ବିନା ଦର୍ଶକରେ ହେବ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ମ୍ୟାଚ! ଜାଣନ୍ତୁ ଟେଷ୍ଟ ସିରିଜ ଅପଡେଟ

Published: Dec 20, 2021, 2:35 pm IST

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ ବର୍ତ୍ତମାନ ଦକ୍ଷିଣ ଆଫ୍ରିକା ଗସ୍ତରେ ଅଛି। ସେଠାରେ ଭାରତ ଡିସେମ୍ବର ୨୬ ତାରିଖରୁ ତିନି ମ୍ୟାଚ ବିଶିଷ୍ଟ ଏକ ଟେଷ୍ଟ ସିରିଜ୍ ଖେଳିବ। ପ୍ରଥମ ମ୍ୟାଚ୍ ସେଞ୍ଚୁରିଅନରେ ଖେଳାଯିବ। ବର୍ତମାନ ଭାରତୀୟ ଦଳ ସେଠାରେ ପହଞ୍ଚି ଅଭ୍ୟାସରେ ନିୟୋଜିତ ଅଛନ୍ତି। ଦକ୍ଷିଣ ଆଫ୍ରିକାର କ୍ରିକେଟ୍ ବୋର୍ଡ କରୋନାର ନୂତନ ଭାରିଆଣ୍ଟ ଓମିକ୍ରନ୍ ର ବିପଦକୁ ଦୃଷ୍ଟିରେ ରଖି ସମସ୍ତ ସୁରକ୍ଷା ବ୍ୟବସ୍ଥା କରିଛି। ଏଥିପାଇଁ ଆଫ୍ରିକୀୟ ବୋର୍ଡ ବିସିସିଆଇ ସହିତ ନିରନ୍ତର ଯୋଗାଯୋଗରେ ଅଛି। କିନ୍ତୁ ଏହି ମ୍ୟାଚ୍ ପୂର୍ବରୁ ପ୍ରଶଂସକମାନଙ୍କୁ ଏକ ବଡ଼ ଝଟକା ଲାଗିଛି। ଓମିକ୍ରନ୍ କାରଣରୁ ଦର୍ଶକଙ୍କ ବିନା ପ୍ରଥମ ମ୍ୟାଚ୍ ଆୟୋଜନ କରିବାକୁ ଦକ୍ଷିଣ ଆଫ୍ରିକା ବୋର୍ଡ ନିଷ୍ପତ୍ତି ନେଇଛି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଓମିକ୍ରନ୍‌ର ବଢୁଥିବା ମାମଲାକୁ ଦୃଷ୍ଟିରେ ରଖି ପ୍ରଥମ ଟେଷ୍ଟ ମ୍ୟାଚ୍ ପାଇଁ ଟିକେଟ ବିକ୍ରୟ ନକରିବାକୁ ଦକ୍ଷିଣ ଆଫ୍ରିକା କ୍ରିକେଟ୍ ବୋର୍ଡ ନିଷ୍ପତ୍ତି ନେଇଛି। କରୋନା ନିର୍ଦ୍ଦେଶାବଳୀ ଅନୁସରଣ କରି ଆଫ୍ରିକା ସରକାର ନିକଟରେ ୨୦୦୦ ଲୋକଙ୍କୁ ଷ୍ଟାଡିୟମକୁ ଯିବାକୁ ଅନୁମତି ଦେଇଥିଲେ। କିନ୍ତୁ ବର୍ତ୍ତମାନ ଖେଳାଳିଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବୋର୍ଡ ଏହି ନିଷ୍ପତ୍ତି ନେଉଛି। ତେବେ ବାକି ଟେଷ୍ଟ ମ୍ୟାଚଗୁଡିକ ବିଷୟରେ ଏପର୍ଯ୍ୟନ୍ତ କୌଆସି ନିଷ୍ପତ୍ତି ନିଆଯାଇ ନାହିଁ। ପରିସ୍ଥିତିର ଆକଳନ ପରେ ହିଁ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ।

ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଡିସେମ୍ବର ୨୬ ତାରିଖରୁ ସେଞ୍ଚୁରିଅନରେ ଖେଳାଯିବ। ଦ୍ୱିତୀୟ ମ୍ୟାଚ୍ ଜାନୁଆରୀ ୩ ତାରିଖରୁ ଜୋହାନ୍ସବର୍ଗରେ ଏବଂ ତୃତୀୟ ତଥା ଶେଷ ମ୍ୟାଚ୍ ଜାନୁଆରୀ ୧୧ ତାରିଖରୁ କେପଟାଉନରେ ଖେଳାଯିବ।

ଟେଷ୍ଟ ସିରିଜ୍ ପାଇଁ ଭାରତୀୟ ଦଳ:

ବିରାଟ କୋହଲି (କ୍ୟାପଟେନ), କେ.ଏଲ ରାହୁଲ (ଉପ-ଅଧିନାୟକ), ମୟଙ୍କ ଅଗ୍ରୱାଲ, ଚେତେଶ୍ୱର ପୂଜାରା, ଅଜିଙ୍କ୍ୟ ରାହାନେ, ଶ୍ରେୟାସ ଆୟର, ପ୍ରିୟାଙ୍କ ପାଞ୍ଚଲ, ହନୁମା ବିହାରୀ, ଋଷଭ ପନ୍ତ, ରିଦ୍ଧିମାନ ସାହା, ଆର ଅଶ୍ୱିନ, ଜୟନ୍ତ ଯାଦବ, ଇଶାନ୍ତ ଶର୍ମା, ଉମେଶ ଯାଦବ, ଜସପ୍ରୀତ ବୁମ୍ରା, ଶାର୍ଦ୍ଦୁଲ ଠାକୁର, ମହମ୍ମଦ ସିରାଜ।

Related posts