ଆଜିଠୁ ଚତୁର୍ଥ ଟେଷ୍ଟ: ପ୍ରତିଶୋଧ ଲାଗି ଭାରତର ପ୍ଲେଇଂ ଏକାଦଶରେ ହୋଇପାରେ ଦୁଇଟି ପରିବର୍ତ୍ତନ

Published: Sep 2, 2021, 2:33 pm IST

ନୂଆଦିଲ୍ଲୀ: ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜର ଚତୁର୍ଥ ଟେଷ୍ଟ ଆଜିଠାରୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଓଭାଲରେ ଆରମ୍ଭ ହେବାକୁ ଯାଉଛି। ଲିଡ୍ସରେ ଖେଳାଯାଇଥିବା ତୃତୀୟ ଟେଷ୍ଟରେ ଭାରତ ଗୋଟିଏ ଇନିଂସ ଏବଂ ୭୬ ରନରେ ହାରିଯାଇଥିଲା। ବର୍ତ୍ତମାନ ଉଭୟ ଦେଶ ମଧ୍ୟରେ ସିରିଜ୍ ୧-୧ ରେ ବରାବର ଅଛି, କିନ୍ତୁ ସମସ୍ତେ ଭାରତଠାରୁ ଦୃଢ ଜବାବ ଆଶା ରଖିଛନ୍ତି।

ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲିଙ୍କ ପାଇଁ ମଧ୍ୟମ ଅର୍ଡର ସବୁଠୁ ବଡ ସମସ୍ୟା ହୋଇ ରହିଛି। ଲିଡସ୍ ଟେଷ୍ଟର ଦ୍ୱିତୀୟ ଇନିଂସରେ ପୂଜାରା ଏବଂ ବିରାଟ କୋହଲି ଅର୍ଦ୍ଧଶତକ ହାସଲ କରିଛନ୍ତି। କିନ୍ତୁ ରାହାଣେଙ୍କ ଖରାପ ଫର୍ମ ଜାରି ରହିଛି। କଳ୍ପନାଜଳ୍ପନା ରହିଛି ଯେ, ଲିଡସ୍ ଟେଷ୍ଟରେ ରାହାଣେଙ୍କ ସ୍ଥାନରେ ହନୁମା ବିହାରୀଙ୍କୁ ପ୍ଲେଇଂ ଏକାଦଶରେ ସୁଯୋଗ ଦିଆଯାଇପାରେ।

ସେପଟେ ଆର ଅଶ୍ୱିନଙ୍କୁ ନେଇ ସମସ୍ତେ ପ୍ରଶ୍ନ କରୁଛନ୍ତି। ଦୁନିଆର ଶ୍ରେଷ୍ଠ ସ୍ପିନର ହୋଇଥିଲେ ମଧ୍ୟ ଅଶ୍ୱିନଙ୍କୁ ଏପର୍ଯ୍ୟନ୍ତ ଏହି ସିରିଜରେ ଖେଳିବାର ସୁଯୋଗ ମିଳିନାହିଁ। ଓଭାଲ ଟେଷ୍ଟରେ ଅଶ୍ୱିନଙ୍କ ଖେଳ ପ୍ରାୟ ନିଶ୍ଚିତ। ତେବେ ଅଶ୍ୱିନ କାହାର ସ୍ଥାନ ନେବେ ତାହା ସ୍ପଷ୍ଟ ହୋଇନାହିଁ।

ଏଥି ସହିତ ଓଭାଲ ଟେଷ୍ଟ ପାଇଁ ଇଂଲଣ୍ଡ ଦଳରେ ଅତି କମରେ ଦୁଇଟି ପରିବର୍ତ୍ତନ ହେବାକୁ ଯାଉଛି। ଏହି ସିରିଜର ଅବଶିଷ୍ଟ ଦୁଇଟି ମ୍ୟାଚରୁ ଜୋସ୍ ବଟଲର୍ ତାଙ୍କ ନାମ ପ୍ରତ୍ୟାହାର କରିଛନ୍ତି। ସାମ୍ କୁରାନଙ୍କ ଖରାପ ଫର୍ମ ଯୋଗୁଁ ସେ ଦଳରୁ ବାଦ ପଡିପାରନ୍ତି। ଇଂଲଣ୍ଡର ପ୍ଲେଇଂ ଏକାଦଶରେ ସାମ କୁରାନଙ୍କ ସ୍ଥାନରେ କ୍ରିସ୍ ୱୋକ୍ସ ଖେଳିପାରନ୍ତି। ସେପଟେ ଓଲି ପୋପ୍ ଜୋସ୍ ବଟଲରଙ୍କ ସ୍ଥାନରେ ଖେଳିବେ ବୋଲି ଅନୁମାନ କରାଯାଇଛି।

Related posts