ଅନ୍ତିମ ଟେଷ୍ଟ: ନ୍ୟୁଜିଲ୍ୟାଣ୍ଡ ବିରୋଧରେ ପ୍ରଥମେ ବ୍ୟାଟିଂ କରିବ ଭାରତ, ଦଳରୁ ବାଦ ପଡିଲେ ୩ ଖେଳାଳି

Published: Dec 3, 2021, 12:00 pm IST

ମୁମ୍ବାଇ: ଆଜି ୱାଙ୍ଖେଡେ ଷ୍ଟାଡିୟମରେ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଟେଷ୍ଟ ସିରିଜର ଶେଷ ମ୍ୟାଚ୍ ଖେଳାଯାଉଛି। ଏହି ମ୍ୟାଚରେ ଟିମ୍ ଇଣ୍ଡିଆ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। କ୍ୟାପଟେନ ବିରାଟ କୋହଲି ଦଳକୁ ଫେରିଛନ୍ତି। ଏହି ମ୍ୟାଚ୍ ଉଭୟ ଦଳ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କାରଣ ଏହି ମ୍ୟାଚ୍ ଜିତି ସିରିଜ୍ ହାସଲ କରିପାରିବ। ଏହି ସିରିଜର ପ୍ରଥମ ଟେଷ୍ଟ ମ୍ୟାଚ୍ କାନପୁରରେ ଖେଳାଯାଇଥିଲା, ଯାହା ଅତ୍ୟନ୍ତ ରୋମାଞ୍ଚକର ଥିଲା ଏବଂ ଡ୍ରରେ ଶେଷ ହୋଇଥିଲା। ଭାରତୀୟ ଦଳ ଯେକୌଣସି ମୂଲ୍ୟରେ ଏହି ମ୍ୟାଚ୍ ଜିତି ସିରିଜ୍ ଜିତିବାକୁ ଚେଷ୍ଟା କରିବ। ଯଦିଓ ନ୍ୟୁଜିଲ୍ୟାଣ୍ଡର ଦଳ ମଧ୍ୟ ବହୁତ ଶକ୍ତିଶାଳୀ ଏବଂ ଏହି ମ୍ୟାଚ୍ ମଧ୍ୟ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି।

ଭାରତର ଏହି ତିନି ଖେଳାଳି ଆହତ ହୋଇ ମ୍ୟାଚରୁ ବାହାର:

କାନପୁରରେ ଚାଲିଥିବା ପ୍ରଥମ ଟେଷ୍ଟ ମ୍ୟାଚର ଶେଷ ଦିନରେ ଦ୍ରୁତ ବୋଲର ଇଶାନ୍ତ ଶର୍ମାଙ୍କ ବାମ ଆଙ୍ଗୁଠିରେ ଆଘାତ ଲାଗିଛି ବୋଲି ବିସିସିଆଇ ଟ୍ୱିଟ୍ କରିଛି। ପ୍ରଥମ ଟେଷ୍ଟ ମ୍ୟାଚରେ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କ ଡାହାଣ ହାତରେ ଆଘାତ ଲାଗିଛି। ସ୍କାନ ପରେ ଜଣାପଡିଲା ଯେ ତାଙ୍କ କାନ୍ଧରେ ଫୁଲା ଅଛି। ବିଶ୍ରାମ ନେବାକୁ ଡାକ୍ତରମାନେ ପରାମର୍ଶ ଦେଇଛନ୍ତି। ଏହା ବ୍ୟତୀତ ପ୍ରଥମ ଟେଷ୍ଟରେ ଦଳର ଅଧିନାୟକ ଅଜିଙ୍କ୍ୟ ରାହାନେ ପ୍ରଥମ ଟେଷ୍ଟର ଶେଷ ଦିନରେ ଫିଲ୍ଡିଂ କରୁଥିବାବେଳେ ବାମ ହାମଷ୍ଟ୍ରିଂରେ ସାମାନ୍ୟ ଚାପଗ୍ରସ୍ତ ହୋଇଥିଲେ। ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ନାହାଁନ୍ତି ତେଣୁ ମୁମ୍ବାଇରେ ଚାଲିଥିବା ଦ୍ୱିତୀୟ ଟେଷ୍ଟରୁ ତାଙ୍କୁ ବାଦ ଦିଆଯାଇଛି।

ଅନ୍ୟପକ୍ଷରେ ନ୍ୟୁଜିଲ୍ୟାଣ୍ଡର ଅଧିନାୟକ କେନ୍ ୱିଲିୟମସନ ମଧ୍ୟ ଏହି ମ୍ୟାଚରେ ଖେଳୁ ନାହାଁନ୍ତି। ତାଙ୍କ ସ୍ଥାନରେ ଦଳର ଅଧିନାୟକ ଦାୟିତ୍ଵ ଟମ ଲାଥାମଙ୍କୁ ହସ୍ତାନ୍ତର କରାଯାଇଛି।

ଟିମ୍ ଇଣ୍ଡିଆର ଏକାଦଶ:

ଶୁଭମାନ ଗିଲ, ମୟଙ୍କ ଅଗ୍ରୱାଲ, ଚେତେଶ୍ୱର ପୂଜାରା, ବିରାଟ କୋହଲି (ଅଧିନାୟକ), ଶ୍ରେୟାସ ଆୟର, ରିଦ୍ଧିମାନ ସାହା (ୱି.କି), ଅକ୍ସର ପଟେଲ, ରବିଚନ୍ଦ୍ରନ ଅଶ୍ୱିନ, ଜୟନ୍ତ ଯାଦବ, ଉମେଶ ଯାଦବ, ମହମ୍ମଦ ସିରାଜ।

ନ୍ୟୁଜିଲ୍ୟାଣ୍ଡ ଏକାଦଶ :

ଟମ୍ ଲାଥାମ୍ (ଅଧିନାୟକ), ୱିଲ୍ ୟଙ୍ଗ୍, ଡାରିଲ୍ ମିଚେଲ୍, ରସ୍ ଟେଲର, ହେନେରୀ ନିକୋଲସ୍, ଟମ୍ ବ୍ଲଣ୍ଡେଲ (ୱି.କି), ରାଚିନ୍ ରବିନ୍ଦ୍ର, କାଇଲ୍ ଜାମିସନ୍, ଟିମ୍ ସାଉଥୀ, ଅଜାଜ ପଟେଲ, ୱିଲିୟମ୍ ସୋମେରଭିଲ୍।

Related posts