ଟିମ୍ ଇଣ୍ଡିଆର କୋଚ୍ ରବି ଶାସ୍ତ୍ରୀ କୋଭିଡ ପଜିଟିଭ: ଚିହ୍ନଟ ପରେ ଦଳର ୪ ଜଣ ସଦସ୍ୟଙ୍କୁ କରାଗଲା ପୃଥକ

Published: Sep 5, 2021, 8:27 pm IST

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀଙ୍କୁ କରୋନା ପଜିଟିଭ୍ ବୋଲି ଜଣାପଡିଛି। ଗତ ସନ୍ଧ୍ୟାରେ କୋଚ୍ ରବି ଶାସ୍ତ୍ରୀଙ୍କ ଲେଟରଲ୍ ଫ୍ଲୋ ପରୀକ୍ଷା ପଜିଟିଭ ଆସିଥିଲା। ଏହା ପରେ ବିସିସିଆଇ ମେଡିକାଲ୍ ଟିମ୍ ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀଙ୍କ ସମେତ ଚାରିଜଣ ସଦସ୍ୟଙ୍କୁ ପୃଥକ କରିଛି।

ରବି ଶାସ୍ତ୍ରୀ, ବୋଲିଂ କୋଚ୍ ବି ଅରୁଣ, ଫିଲ୍ଡିଂ କୋଚ୍ ଆର ଶ୍ରୀଧର ଏବଂ ଫିଜିଓଥେରାପିଷ୍ଟ ନିତିନ ପଟେଲଙ୍କୁ ବିସିସିଆଇ ପୃଥକ କରିଛି। ବିସିସିଆଇ କହିଛି ଯେ, ତାଙ୍କର ଆରଟି- ପିସିଆର ପରୀକ୍ଷା ହୋଇଛି। ତେବେ ଡାକ୍ତରୀ ଦଳ ନିଶ୍ଚିତ ନହେବା ପର୍ଯ୍ୟନ୍ତ ସେମାନେ ଟିମ୍ ଇଣ୍ଡିଆ ସହିତ ଯାତ୍ରା କରିବେ ନାହିଁ।

ବିସିସିଆଇ ଅନୁଯାୟୀ, ଟିମ୍ ଇଣ୍ଡିଆର ଅବଶିଷ୍ଟ ସଦସ୍ୟମାନଙ୍କୁ ଗତକାଲି ରାତିରେ ପରୀକ୍ଷା କରାଯାଇଥିଲା। ଟିମ୍ ଇଣ୍ଡିଆ ବର୍ତ୍ତମାନ ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟ ମ୍ୟାଚ୍ ଖେଳୁଛି। ଏପରି ପରିସ୍ଥିତିରେ, କୋଭିଡ ନେଗେଟିଭ ରିପୋର୍ଟ ଥିବା ସଦସ୍ୟମାନଙ୍କୁ ଓଭାଲରେ ଚାଲିଥିବା ଚତୁର୍ଥ ଟେଷ୍ଟର ଚତୁର୍ଥ ଦିନ ପାଇଁ ଅଗ୍ରଗତି କରିବାକୁ ଅନୁମତି ଦିଆଯାଇଥିଲା।

ଉଲ୍ଲେଖ ଯୋଗ୍ୟ ଯେ, ଭାରତୀୟ କ୍ରିକେଟ୍ ଦଳ ବର୍ତ୍ତମାନ ଇଂଲଣ୍ଡରେ ଏକ ଟେଷ୍ଟ ସିରିଜ୍ ଖେଳୁଛି। ଇଂଲଣ୍ଡ ବିପକ୍ଷରେ ଖେଳାଯାଉଥିବା ପାଞ୍ଚ ଟେଷ୍ଟ ସିରିଜ୍ ବର୍ତ୍ତମାନ ୧-୧ ରେ ଡ୍ର ରହିଛି ଏବଂ ଚତୁର୍ଥ ଟେଷ୍ଟ ମ୍ୟାଚ୍ ଦୁଇ ଦଳ ମଧ୍ୟରେ ଖେଳାଯାଉଛି। ଚତୁର୍ଥ ଟେଷ୍ଟ ମ୍ୟାଚରେ ଭାରତୀୟ କ୍ରିକେଟ୍ ଦଳ ଦୃଢ ସ୍ଥିତିରେ ଅଛି। ଏହି ଟେଷ୍ଟରେ ଇଂଲଣ୍ଡ ଦଳକୁ ଟିମ୍ ଇଣ୍ଡିଆ ୩୫୩ ରନରେ ଅଗ୍ରଣୀ ରହିଛି। ବିରାଟ ବାହିନୀ ଆଜି ୯ ୱିକେଟ ହରାଇ ୪୫୨ ରନ ଖେଳୁଛି।

Related posts