିଟିଭ ଚିହ୍ନଟ ହୋଇଥିଲେ। ଯାହା ଫଳରେ ଶ୍ରୀଲଙ୍କା ଖେଳାଳିଙ୍କୁ ୩ ଦିନ ପୃଥକବାସ ରହିବାକୁ କଡା ନିର୍ଦ୍ଦେଶ ଦିଆଯାଇଛି।

ତେବେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ଦିନିକିଆ ସିରିଜ ୧୩ ତାରିଖ ଠାରୁ ଆରମ୍ଭ ହେବାର ଥିଲା ଏବଂ ଦ୍ଵିତୀୟ ଓ ତୃତୀୟ ମ୍ୟାଚ ୧୬ ତାରିଖ ଏବଂ ୧୮ ତାରିଖରେ ହେବାକୁ ଥିଲା।

ସେହିଭଳି ଟି-୨୦ ସିରିଜର ପ୍ରଥମ ମ୍ୟାଚ ୨୧ ତାରିଖରେ ଖେଳାଯିବାକୁ ଥିବା ବେଳେ ଦ୍ଵିତୀୟ ମ୍ୟାଚ ୨୩ ତାରିଖ ଏବଂ ତୃତୀୟ ତଥା ଅନ୍ତିମ ମ୍ୟାଚ ୨୫ ତାରିଖରେ ଖେଳାଯିବାକୁ ଥିଲା।

Related posts