ବାତିଲ ହେବ ପଞ୍ଚମ ତଥା ଅନ୍ତିମ ଟେଷ୍ଟ!: ଜାଣନ୍ତୁ ମ୍ୟାଚକୁ ନେଇ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି କ’ଣ କହିଲେ

Published: Sep 9, 2021, 7:48 pm IST

ନୂଆଦିଲ୍ଲୀ: ଆସନ୍ତାକାଲି ଠାରୁ ମଞ୍ଚେଷ୍ଟରର ଓଲ୍ଡ ଟ୍ରାଫର୍ଡରେ ଖେଳାଯିବାକୁ ଥିବା ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପଞ୍ଚମ ତଥା ଅନ୍ତିମ ଟେଷ୍ଟ ଖେଳାଯିବା। ହେଲେ ଏହି ଟେଷ୍ଟରେ ଏକ ସଙ୍କଟ ଦେଖାଦେଇଛି। ଆଜି ଭାରତୀୟ ଦଳର ଅନ୍ୟ ଜଣେ ସପୋର୍ଟ ଷ୍ଟାଫ୍ କରୋନା ପଜିଟିଭ୍ ବୋଲି ଜଣାପଡିଛି, ଏହା ପରେ ସମସ୍ତ ଖେଳାଳିଙ୍କ ଆରଟିପିସିଆର ପରୀକ୍ଷା କରାଯାଇଛି। ସମସ୍ତଙ୍କୁ ହୋଟେଲ ରୁମରେ ରଖାଯାଇଛି। ଯଦି କୌଣସି ଖେଳାଳିଙ୍କ ରିପୋର୍ଟ ପଜିଟିଭ ଆସେ, ତେବେ ପଞ୍ଚମ ଟେଷ୍ଟକୁ ବାତିଲ କରାଯାଇପାରେ।

ଭାରତୀୟ କ୍ରିକେଟ୍ ବୋର୍ଡ ମୁଖ୍ୟ ସୌରଭ ଗାଙ୍ଗୁଲି ଏ ବିଷୟରେ କହିଛନ୍ତି, “ଏହି ସମୟରେ ମ୍ୟାଚ୍ ହେବ କି ନାହିଁ ତାହା ଆମେ ଜାଣି ନାହୁଁ। ଆଶା କରୁଛି ମ୍ୟାଚ୍ ହେବ।” ଆଜି ଭାରତୀୟ ଦଳର ସପୋର୍ଟ ଷ୍ଟାଫ୍ ସଂକ୍ରମିତ ହେବା ପରେ ଟିମ୍ ଇଣ୍ଡିଆର ଟ୍ରେନିଂ ବାତିଲ କରାଯାଇଛି।

ଭାରତୀୟ ଦଳର ଜୁନିଅର ଫିଜିଓ ଯୋଗେଶ ପରମାରଙ୍କ ଆଜି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଫଳରେ ଟିମ୍ ଇଣ୍ଡିଆ ଅଭ୍ୟାସ ଅଧିବେଶନକୁ ବାତିଲ କରିବାକୁ ବାଧ୍ୟ ହୋଇଥିଲା।

ଲଣ୍ଡନର ଓଭାଲରେ ଖେଳାଯାଇଥିବା ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଚତୁର୍ଥ ଟେଷ୍ଟରେ ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଶାସ୍ତ୍ରୀଙ୍କ ପରେ ଭାରତୀୟ ଦଳର ବୋଲିଂ ପ୍ରଶିକ୍ଷକ ଭାରତ ଅରୁଣ ଏବଂ ଫିଲ୍ଡିଂ କୋଚ୍ ଆର ଶ୍ରୀଧର ମଧ୍ୟ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ଏହି ତିନିଜଣ ୧୦ ଦିନିଆ କ୍ଵାରେଣ୍ଟିନରେ ଅଛନ୍ତି ଏବଂ ଶେଷ ଟେଷ୍ଟ ପାଇଁ ଦଳ ସହିତ ରହିବେ ନାହିଁ।

ଯେତେବେଳେ ଓଭାଲରେ ପଞ୍ଚମ ଦିନରେ ଭାରତ ଏହି ମ୍ୟାଚ ଜିତିଥିଲା ​​ସେତେବେଳେ କେବଳ ବ୍ୟାଟିଂ ପ୍ରଶିକ୍ଷକ ବିକ୍ରମ ରଥୋର ଦଳ ସହ ଥିଲେ। ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜରେ ଭାରତ ବର୍ତ୍ତମାନ ୨-୧ ରେ ଆଗୁଆ ରହିଛି, କିନ୍ତୁ କରୋନା ସଂକ୍ରମଣ ଯୋଗୁଁ ପଞ୍ଚମ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍ ଉପରେ ସନ୍ଦେହ ସୃଷ୍ଟି ହୋଇଛି।

Related posts