ରାଞ୍ଚିରେ ଖେଳାଯିବାକୁ ଥିବା ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଦ୍ୱିତୀୟ ଟି-୨୦ ଉପରେ ସଙ୍କଟର ବାଦଲ!

Published: Nov 18, 2021, 7:25 pm IST

ରାଞ୍ଚି: ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଚାଲିଥିବା ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ୍ ଆସନ୍ତାକାଲି ଅର୍ଥାତ୍ ନଭେମ୍ବର ୧୯ ତାରିଖରେ ରାଞ୍ଚିରେ ଖେଳାଯିବ। କିନ୍ତୁ ଏହି ମ୍ୟାଚ୍ ଉପରେ ସଙ୍କଟର ବାଦଲ ଘେରିଯାଇଛି। ବାସ୍ତବରେ, ରାଞ୍ଚିରେ ଖେଳାଯିବାକୁ ଥିବା ଏହି ମ୍ୟାଚକୁ ସ୍ଥଗିତ ରଖିବାକୁ କିମ୍ବା ଷ୍ଟାଡିୟମର ଅଧା କ୍ଷମତା ସହିତ ମ୍ୟାଚକୁ ଅନୁମତି ଦେବାକୁ ଦାବି କରି ଝାଡଖଣ୍ଡ ହାଇକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଛି।

ଶୁକ୍ରବାର ଦିନ ଝାଡଖଣ୍ଡର ଜେଏସସିଏ ଷ୍ଟାଡିୟମରେ ନ୍ୟୁଜିଲ୍ୟାଣ୍ଡ ଏବଂ ଭାରତ ମଧ୍ୟରେ ଦ୍ୱିତୀୟ ଟି-ଟ୍ୱେଣ୍ଟି ମ୍ୟାଚ ଆୟୋଜନ ହେବ। ହେଲେ ଏଥିରେ ଦର୍ଶକଙ୍କ ପାଇଁ ୧୦୦ ପ୍ରତିଶତ ସିଟ୍ ଅନୁମତି ବିରୋଧରେ ଝାଡଖଣ୍ଡ ହାଇକୋର୍ଟର ଆଡଭୋକେଟ୍ ଧୀରଜ କୁମାର ଏକ ଜନସ୍ୱାର୍ଥ ମାମଲା ଦାୟର କରିଛନ୍ତି।

ଧୀରଜ କୁମାର ତାଙ୍କ ଆବେଦନରେ କହିଛନ୍ତି ଯେ, ଯେତେବେଳେ କରୋନା ସଂକ୍ରମଣ ହେତୁ ମନ୍ଦିର ଏବଂ ରାଜ୍ୟର ସମସ୍ତ କୋର୍ଟ ଏବଂ ଅନ୍ୟାନ୍ୟ କାର୍ଯ୍ୟାଳୟ ୫୦ ପ୍ରତିଶତ କର୍ମଚାରୀଙ୍କ ସହ କାମ କରୁଛି, ତେବେ କେଉଁ ନିୟମ ଅନୁଯାୟୀ ରାଜ୍ୟ ସରକାର ଭାରତ-ନ୍ୟୁଜିଲ୍ୟାଣ୍ଡ ମ୍ୟାଚ୍ କୁ ଶତପ୍ରତିଶତ ଦର୍ଶକଙ୍କ ସହିତ ଆୟୋଜନ କରିଛି?

ଉଲ୍ଲେଖାଯୋଗ୍ୟ ଯେ, କିୱି ଦଳ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଏବଂ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପାଇଁ ଭାରତ ଆସିଛି। ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ନଭେମ୍ବର ୧୭ ତାରିଖରେ ଜୟପୁରରେ ଖେଳାଯାଇଥିଲା। ଏହି ମ୍ୟାଚରେ ଭାରତ ପାଞ୍ଚ ୱିକେଟରେ ଜିତିଛି। ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ଛଅଟି ୱିକେଟ ହରାଇ ୧୬୪ ରନ କରିଥିଲା। ଏହାର ଜବାବରେ ଟିମ୍ ଇଣ୍ଡିଆ ଦୁଇଟି ବଲ ବାକି ଥାଇ ଟାର୍ଗେଟ ପୂରଣ କରିଥିଲା।

Related posts