ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଘୋଷଣା ହେଲା ଟିମ୍ ଇଣ୍ଡିଆ, ଦିନିକିଆରେ ଅଧିନାୟକ ହେବେ ରୋହିତ ଶର୍ମା

Published: Dec 8, 2021, 8:04 pm IST

ନୂଆଦିଲ୍ଲୀ: ରୋହିତ ଶର୍ମା ଭାରତର ନୂଆ ଦିନିକିଆ ଅଧିନାୟକ ହେବେ। ରୋହିତ ଶର୍ମାଙ୍କୁ ଦିନିକିଆ ଏବଂ ଟି-୨୦ ଦଳର ଅଧିନାୟକ କରିବାକୁ ଅଲ ଇଣ୍ଡିଆ ସିନିୟର ଚୟନ କମିଟି ନିଷ୍ପତ୍ତି ନେଇଛି। ଟି-୨୦ ବିଶ୍ୱକପ ପରେ ଭାରତର ଟେଷ୍ଟ ଅଧିନାୟକ ବିରାଟ କୋହଲି ଟି-୨୦ ର ଅଧିନାୟକତ୍ୱ ଛାଡି ରୋହିତଙ୍କୁ ତାଙ୍କ ସ୍ଥାନରେ ଏହି ଦାୟିତ୍ଵ ଦିଆଯାଇଛି। ଏବେ ବିରାଟ କୋହଲିଙ୍କଠାରୁ ଦିନିକିଆର ଅଧିନାୟକତ୍ୱ ମଧ୍ୟ ଛଡାଇ ନିଆଯାଇଛି। ରୋହିତ ଶର୍ମା ବର୍ତ୍ତମାନ ବିରାଟଙ୍କ ସ୍ଥାନରେ ଭାରତର ଦିନିକିଆ ଅଧିନାୟକ ହେବେ।

ଏଥିସହ ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଟିମ୍ ଇଣ୍ଡିଆ ଘୋଷଣା କରାଯାଇଛି। ବିରାଟ କୋହଲିଙ୍କୁ ଟେଷ୍ଟ ଦଳର ଦାୟିତ୍ଵ ମିଳିଛି। ରୋହିତ ଶର୍ମାଙ୍କୁ ଦିନିକିଆ ଦଳର ଅଧିନାୟକ ଭାବେ ନିଯୁକ୍ତି ଦିଆଯାଇଛି। ରୋହିତ ଶର୍ମାଙ୍କୁ ମଧ୍ୟ ଟେଷ୍ଟ ଦଳର ଉପ-ଅଧିନାୟକ କରାଯାଇଛି। ଅଜିଙ୍କ୍ୟ ରାହାନେଙ୍କୁ ଟେଷ୍ଟ ଦଳର ଉପ-ଅଧିନାୟକ ପଦରୁ ହଟାଇ ଦିଆଯାଇଛି, ତେଣୁ ରୋହିତ ତାଙ୍କ ସ୍ଥାନରେ ଉପ-ଅଧିନାୟକ ହେବେ।

ତିନି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ୍ ପାଇଁ ବିସିସିଆଇ ୧୮ ଜଣିଆ ଦଳ ଘୋଷଣା କରିଛି, ଯେଉଁଥିରେ ଫିଟନେସ୍ ସମସ୍ୟା କାରଣରୁ ରବିନ୍ଦ୍ର ଜାଡେଜା, ସ୍ପିନର ଅକ୍ସର ପଟେଲ ଏବଂ ଓପନର୍ ଶୁଭମାନ ଗିଲଙ୍କୁ ସାମିଲ କରାଯାଇନାହିଁ। ହନୁମା ବିହାରୀ ଦଳରେ ପ୍ରତ୍ୟାବର୍ତ୍ତନ କରିଥିବାବେଳେ ଦ୍ରୁତ ବୋଲର ଇଶାନ୍ତ ଶର୍ମା ଏବଂ ବ୍ୟାଟ୍ସମ୍ୟାନ୍ ଚେତେଶ୍ୱର ପୂଜାରା ଖରାପ ଫର୍ମ ସତ୍ତ୍ୱେ ଦଳରେ ଅଛନ୍ତି।

ଘୋଷିତ ଭାରତୀୟ ଦଳ:

ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା (ଉପ-ଅଧିନାୟକ), କେ.ଏଲ୍ ରାହୁଲ, ମୟଙ୍କ ଅଗ୍ରୱାଲ, ଚେତେଶ୍ୱର ପୂଜାରା, ଅଜିଙ୍କ୍ୟ ରାହାନେ, ଶ୍ରେୟାସ ଆୟର, ହନୁମା ବିହାରୀ, ଋଷଭ ପନ୍ତ, ରିଦ୍ଧିମାନ ସାହା, ଆର ଅଶ୍ୱିନ, ଜୟନ୍ତ ଯାଦବ, ଇଶାନ୍ତ ଶର୍ମା, ମହମ୍ମଦ ଶାମି, ଉମେଶ ଯାଦବ, ଜସପ୍ରୀତ ବୁମ୍ରା, ଶାର୍ଦ୍ଦୁଲ ଠାକୁର, ମହମ୍ମଦ ସିରାଜ।

ଷ୍ଟାଣ୍ଡବାଇ: ନବଦୀପ ସାଇନି, ସୌରଭ କୁମାର, ଦୀପକ ଚହର, ଅର୍ଜନ୍ ନାଗସ୍ୱାଲା।

Related posts