ଟି-୨୦ ସିରିଜ୍ ପୂର୍ବରୁ ଭାରତକୁ ଆଉ ଏକ ଝଟକା, ଦଳରୁ ବାହାରିଲେ ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନ୍

Published: Feb 23, 2022, 10:33 am IST

ନୂଆଦିଲ୍ଲୀ: ଶ୍ରୀଲଙ୍କା ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ଗୋଟିଏ ଦିନ ପୂର୍ବରୁ ଭାରତୀୟ ଦଳ ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛି। ଭାରତର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାର ଯାଦବ ଦଳ ବାହାରେ ଅଛନ୍ତି। ହେୟାର ଲାଇନ୍ ଫ୍ରାକ୍ଚର ହେତୁ ସେ ଏହି ସିରିଜର ତିନୋଟି ମ୍ୟାଚ୍ ଖେଳିବାକୁ ସମର୍ଥ ହେବେ ନାହିଁ। ମିଡିଆ ରିପୋର୍ଟ ଅନୁଯାୟୀ, ୱିଣ୍ଡିଜ୍ ଦଳ ବିପକ୍ଷରେ ଖେଳାଯାଇଥିବା ତୃତୀୟ ଟି-୨୦ ମ୍ୟାଚରେ ସୂର୍ଯ୍ୟକୁମାର ଯାଦବ ଆହତ ହୋଇଥିଲେ।

ଏହାପୂର୍ବରୁ ମଙ୍ଗଳବାର ବିଳମ୍ବିତ ରାତିରେ ଦୀପକ ଚହର ମଧ୍ୟ ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜରୁ ବାଦ ପଡିଥିଲେ। ହାମଷ୍ଟ୍ରିଂ ଆଘାତ ହେତୁ ଦୀପକ ଚହର ଦଳରୁ ବାଦ ପଡିଥିଲେ। ତାଙ୍କୁ ସମ୍ପୂର୍ଣ୍ଣ ସୁସ୍ଥ ହେବାକୁ ୫ ରୁ ୬ ସପ୍ତାହ ଲାଗିବ। ସେ ଆଇପିଏଲର ପ୍ରାରମ୍ଭିକ ମ୍ୟାଚ୍ ମଧ୍ୟ ଖେଳିନପାରନ୍ତି।

ସମ୍ପ୍ରତି ଭାରତୀୟ ଦଳରେ ଆହତ ଖେଳାଳିଙ୍କ ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇଛି। କେ.ଏଲ୍ ରାହୁଲ, ୱାଶିଂଟନ୍ ସୁନ୍ଦର ଏବଂ ଅକ୍ସର ପଟେଲଙ୍କ ପରି ଖେଳାଳିମାନେ ଆହତ ହୋଇ ଟିମ୍ ଇଣ୍ଡିଆରୁ ଦୂରେଇ ଯାଉଛନ୍ତି। ବର୍ତ୍ତମାନ ସୂର୍ଯ୍ୟକୁମାର ଏବଂ ଦୀପକ ଚହର ଆଉଟ୍ ହେବା ସହିତ ଦଳର ସମସ୍ୟା କେବଳ ବୃଦ୍ଧି ପାଇବ। ସୂଚନାଯୋଗ୍ୟ, ଶ୍ରୀଲଙ୍କା ବିପକ୍ଷ ସୀମିତ ଓଭର ସିରିଜରେ ବିରାଟ କୋହଲି ଏବଂ ଋଷଭ ପନ୍ତ ମଧ୍ୟ ଉପସ୍ଥିତ ନାହାଁନ୍ତି। ଉଭୟ ଖେଳାଳିଙ୍କୁ ବିସିସିଆଇ ଦ୍ୱାରା ବିଶ୍ରାମ ଦିଆଯାଇଛି। ଏହି ଦୁଇ ଖେଳାଳି ଟେଷ୍ଟ ସିରିଜରୁ ପଡ଼ିଆକୁ ଫେରିବେ।

Related posts