ଏସିଆର ପ୍ରଥମ ଦେଶ ଭାବେ ସେଞ୍ଚୁରିଅନରେ ଦକ୍ଷିଣ ଆଫ୍ରିକାକୁ ହରାଇଲା ଭାରତ

Published: Dec 30, 2021, 6:15 pm IST

ନୂଆଦିଲ୍ଲୀ: ସେଞ୍ଚୁରିଅନର ସୁପର ସ୍ପୋର୍ଟ ପାର୍କରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଦକ୍ଷିଣ ଆଫ୍ରିକାକୁ ୧୧୩ ରନରେ ପରାସ୍ତ କରି ଟିମ୍ ଇଣ୍ଡିଆ ଇତିହାସ ସୃଷ୍ଟି କରିଛି। ବାସ୍ତବରେ ସେଞ୍ଚୁରିଅନରେ ଜିତିବାରେ ଭାରତ ଏସିଆର ପ୍ରଥମ ଦେଶ ହୋଇପାରିଛି।

ସେଞ୍ଚୁରିଅନରେ ଟିମ୍ ଇଣ୍ଡିଆର ଏହା ହେଉଛି ପ୍ରଥମ ବିଜୟ। ଏହାପୂର୍ବରୁ କୌଣସି ଏସୀୟ ଦଳ ସେଞ୍ଚୁରିଅନରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିପାରନ୍ତି ନାହିଁ। ଏହି ଗ୍ରାଉଣ୍ଡରେ ଆୟୋଜକ ଦଳର ସର୍ବମୋଟ ତୃତୀୟ ପରାଜୟ।

ଚତୁର୍ଥ ଇନିଂସରେ ଦକ୍ଷିଣ ଆଫ୍ରିକାକୁ ଭାରତୀୟ ଦଳ ୩୦୫ ରନ୍‌ର ଟାର୍ଗେଟ ଦେଇଥିଲା। ଏହାର ଜବାବରେ ଆୟୋଜକ ଦଳ ୧୯୧ ରନ୍ ରେ ସମସ୍ତ ୱିକେଟ ହରାଇଥିଲା। ଭାରତ ପାଇଁ ଦ୍ୱିତୀୟ ଇନିଂସରେ ମହମ୍ମଦ ଶାମି ଏବଂ ଜସପ୍ରୀତ ବୁମ୍ରା ତିନିଟି ୱିକେଟ୍ ଲେଖାଏଁ ନେଇଥିଲେ। ଅନ୍ୟପକ୍ଷରେ ରବିଚନ୍ଦ୍ରନ ଅଶ୍ୱିନ ଏବଂ ମହମ୍ମଦ ସିରାଜ ପ୍ରତ୍ୟେକଙ୍କୁ ଦୁଇଟି ଲେଖାଏଁ ସଫଳତା ମିଳିଛି।

ଏହି ବିଜୟ ସହିତ ଭାରତ ତିନି ମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ ରେ ଅଗ୍ରଣୀ ହାସଲ କରିଛି। ୩୦୫ ରନ୍ ପଛରେ ପକାଇ ଦକ୍ଷିଣ ଆଫ୍ରିକାର ଦଳ ପଞ୍ଚମ ଦିନରେ ୧୯୧ ରନରେ ସୀମିତ ରହିଥିଲା। ଦଳ ପାଇଁ ଦ୍ୱିତୀୟ ଇନିଂସରେ କ୍ୟାପଟେନ ଡିନ୍ ଏଲଗାର ସର୍ବାଧିକ ୭୭ ରନ୍ ସଂଗ୍ରହ କରିଥିଲେ। ଏଥିସହିତ ଭାରତୀୟ ଦ୍ରୁତ ବୋଲର ଜସପ୍ରୀତ ବୁମ୍ରା, ମହମ୍ମଦ ଶାମି ଏବଂ ମହମ୍ମଦ ସିରାଜ ଭଲ ବୋଲିଂ କରିଥିଲେ।

Related posts