ଚାରିଟି ଆନ୍ତର୍ଜାତିକ କ୍ରୀଡ଼ା ଚଳଚ୍ଚିତ୍ର ପ୍ରଦର୍ଶିତ କରିବ 52 ତମ ଆଇଏଫଏଫଆଇ ର ସ୍ପୋର୍ଟସ  ସେକ୍‌ସନ

Published: Nov 19, 2021, 10:07 pm IST

ନୂଆଦିଲ୍ଲୀ: କ୍ରୀଡ଼ା ଉତ୍ସାହକୁ ପ୍ରଦର୍ଶିତ କରି କ୍ରୀଡ଼ା ସମ୍ପର୍କିତ ଚାରିଟି ପ୍ରେରଣାଦାୟକ ଚଳଚ୍ଚିତ୍ର କୁ 52ତମ ଇଣ୍ଟରନାସନାଲ୍ ଫିଲ୍‌ମ ଫେଷ୍ଟିଭାଲ୍ ଅଫ୍‌ ଇଣ୍ଡିଆ (ଆଇଏଫଏଫଆଇ) ର ସ୍ପୋର୍ଟସ  ସେକ୍‌ସନରେ ଗୋଆ ଠାରେ ନଭେମ୍ବର 20-28, 2021 ମଧ୍ୟରେ ପ୍ରଦର୍ଶିତ କରାଯାଉଛି।

କ୍ରୀଡ଼ାକୁ ସାରା ବିଶ୍ବରେ ଉତ୍ସାହର ସହିତ ପାଳନ କରାଯାଉଛି। କ୍ରୀଡ଼ା ସମ୍ପର୍କିତ ଚଳଚ୍ଚିତ୍ର ଗୁଡ଼ିକୁ ସର୍ବଦା ଏହାର ଦର୍ଶକମାନଙ୍କୁ ଆକର୍ଷିତ, ଅନୁପ୍ରେରିତ କରିଥାଏ ଓ ମନରେ ଉତ୍ସାହ ଭରିଦିଏ। ଏହା ସହିତ ଚଳିତ ବର୍ଷ ଭାରତ ଅଲମ୍ପିକ୍‌ସ ଓ ପାରାଲିମ୍ପିକ୍ସରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି।  କ୍ରୀଡ଼ା କ୍ଷେତ୍ରରେ ଏହାକୁ ଏକ ଉତ୍କୃଷ୍ଟ ବର୍ଷ ଭାବରେ ବିବେଚନା କରାଯାଉଛି। ଏହି ସଫଳତାକୁ ପାଳନ କରିବା ପାଇଁ ଆଇଏଫଏଫଆଇ ସିନେମା ପ୍ରେମୀମାନଙ୍କ ପାଇଁ କ୍ରୀଡ଼ା ସମ୍ପର୍କିତ ଚାରିଟି ଆନ୍ତର୍ଜାତିକ ଚଳଚ୍ଚିତ୍ରକୁ ନେଇ ଆସିଛି।

ଏହି ସେକ୍ସନରେ ପ୍ରଦର୍ଶିତ କରାଯାଇଥିବା ଚଳଚ୍ଚିତ୍ର ଗୁଡ଼ିକ ହେଉଛି ଲିଭେନ ଭାନ୍ ବାଲେନଙ୍କ ରୁକି (ଡଚ୍), ଜେରୋ ୟୁନଙ୍କ ଫାଇଟର (କୋରିଆନ), ମାସିଏଜ୍ ବାର୍କଜେୱେସ୍କି ଙ୍କ  ଦି ଚାମ୍ପିୟନ ଅଫ୍ ଅସୱିଜ୍ (ଜର୍ମାନ୍, ପଲିସ୍) ଓ ଏଲି ଗ୍ରେପଙ୍କ ଓଲଗା (ଫ୍ରେଞ୍ଚ,  ରସିଆନ, ୟୁକ୍ରେନିଆନ)

