ୱେଷ୍ଟଇଣ୍ଡିଜ୍ ବିରୋଧରେ ଭାରତର ବ୍ୟାକଅପ୍ ଯୋଜନା, ମନୋନୀତ ହେଲେ ଆଉ ଦୁଇ ଖେଳାଳି

Published: Jan 30, 2022, 2:55 pm IST

ନୂଆଦିଲ୍ଲୀ: ଫେବୃଆରୀରେ ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯିବାକୁ ଥିବା ଦିନିକିଆ ସିରିଜ୍ ଏବଂ ଟି-୨୦ ସିରିଜ୍ ପାଇଁ ଟିମ୍ ଇଣ୍ଡିଆ ଘୋଷଣା ହୋଇସାରିଛି। କିନ୍ତୁ ବର୍ତ୍ତମାନ ଏହି ସ୍କ୍ବାଡରେ ଆଉ ୨ ଖେଳାଳି ଯୋଡି ହେବାର ଖବର ଅଛି। ଏହି ଖେଳାଳିଙ୍କୁ ଷ୍ଟାଣ୍ଡ-ବାଇ ଭାବରେ ଦଳରେ ଅନ୍ତର୍ଭୁକ୍ତ କରାଯାଇଛି, ଅର୍ଥାତ୍ ଏହି ଖେଳାଳୀମାନଙ୍କୁ ସିରିଜ୍ ସମୟରେ ସବୁବେଳେ ପ୍ରସ୍ତୁତ ରହିବାକୁ ପଡିବ। ଯେତେବେଳେ ବି ଭାରତୀୟ ଦଳ ଆବଶ୍ୟକତା ଅନୁଭବ କରନ୍ତି, ସେମାନେ ତୁରନ୍ତ ଖେଳୁଥିବା ଏକାଦଶରେ ଅନ୍ତର୍ଭୁକ୍ତ ହୋଇପାରିବେ। ଏକ ବିସିସିଆଇ ସୂତ୍ରରୁ ଉଦ୍ଧୃତ ଏକ ରିପୋର୍ଟରେ ଏହା ସାମ୍ନାକୁ ଆସିଛି।

ରିପୋର୍ଟରେ କୁହାଯାଇଛି ଯେ ଦେଶରେ କରୋନା ବୃଦ୍ଧି ପାଉଥିବା ମାମଲାକୁ ଦୃଷ୍ଟିରେ ରଖି ଖେଳାଳିଙ୍କ ସଂକ୍ରମଣର ଶିକାର ହେବାର ସମ୍ଭାବନାକୁ ମଧ୍ୟ ଏଡ଼ାଇ ଦିଆଯାଇପାରିବ ନାହିଁ। ଏପରି ପରିସ୍ଥିତିରେ ଯଦି କୌଣସି ଖେଳାଳି ସିରିଜ୍ ସମୟରେ କୋଭିଡ୍-୧୯ ପଜିଟିଭ୍ ବୋଲି ଜଣାପଡେ। ତେବେ ତାହା ବଦଳରେ ଟିମ୍ ଇଣ୍ଡିଆକୁ ଅନ୍ୟ ଖେଳାଳୀଙ୍କୁ ଦଳରେ ଅନ୍ତର୍ଭୁକ୍ତ କରିବା ପାଇଁ ଏକ ବ୍ୟାକଅପ୍ ଯୋଜନା ପ୍ରସ୍ତୁତ ରଖିବାକୁ ପଡିବ। ଏହାକୁ ଦୃଷ୍ଟିରେ ରଖି ବୋର୍ଡ ଖେଳାଳିଙ୍କୁ ଷ୍ଟାଣ୍ଡବାଇରେ ରଖିବାକୁ ନିଷ୍ପତ୍ତି ନେଇଛି।

ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଭାରତୀୟ ଦଳରେ ଶାହାରୁଖ ଖାନ ଏବଂ ତାମିଲନାଡୁର ଆର ସାଇ କିଶୋରଙ୍କୁ ଷ୍ଟାଣ୍ଡ-ବାଇ ଭାବରେ ଯୋଡି ଦିଆଯାଇଛି। ଶନିବାର ରାତିରେ ନିଷ୍ପତ୍ତି ନିଆଯାଇଥିବା ଏହି ବ୍ୟାକଅପ୍ ଯୋଜନା ସମ୍ପର୍କରେ ରିପୋର୍ଟ ସୂତ୍ରରୁ ପ୍ରକାଶ ଯେ, ‘ଆଗାମୀ ସିରିଜ୍ ପାଇଁ ବିସିସିଆଇ ସବୁ ପ୍ରକାରରେ ପ୍ରସ୍ତୁତ ହେବାକୁ ଚାହୁଁଛି। ତୃତୀୟ ତରଙ୍ଗ ଏବେବି ଚାଲିଛି। ଏଭଳି ପରିସ୍ଥିତିରେ ବୋର୍ଡ କୌଣସି ବିପଦକୁ ନେବାକୁ ଚାହୁଁନାହିଁ ଏବଂ ସେଥିପାଇଁ ଶାହାରୁଖ ଏବଂ ସାଇ କିଶୋରଙ୍କୁ ଦଳରେ ଯୋଡି ଦିଆଯାଇଛି।

ଶାହାରୁଖ ଖାନ ଜଣେ ମଧ୍ୟମ ଅର୍ଡର ବ୍ୟାଟ୍ସମ୍ୟାନ୍ ଏବଂ ସାଇ କିଶୋର ଜଣେ ବାମହାତୀ ସ୍ପିନର। ନିକଟରେ ଶେଷ ହୋଇଥିବା ଘରୋଇ ଟୁର୍ଣ୍ଣାମେଣ୍ଟରେ ସୟଦ ମୁସ୍ତାକ ଅଲି ଟ୍ରଫି ଏବଂ ବିଜୟ ହଜାରେ ଟ୍ରଫିରେ ଉଭୟ ତାମିଲନାଡୁ ପାଇଁ ଭଲ ପ୍ରଦର୍ଶନ କରିଥିଲେ। ଶାହାରୁଖ ଅନେକ ଥର ଜୋରଦାର ବ୍ୟାଟିଂ କରିଥିବାବେଳେ ସାଇ କିଶୋର ମଧ୍ୟ କଞ୍ଜୁସ ବୋଲିଂ ସହ ୱିକେଟ୍ ନେଇଥିଲେ।

Related posts