ଅଣ୍ଡର-୧୯ ବିଶ୍ୱକପ: ବାଂଲାଦେଶକୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କଲା ଭାରତ

Published: Jan 30, 2022, 11:07 am IST

ନୂଆଦିଲ୍ଲୀ: ଆଇସିସି ଅଣ୍ଡର-୧୯ ବିଶ୍ୱକପର କ୍ୱାର୍ଟର ଫାଇନାଲ ମ୍ୟାଚରେ ବାଂଲାଦେଶକୁ ଭାରତ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛି। ଆଣ୍ଟିଗୁଆରେ ଖେଳାଯାଇଥିବା ମ୍ୟାଚରେ ଭାରତ ୫ ୱିକେଟରେ ଜିତିଛି। ଫେବୃଆରୀ ୨ ତାରିଖରେ ହେବାକୁ ଥିବା ସେମିଫାଇନାଲରେ ଏବେ ଭାରତ ଅଷ୍ଟ୍ରେଲିଆକୁ ଭେଟିବ। ଆଣ୍ଟିଗୁଆର କୁଲିଜ କ୍ରିକେଟ୍ ଗ୍ରାଉଣ୍ଡରେ ଏହି ମ୍ୟାଚ୍ ଖେଳାଯିବ।

ଏହି ମ୍ୟାଚରେ ଭାରତ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଭାରତର ଚମତ୍କାର ବୋଲିଂ ସାମ୍ନାରେ ବାଂଲାଦେଶର ଦଳ ୩୭.୧ ଓଭରରେ ମାତ୍ର ୧୧୧ ରନରେ ସମସ୍ତ ୱିକେଟ ହରାଇଥିଲା। ବାଂଲାଦେଶର ଦଳ ଆରମ୍ଭରୁ ଦୁର୍ବଳ ହେବା ଭଳି ମନେ ହେଉଥିଲା। ୫୬ ରନ୍ ରେ ବାଂଲାଦେଶର ୭ ଟି ୱିକେଟ୍ ର ପତନ ଘଟିଥିଲା ଖସି ଯାଇଥିଲା। ଭାରତ ପାଇଁ ରବି କୁମାର ମାତ୍ର ୧୪ ରନ୍ ଦେଇ ୩ ଟି ୱିକେଟ୍ ନେଇଥିଲେ। ରବିଙ୍କୁ ‘ମ୍ୟାନ୍ ଅଫ୍ ଦି ମ୍ୟାଚ୍’ ମଧ୍ୟ ଘୋଷଣା କରାଯାଇଥିଲା। ଛୋଟ ଲକ୍ଷ୍ୟ ହାସଲ କରିବାରେ ଭାରତକୁ ଅଧିକ ଅସୁବିଧା ହୋଇନଥିଲା। ଭାରତୀୟ ଦଳ ୩୦.୫ ଓଭରରେ ୫ ୱିକେଟ୍ ହରାଇ ଲକ୍ଷ୍ୟ ପୂରଣ କରିଥିଲା। ଏହି ବିଜୟ ସହିତ ଭାରତ ମଧ୍ୟ ଗତ ଅଣ୍ଡର-୧୯ ବିଶ୍ୱକପ ଫାଇନାଲରେ ବାଂଲାଦେଶ ଠାରୁ ପରାଜୟର ପ୍ରତିଶୋଧ ନେଇଛି। ଗତ ଅଣ୍ଡର-୧୯ ବିଶ୍ୱକପର ଫାଇନାଲ ମ୍ୟାଚରେ ବାଂଲାଦେଶ ଦଳ ପ୍ରଥମ ଥର ପାଇଁ ଭାରତକୁ ପରାସ୍ତ କରି ଟାଇଟଲ ଜିତିଥିଲା।

ଭାରତୀୟ ଦଳ ବର୍ତ୍ତମାନ ସେମିଫାଇନାଲରେ ଅଷ୍ଟ୍ରେଲିଆକୁ ଭେଟିବ। ଅଷ୍ଟ୍ରେଲିଆ ଦଳ ପାକିସ୍ତାନକୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛି। କ୍ୱାର୍ଟର ଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆ ଏକପାଖିଆ ଢଙ୍ଗରେ ପାକିସ୍ତାନକୁ ୧୧୯ ରନରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ୨୭୬ ରନ୍ ସଂଗ୍ରହ କରିଥିଲା, ଏହାର ଜବାବରେ ପାକିସ୍ତାନର ଦଳ ମାତ୍ର ୧୫୭ ରନ୍ ରେ ସୀମିତ ରହିଯାଇଥିଲା।

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଅଣ୍ଡର-୧୯ ବିଶ୍ୱକପର ସେମିଫାଇନାଲ ମ୍ୟାଚ ଫେବୃଆରୀ ୨ ତାରିଖରେ ଅନୁଷ୍ଠିତ ହେବ। ଏହାପୂର୍ବରୁ ଫେବୃଆରୀ ୧ ତାରିଖରେ ହେବାକୁ ଥିବା ସେମିଫାଇନାଲରେ ଇଂଲଣ୍ଡ ଏବଂ ଆଫଗାନିସ୍ତାନ ମୁହାଁମୁହିଁ ହେବେ। ଇଂଲଣ୍ଡ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି ଏବଂ ଆଫଗାନିସ୍ତାନ କ୍ୱାର୍ଟର ଫାଇନାଲ ମ୍ୟାଚରେ ଶ୍ରୀଲଙ୍କାକୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛି।

Related posts