ଆଇଏଫଏଫଆଇ ଗୋଆର 2018 ଠାରୁ କ୍ରୀଡ଼ା ପାଇଁ ଏକ ସ୍ବତନ୍ତ୍ର ପ୍ୟାକେଜ୍ ରହିଛି।

ରୁକି

ଏହା ହେଉଛି ବନ୍ଧୁତା, ପ୍ରତିଯୋଗୀତାର ଏକ କାହାଣୀ ଯାହା ଆପଣଙ୍କର ମନରେ ଉତ୍ସାହ ଓ ପ୍ରେରଣା ଭରିଦେବ।  ଏହି ଡଚ୍ ଫିଚର ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଲିଭେନ୍ ଭାନ୍ ବାଲେନ। ଏହି ଫିଲ୍ମରେ ନିକିର କାହାଣୀକୁ ବର୍ଣ୍ଣନା କରାଯାଇଛି, ଜଣେ ଯୁବ, ଉଚ୍ଚାଭିଳାଷୀ ଓ ଆତ୍ମବିଶ୍ବାସୀ ଓ ଦୁଃସାହସୀ ମୋଟରସାଇକେଲ ଚାଳକ। ଏହି ଦୁଃସାହସିକ କ୍ରୀଡ଼ାରେ ସେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି ଓ ତାଙ୍କ ପାଇଁ ସାରା ଦୁନିଆ ଏପଟ ସେପଟ ହୋଇଯାଇଛି। ନିକି ପୁଣି କିପରି ଜୀବନକୁ ଆରମ୍ଭ କରୁଛନ୍ତି ଓ ସ୍ବପ୍ନକୁ ପୁରଣ କରିବା ପାଇଁ ନିଜର ପୁତୁରାକୁ ତାଲିମ ପ୍ରଦାନ କରୁଛନ୍ତି ଯାହା ଏହି ଫିଲ୍ମରେ ପ୍ରଦର୍ଶିତ ହୋଇଛି।

ବ୍ରୁସେଲ୍ସରେ ଆୟୋଜିତ ବ୍ରୁସେଲ୍ସ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବର ଜାତୀୟ ପ୍ରତିଯୋଗିତାରେ ରୁକି ଏହାର ବିଶ୍ୱ ପ୍ରିମିୟର୍ କରିଥିଲା।

ଫାଇଟର

ଫାଇଟର ହେଉଛି ଜେରୋ ୟୁନ୍ ଙ୍କ ଦ୍ବାରା ଏକ କୋରିଆ ଫିଲ୍ମ। ଜିନା ହେଉଛନ୍ତି ଉତ୍ତର କୋରିଆର ଜଣେ ଶରଣାର୍ଥୀ ଯିଏ ସିଓଲକୁ ଏକ ଉତ୍ତମ ଜୀବନଯାପନ କରିବା ପାଇଁ ଆସିଛନ୍ତି। ଦକ୍ଷିଣ କୋରିଆକୁ ତାଙ୍କର ବାପାଙ୍କୁ ଆଣିବା ପାଇଁ ତାଙ୍କର ଟଙ୍କା ଆବଶ୍ୟକ। ଯେତେ କଠିନ ପରିଶ୍ରମ କଲେ ମଧ୍ୟ ଦୁଇ କୋରିଆ ଦେଶ ମଧ୍ୟରେ ବିବାଦ ହେତୁ ସେ ପର୍ଯ୍ୟାପ୍ତ ମାତ୍ରାରେ ଟଙ୍କା ସଞ୍ଚୟ କରିବାରେ ଅସମର୍ଥ ହେଉଛନ୍ତି। ଏହି ସମୟରେ ସେ ବକ୍ସିଂ ଦୁନିଆରେ ପ୍ରବେଶ କରିଛନ୍ତି। ମହିଳା ବକ୍ସରମାନଙ୍କୁ ଦେଖି ଜିନାର ଆତ୍ମବିଶ୍ବାସ ବୃଦ୍ଧି ହୋଇଛି। ଏହି ଫିଲ୍ମ ମାଧ୍ୟମରେ ନିଶ୍ଚିତ ଭାବରେ ଜୀବନ ପାଇଁ ପ୍ରେରଣା ମିଳିପାରିବ।

