ମୟଙ୍କ ଅଗ୍ରୱାଲଙ୍କ ପରେ ଟିମ୍ ଇଣ୍ଡିଆରେ ସାମିଲ ହେଲେ ଆଉ ଜଣେ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍

Published: Feb 4, 2022, 11:26 am IST

ନୂଆଦିଲ୍ଲୀ: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଫେବୃଆରୀ ୬ ତାରିଖରୁ ଆରମ୍ଭ ହେଉଛି। ଏହାର ଦୁଇ ଦିନ ପୂର୍ବରୁ ଟିମ୍ ଇଣ୍ଡିଆର ଦଳରେ ଆଉ ଏକ ନାମ ଯୋଡିବାର ରିପୋର୍ଟ ସାମ୍ନାକୁ ଆସିଛି। ଏଥିରେ ମୁମ୍ବାଇ ଇଣ୍ଡିଆନ୍ସର ବିସ୍ଫୋରକ ଓପନର୍ ଇଶାନ୍ କିଶାନଙ୍କର ନାମ ସାମ୍ନାକୁ ଆସିଛି। ତେବେ ଏପର୍ଯ୍ୟନ୍ତ କୌଣସି ଅଫିସିଆଲ୍ ବିବୃତ୍ତି ମିଳିନାହିଁ।

ଏକ ମିଡିଆ ରିପୋର୍ଟରେ କୁହାଯାଇଛି ଯେ, ଟିମ୍ ଇଣ୍ଡିଆର ଓପନର୍ ଶିଖର ଧାୱନ ଏବଂ ରିତୁରାଜ ଗାଏକ୍ଵାଡ ବର୍ତ୍ତମାନ କରୋନା ସଂକ୍ରମିତ ଅଛନ୍ତି। ପ୍ରଥମ ଦିନିକିଆ ପାଇଁ କେ.ଏଲ୍ ରାହୁଲ ମଧ୍ୟ ଉପଲବ୍ଧ ହେବେ ନାହିଁ। ଏଭଳି ପରିସ୍ଥିତିରେ ଇଶାନ କିଶାନଙ୍କୁ ଦଳରେ ଯୋଡିବାକୁ ବିସିସିଆଇ ନିଷ୍ପତ୍ତି ନେଇଛି। ସେ ଅଧିନାୟକ ରୋହିତ ଶର୍ମାଙ୍କ ସହ ଭାରତୀୟ ଇନିଂସ ଖୋଲିଥିବାର ନଜର ଆସିବେ।

ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଇଶାନ୍ କିଶାନ୍ ଦିନିକିଆ ଦଳରୁ ବାଦ ପଡିଥିଲେ ମଧ୍ୟ ତାଙ୍କୁ ଟି-୨୦ ଦଳରେ ସାମିଲ କରାଯାଇଥିଲା। ଚୟନକର୍ତ୍ତାଙ୍କ ନୂତନ ନିଷ୍ପତ୍ତି ସହିତ, ବର୍ତ୍ତମାନ ସେ ଦିନିକିଆ ଦଳର ଅଂଶ ହେବାର ସୁଯୋଗ ମଧ୍ୟ ପାଇବେ। ଏହା ମଧ୍ୟ କୁହାଯାଉଛି ଯେ, ଇଶାନ କିଶନଙ୍କୁ ଦିନିକିଆ ଦଳରେ ଅନ୍ତର୍ଭୁକ୍ତ କରିବାର ନିଷ୍ପତ୍ତି ମଧ୍ୟ ନିଆଯାଇଛି କାରଣ ସେ ବାୟୋ ବବୁଲରେ ଉପସ୍ଥିତ ଅଛନ୍ତି।

ଦିନିକିଆ ସିରିଜ୍ ପୂର୍ବରୁ ଟିମ୍ ଇଣ୍ଡିଆର ଚାରିଜଣ ଖେଳାଳି କରୋନା ପଜିଟିଭ୍ ଥିବା ଜଣାପଡିଛି। ଏଥିମଧ୍ୟରେ ଓପନର୍ ଶିଖର ଧାୱନ, ରିତୁରାଜ ଗାଇକ୍ଵାଡ, ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନ୍ ଶ୍ରେୟାସ ଆୟର ଏବଂ ଦ୍ରୁତ ବୋଲର ନବଦୀପ ସାଇନି କରୋନା ପଜିଟିଭ ହୋଇଛନ୍ତି। ଚୟନକର୍ତ୍ତାମାନେ ସଙ୍ଗେ ସଙ୍ଗେ ଦଳ ସହିତ ମୟଙ୍କ ଅଗ୍ରୱାଲଙ୍କୁ ଅନ୍ତର୍ଭୁକ୍ତ କରିବାକୁ ଘୋଷଣା କରିଛନ୍ତି।

ଭାରତ ଏବଂ ୱିଣ୍ଡିଜ୍ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ଫେବୃଆରୀ ୬ ତାରିଖରେ ଖେଳାଯିବ। ଏକଦିବସୀୟ ସିରିଜର ସମସ୍ତ ମ୍ୟାଚ୍ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ। ଭାରତୀୟ ଦଳ ମଧ୍ୟ ଏଥିପାଇଁ ଅଭ୍ୟାସ ଆରମ୍ଭ କରିଛନ୍ତି। ୱେଷ୍ଟଇଣ୍ଡିଜ୍ ଦଳ ମଧ୍ୟ କ୍ଵାରେଣ୍ଟିନ ନିୟମ ପୂରଣ କରିବା ପରେ ଅଭ୍ୟାସ ଆରମ୍ଭ କରିଛନ୍ତି।

Related posts