
ନୂଆଦିଲ୍ଲୀ: ମହିଳା କ୍ରିକେଟ୍ ବିଶ୍ୱକପରେ ସେମିଫାଇନାଲରେ ପ୍ରବେଶ କରିବାକୁ ଭାରତୀୟ ଦଳର ଆଶା ଧୂଳିସାତ ହୋଇଛି। ଲିଗ୍ ପର୍ଯ୍ୟାୟର ଶେଷ ମ୍ୟାଚ୍ ରେ ଭାରତୀୟ ଦଳକୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପରାଜୟର ସମ୍ମୁଖୀନ ହେବାକୁ ପଡିଛି।
ଏହି ମ୍ୟାଚରେ ଭାରତୀୟ ଅଧିନାୟକ ମିତାଲି ରାଜ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଅଧିନାୟକଙ୍କ ଏହି ନିଷ୍ପତ୍ତିକୁ ପ୍ରମାଣ କରି ଭାରତୀୟ ଦଳର ଓପନର୍ ସ୍ମୃତି ମନ୍ଧନା (୭୧) ଏବଂ ଶେଫାଲୀ ବର୍ମା (୫୩) ପ୍ରଥମ ୱିକେଟ୍ ପାଇଁ ୯୧ ରନ୍ ଭାଗିଦାରୀ କରିଥିଲେ। ଏହି ଦୁଇ ଖେଳାଳିଙ୍କ ପରେ ଅଧିନାୟକ ମିତାଲି ରାଜ (୬୮) ଏବଂ ହରମାନପ୍ରୀତ କୌର (୪୮) ମଧ୍ୟ ଚମତ୍କାର ଇନିଂସ ଖେଳିଥିଲେ। ଭାରତୀୟ ଦଳ ନିର୍ଦ୍ଧାରିତ ଓଭରରେ ଭାରତ ୭ ୱିକେଟ୍ ହରାଇ ୨୭୪ ରନ୍ ସଂଗ୍ରହ କରିଥିଲା।
ଜବାବରେ ଦକ୍ଷିଣ ଆଫ୍ରିକା ମହିଳା ଦଳ ଶେଷ ବଲରେ ୨୭୫ ରନର ଲକ୍ଷ୍ୟ ପୂରଣ କରିଥିଲା। ଯାହାଫଳରେ ଭାରତୀୟ ଦଳକୁ ନିରାଶ ହେବାକୁ ପଡିଛି। ଦଳର ବିଶ୍ଵକପ ସେମିଫାଇନାଲରେ ଖେଳିବା ଆଶା ଭାଙ୍ଗିଯାଇଛି।