ଦି ଚାମ୍ପିୟନ ଅଫ୍ ଅସୱିଜ୍

ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ସଂଘର୍ଷ ଓ ସଂଗ୍ରାମର ବାସ୍ତବିକ ଜୀବନର ଏକ କାହାଣୀ। ଦି ଚାମ୍ପିୟନ ଅଫ୍ ଅସୱିଜ୍ ର ନିର୍ଦ୍ଦେଶନା ଦେଇଛନ୍ତି ପଲିସ୍ ନିର୍ଦ୍ଦେଶକ ମାସିଏଜ୍ ବାର୍କଜେୱେସ୍କି। ଏହି ଫିଲ୍ମ ମାଧ୍ୟମରେ ଟାଡେଉସ୍‌ଜ ‘ଟେଡି’ ପିଟ୍ରିଜିକୋସ୍କି, ବକ୍ସରଙ୍କ କାହାଣୀକୁ ପ୍ରଦର୍ଶିତ କରାଯାଇଛି। ନାଜି ଆତଙ୍କ ବିରୁଦ୍ଧରେ ଟେଡି ଆଶାର କିରଣ ଭାବରେ ଦେଖା ଦେଇଛି। ତାଙ୍କର ଅନ-ସ୍କ୍ରିନ ଇତିହାସକୁ ସବିଶେଷ ଭାବରେ ଉଲ୍ଲେଖ କରାଯାଇଛି। ସିନେ ପ୍ରେମୀମାନେ ଏହାକୁ ଆଇଏଫଏଫଆଇ 52 ରେ ଉପଭୋଗ କରିପାରିବେ।

ଓଲ୍‌ଗା

ଜଣେ ଯୁବ ଜିମନାଷ୍ଟିଙ୍କ ସଂଘର୍ଷର କାହାଣୀ। ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ନିର୍ଦ୍ଦେଶକ ଏଲି ଗ୍ରେପ। ସୁଇଜରଲ୍ୟାଣ୍ଡରୁ ନିର୍ବାସିତ ହେବା ପରେ, ଓଲଗା ଜଣେ ପ୍ରତିଭାବାନ ଓ ଉତ୍ସାହୀ ୟୁକ୍ରେନର ଜିମନାଷ୍ଟ ଜାତୀୟ କ୍ରୀଡ଼ା କେନ୍ଦ୍ରରେ ନିଜର ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି। ଏହି ପ୍ରତିଭାବାନ ଝିଅ ନୂତନ ଦେଶ ସହିତ ଖାପ ଖୁଆଇ ନିଜକୁ ୟୁରୋପିଆନ୍ ଚାମ୍ପିୟନସିପ୍ ପାଇଁ ପ୍ରସ୍ତୁତ କରୁଛି। ଏହି ସମୟରେ ୟୁକ୍ରେନରେ ବିପ୍ଳବ ଦେଖା ଦେଇଛି ଓ ସବୁ କିଛି ଏପଟ ସେପଟ ହୋଇଯାଇଛି।

ଏହି ଚଳଚ୍ଚିତ୍ରକୁ ଇଣ୍ଟରନାସନାଲ୍ ଫିଲ୍‌ମ ଫେଷ୍ଟିଭାଲ୍ ଅଫ୍‌ ଇଣ୍ଡିଆର 52ତମ ସଂସ୍କରଣରେ ଦେଖନ୍ତୁ ଓ କ୍ରୀଡ଼ା ଏବଂ ସିନେମା ସହାୟତାରେ ନିଜକୁ ପ୍ରୋତ୍ସାହିତ କରନ୍ତୁ।

Related posts