ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ପାଇଁ ନିକଟତର ହେଲେ ରାହୁଲ ଦ୍ରାବିଡ, ନେଲେ ଏଭଳି ପଦକ୍ଷେପ

Published: Oct 26, 2021, 7:02 pm IST

ନୂଆଦିଲ୍ଲୀ: ଭାରତର ପୂର୍ବତନ ଅଧିନାୟକ ରାହୁଲ ଦ୍ରାବିଡ ଜାତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ପଦ ପାଇଁ ଆବେଦନ କରିଛନ୍ତି। ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ରାହୁଲ ଦ୍ରାବିଡ ଆଜି ଆନୁଷ୍ଠାନିକ ଭାବେ ମୁଖ୍ୟ ପ୍ରଶିକ୍ଷକ ପଦ ପାଇଁ ଆବେଦନ କରିଛନ୍ତି। କାରଣ ଏହା ଆବେଦନ କରିବା ଲାଗି ସମୟ ସୀମାର ଶେଷ ଦିନ ଥିଲା। ବୋଲିଂ କୋଚ୍ ପାରାସ୍ ମମ୍ବ୍ରେ ଏବଂ ଫିଲ୍ଡିଂ କୋଚ୍ ଅଭୟ ଶର୍ମା ଏନସିଏରେ ଆବେଦନ କରିସାରିଛନ୍ତି। ତାଙ୍କର ଆବେଦନ କେବଳ ଏକ ଔପଚାରିକତା ଥିଲା।

ଦ୍ରାବିଡ ନିକଟରେ ଦୁବାଇରେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କୁ ଭେଟିଥିଲେ। ସୂଚନାନୁସାରେ, ଦୁବାଇରେ ଆଇପିଏଲ୍ ଫାଇନାଲ୍ ରାତିରେ ବିସିସିଆଇ ସଚିବ ଜୟ ଶାହା ଏବଂ ସଭାପତି ସୌରଭ ଗାଙ୍ଗୁଲି ରାହୁଲ ଦ୍ରାବିଡଙ୍କ ସହ ଏକ ବୈଠକ କରିଥିଲେ। ଏହି ବୈଠକରେ ବିସିସିଆଇ ବୋର୍ଡ ରାହୁଲ ଦ୍ରାବିଡଙ୍କଠାରୁ ଜାଣିବାକୁ ଚେଷ୍ଟା କରିଥିଲା, ସେ କଣ ଚାହୁଁଛନ୍ତି ଏବଂ ବୋର୍ଡ ତାଙ୍କୁ କଣ ଦେଇପାରେ।

କିଛି ସମୟ ପୂର୍ବରୁ ରାହୁଲ ଦ୍ରାବିଡ କୋଚ ହେବାକୁ ମନା କରିଦେଇଥିଲେ। କିନ୍ତୁ ବିସିସିଆଇର ଅନେକ ଉଦ୍ୟମ ପରେ ସେ ଏଥିରେ ରାଜି ହୋଇଥିଲେ। ରାହୁଲ ଦ୍ରାବିଡ ୨୦୨୩ ପର୍ଯ୍ୟନ୍ତ ଏକ ଚୁକ୍ତି କରିପାରିବେ। ଦ୍ରାବିଡ ବର୍ତ୍ତମାନ ଭାରତୀୟ ଜୁନିୟର ଦଳର ପ୍ରଶିକ୍ଷକ ଏବଂ ନ୍ୟାସନାଲ କ୍ରିକେଟ୍ ଏକାଡେମୀର ମୁଖ୍ୟ ଅଟନ୍ତି।

ଟି-୨୦ ବିଶ୍ୱକପ ପରେ ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି। ଶାସ୍ତ୍ରୀ ତାଙ୍କ ଚୁକ୍ତି ବଢାଇବାକୁ ଚାହୁଁନାହାଁନ୍ତି। ରବି ଶାସ୍ତ୍ରୀଙ୍କୁ ୫୯ ବର୍ଷ ବୟସ ହୋଇଛି। ସେ ଗତ ସାତ ବର୍ଷ ଧରି ଟିମ୍ ଇଣ୍ଡିଆ ସହିତ ଜଡିତ ଅଛନ୍ତି। ୨୦୧୪ ମସିହାରେ ରବି ଶାସ୍ତ୍ରୀ ନିର୍ଦ୍ଦେଶକ ଭାବରେ ଟିମ୍ ଇଣ୍ଡିଆ ସହିତ ଜଡିତ ହୋଇଥିଲେ। ୨୦୧୬ ମସିହାରେ କିନ୍ତୁ ରବି ଶାସ୍ତ୍ରୀଙ୍କୁ ଅନିଲ କୁମ୍ବଲେ କୋଚ୍ ହେବା ପରେ ଏକ ବର୍ଷ ପାଇଁ ଟିମ୍ ଇଣ୍ଡିଆଠାରୁ ଦୂରରେ ରହିବାକୁ ପଡ଼ିଲା। ବିରାଟ କୋହଲିଙ୍କ ପ୍ରଥମ ପସନ୍ଦ ହୋଇ ରବି ଶାସ୍ତ୍ରୀ ୨୦୧୭ ମସିହାରେ କୋଚ୍ ଭାବରେ ଟିମ୍ ଇଣ୍ଡିଆକୁ ଫେରିଥିଲେ।

Related posts