ଟିମ୍ ଇଣ୍ଡିଆରେ କାହିଁକି ସ୍ଥାନ ପାଇଲେ ନାହିଁ ରବିନ୍ଦ୍ର ଜାଡେଜା?, ବିସିସିଆଇ ଦେଲା ଏଭଳି ଉତ୍ତର

Published: Jan 27, 2022, 5:17 pm IST

ନୂଆଦିଲ୍ଲୀ: ବିସିସିଆଇର ସିନିୟର ଚୟନ କମିଟି ୱେଷ୍ଟଇଣ୍ଡିଜ୍ ବିପକ୍ଷ ODI ଏବଂ ଟି -20 ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା କରିଛି। 18 ଜଣିଆ ଦଳରେ ରୋହିତ ଶର୍ମା ଫେରିଛନ୍ତି। ସେ ଅଧିନାୟକ ହୋଇଥିବାବେଳେ କେ.ଏଲ୍ ରାହୁଲ ଉପ-ଅଧିନାୟକ ହେବେ। ତିନି ମ୍ୟାଚ୍ ବିଶିଷ୍ଟ ODI ସିରିଜ୍ ଫେବୃଆରୀ 6 ତାରିଖରୁ ଅହମ୍ମଦାବାଦରେ ଖେଳାଯିବ, ଏବଂ ଟି-୨୦ ସିରିଜ୍ ଫେବୃଆରୀ 16 ତାରିଖରୁ କୋଲକାତାରେ ଖେଳାଯିବ।

ଆଘାତ ହେତୁ ଦକ୍ଷିଣ ଆଫ୍ରିକା ଗସ୍ତରେ ଯାଇପାରିନଥିବା ରୋହିତ ଶର୍ମା ଦଳର ନେତୃତ୍ୱ ନେବେ। ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କୁ ଉଭୟ ଦଳରେ ରଖାଯାଇଛି। ଦ୍ରୁତ ବୋଲର ଜସପ୍ରୀତ ବୁମ୍ରା ଏବଂ ମହମ୍ମଦ ଶାମିଙ୍କୁ ବିଶ୍ରାମ ଦିଆଯାଇଛି।

ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଦଳରେ ସ୍ଥାନ ପାଇନାହାଁନ୍ତି। ସେ ଉଭୟ ODI ଏବଂ T20 ଦଳରେ ଅନ୍ତର୍ଭୁକ୍ତ ହୋଇନାହାଁନ୍ତି। ଜାଡେଜା ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଫିଟ୍ ନୁହଁନ୍ତି ଏବଂ ସେଥିପାଇଁ ତାଙ୍କୁ ଚୟନ କରାଯାଇ ନାହିଁ।

ବିସିସିଆଇ ଏକ ବିବୃତ୍ତିରେ କହିଛି ଯେ, ଜସପ୍ରୀତ ବୁମ୍ରା ଏବଂ ମହମ୍ମଦ ଶାମିଙ୍କୁ ବିଶ୍ରାମ ଦିଆଯାଇଥିବାବେଳେ କେଏଲ ରାହୁଲ କେବଳ ଦ୍ୱିତୀୟ ଦିନିକିଆରୁ ଉପଲବ୍ଧ ହେବେ। ଆଣ୍ଠୁ ଆଘାତରୁ ଜାଡେଜା ସୁସ୍ଥ ହେବାର ଶେଷ ପର୍ଯ୍ୟାୟରେ ଅଛନ୍ତି ଏବଂ ସିରିଜରୁ ବଞ୍ଚିତ ହେବେ।

ବିସିସିଆଇ ଜାଡେଜାଙ୍କ ସହ ରିସ୍କ ନେବାକୁ ଚାହୁଁନାହିଁ। ସେ ଚାହୁଁଛନ୍ତି ଯେ ଜାଡେଜା ସମ୍ପୂର୍ଣ୍ଣ ଫିଟ୍ ହେବା ପରେ ଦଳକୁ ଫେରନ୍ତୁ। ଶ୍ରୀଲଙ୍କା ବିପକ୍ଷ ଘରୋଇ ସିରିଜ ପାଇଁ ତାଙ୍କୁ ଆବଶ୍ୟକ ହେବ।

ନଭେମ୍ବର 2021 ରେ ଜାଡେଜା ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ। ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ତାଙ୍କର ଶେଷ ସିରିଜ୍ ଥିଲା। ଏଥି ସହିତ, ସେ ଡିସେମ୍ବର 2 ତାରିଖ 2020 ରେ ଅଷ୍ଟ୍ରେଲିଆ ବିପକ୍ଷରେ ଶେଷ ODI ମ୍ୟାଚ୍ ଖେଳିଥିଲେ। T20 ରେ ତାଙ୍କର ଶେଷ ମ୍ୟାଚ୍ ନଭେମ୍ବର 8 ତାରିଖ 2021 ରେ ହୋଇଥିଲା। ସେ ଦୁଇ ମାସ ଧରି କ୍ରିକେଟ୍ ପଡ଼ିଆରୁ ଦୂରରେ ଅଛନ୍ତି।

ODI ଦଳ: ରୋହିତ ଶର୍ମା (ଅଧିନାୟକ), କେ.ଏଲ୍ ରାହୁଲ (ଉପ-ଅଧିନାୟକ), ଋତୁରାଜ ଗାଏକ୍ୱାଡ, ଶିଖର ଧାୱନ, ବିରାଟ କୋହଲି, ସୂର୍ଯ୍ୟ କୁମାର ଯାଦବ, ଶ୍ରେୟାସ ଆୟର, ଦୀପକ ହୁଡା, ଋଷଭ ପନ୍ତ (ୱିକି), ଦୀପକ ଚହର, ଶାର୍ଦ୍ଦୁଲ ଠାକୁର, ୟୁଜଭେନ୍ଦ୍ର ଚହଲ , କୁଲଦୀପ ଯାଦବ, ୱାଶିଂଟନ୍ ସୁନ୍ଦର, ରବି ବିଶ୍ନୋଇ, ମହମ୍ମଦ ସିରାଜ, ପ୍ରସିଦ୍ଧ କୃଷ୍ଣ, ଆଭେଶ ଖାନ।

ଟି -20 ଦଳ: ରୋହିତ ଶର୍ମା (ଅଧିନାୟକ), କେ.ଏଲ୍ ରାହୁଲ (ଉପ-ଅଧିନାୟକ), ଇଶାନ୍ କିଶାନ୍, ବିରାଟ କୋହଲି, ଶ୍ରେୟସ୍ ଆୟର, ସୂର୍ଯ୍ୟ କୁମାର ଯାଦବ, ଋଷଭ ପନ୍ତ (ୱିକି), ଭେଙ୍କଟେଶ ଆୟର୍, ଦୀପକ ଚହର, ଶାର୍ଦ୍ଦୁଲ ଠାକୁର, ରବି ବିଶ୍ନୋଇ, ଅକ୍ସର ପଟେଲ , ୟୁଜବେନ୍ଦ୍ର ଚହଲ, ୱାଶିଂଟନ୍ ସୁନ୍ଦର, ମୋହଦ୍ ସିରାଜ, ଭୂବନେଶ୍ୱର କୁମାର, ଆବେଶ ଖାନ, ହର୍ଷଲ ପଟେଲ।

Related posts