ଦକ୍ଷିଣ ଆଫ୍ରିକା ବିରୋଧ ଦିନିକିଆ ଭାରତୀୟ ଦଳରେ ପରିବର୍ତ୍ତନ, ଏହି ଖେଳାଳିଙ୍କୁ ମିଳିଲା ସୁଯୋଗ

Published: Jan 12, 2022, 6:26 pm IST

ନୂଆଦିଲ୍ଲୀ: ଜାନୁଆରୀ ୧୯ ତାରିଖରୁ ଦକ୍ଷିଣ ଆଫ୍ରିକା ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ବିସିସିଆଇ ଭାରତୀୟ ଦଳରେ ଦୁଇଟି ପରିବର୍ତ୍ତନ କରିଛି। ଅଫ୍ ସ୍ପିନର ଜୟନ୍ତ ଯାଦବ ଏବଂ ଦ୍ରୁତ ବୋଲର ନବଦୀପ ସାଇନିଙ୍କୁ ଟିମ୍ ଇଣ୍ଡିଆରେ ସାମିଲ କରାଯାଇଛି।

ବାଙ୍ଗାଲୋରରେ କ୍ୟାମ୍ପ ସମୟରେ ଅଫ୍ ସ୍ପିନର ୱାଶିଂଟନ୍ ସୁନ୍ଦରଙ୍କୁ କରୋନା ପଜିଟିଭ୍ ମିଳିଥିଲା। ଏହା ପରେ ସେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦିନିକିଆ ଦଳରୁ ଓହରି ଯାଇଥିଲେ। ବର୍ତ୍ତମାନ ତାଙ୍କ ସ୍ଥାନରେ ଅଫ୍ ସ୍ପିନର ଜୟନ୍ତ ଯାଦବଙ୍କୁ ସୁଯୋଗ ମିଳିଛି। ଅକ୍ଟୋବର ୨୦୧୬ରେ ଜୟନ୍ତ ନିଜର ଦିନିକିଆ ଡେବ୍ୟୁ କରିଥିଲେ। ସେ ଏପର୍ଯ୍ୟନ୍ତ ଭାରତ ପାଇଁ କେବଳ ଗୋଟିଏ ଦିନିକିଆ ମ୍ୟାଚ୍ ଖେଳିଛନ୍ତି।

ଦ୍ରୁତ ବୋଲର ନବଦୀପ ସାଇନିଙ୍କୁ ମଧ୍ୟ ମହମ୍ମଦ ସିରାଜଙ୍କ ବ୍ୟାକଅପ୍ ଭାବରେ ଦିନିକିଆ ଦଳରେ ସାମିଲ କରାଯାଇଛି। କେପଟାଉନରେ ଖେଳାଯାଇଥିବା ତୃତୀୟ ଟେଷ୍ଟରେ ସିରାଜ ଟିମ୍ ଇଣ୍ଡିଆର ଅଂଶ ନୁହଁନ୍ତି।

ଦିନିକିଆ ଦଳ:

କେ.ଏଲ୍ ରାହୁଲ (ଅଧିନାୟକ), ଜସପ୍ରୀତ ବୁମ୍ରା (ଉପ-ଅଧିନାୟକ), ଶିଖର ଧାୱନ, ଋତୁରାଜ ଗାଇକୱାଡ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଶ୍ରେୟାସ ଆୟର, ଭେଙ୍କଟେଶ ଆୟର, ଋଷଭ ପନ୍ତ (ୱିକି), ଇଶାନ କିଶାନ (ୱିକି), ଆର ଅଶ୍ୱିନ୍, ଭୁବନେଶ୍ବର କୁମାର, ଦୀପକ ଚହର, ପ୍ରସିଦ୍ଧ କୃଷ୍ଣ, ଶାର୍ଦ୍ଦୁଲ ଠାକୁର, ମହମ୍ମଦ ସିରାଜ, ଜୟନ୍ତ ଯାଦବ ଏବଂ ନବଦୀପ ସାଇନି।

ଦିନିକିଆ ସିରିଜ୍ କାର୍ଯ୍ୟସୂଚୀ:

ପ୍ରଥମ ଦିନିକିଆ- ଜାନୁଆରୀ ୧୯ ତାରିଖ (ବୋଲାଣ୍ଡ ପାର୍କ, ପାର୍ଲ)

ଦ୍ୱିତୀୟ ଦିନିକିଆ- ଜାନୁଆରୀ ୨୧ ତାରିଖ (ବୋଲାଣ୍ଡ ପାର୍କ, ପାର୍ଲ)

ତୃତୀୟ ଦିନିକିଆ- ଜାନୁଆରୀ ୨୩ ତାରିଖ (ନ୍ୟୁଲାଣ୍ଡସ୍, କେପ୍ ଟାଉନ୍)

Related posts